ବିନା କାର୍ଡରେ ଏଟିଏମରୁ ଉଠାଇ ପାରିବେ ଟଙ୍କା, ଜାଣନ୍ତୁ କିଭଳି ?

(ଦ କୁଇଭର ବ୍ୟୁରୋ): ଶେଷ ହେବ ଏଟିଏମ୍ କାର୍ଡ ଯୁଗ ! ବିନା ଡେବିଟ୍ କାର୍ଡରେ ଉଠାଇ ହେବ ଟଙ୍କା । ବର୍ତ୍ତମାନ ଲୋକମାନେ ଡେବିଟ୍ କାର୍ଡ ବ୍ୟବହାର ନକରି ଏଟିଏମରୁ ଟଙ୍କା ଉଠାଇବା ପାଇଁ ସୁବିଧା ପାଇବେ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ପୂର୍ବରୁ, କେବଳ ଏହି ସୁବିଧା ଅଳ୍ପ କିଛି ବ୍ୟାଙ୍କକୁ ମିଳିଥିବା ବେଳେ ଏବେ ଏହା ସମସ୍ତ ବ୍ୟାଙ୍କ କ୍ଷେତ୍ରରେ ଲାଗୁହେବ । ଏହା ୟୁପିଆଇ ସହାୟତାରେ ହୋଇପାରିବ ବୋଲି ଆର୍ବିଆଇ ପକ୍ଷରୁ ସୂଚନା ମିଳିଛି ।

ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଭର୍ନର ଶକ୍ତିକାନ୍ତ ଦାସ ମନିଟାରୀ ପଲିସି ଘୋଷଣା କରିଛନ୍ତି । ଏହି ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ଏଭଳି କରିବା ଦ୍ୱାରା ଏଟିଏମ କାର୍ଡ ମାଧ୍ୟମରେ ହେଉଥିବା ଠକେଇ ରୋକାଯାଇ ପାରିବ ଏବଂ କାରବାରକୁ ବହୁତ ସୁରକ୍ଷିତ କରିବ । ଏହିପରି ବ୍ୟବସ୍ଥାଦ୍ୱାରା ଫିଜିକାଲ୍ କାର୍ଡ ଆବଶ୍ୟକ ହେବ ନାହିଁ ଏବଂ କାର୍ଡ ସ୍କିମିଂ ଏବଂ କାର୍ଡ କ୍ଲୋନିଂ ଭଳି ଠକେଇକୁ ରୋକିବାରେ ସାହାଯ୍ୟ କରିବ।

ମନିଟାରୀ ପଲିସି କମିଟି ଚଳିତ ଆର୍ଥିକ ବର୍ଷରେ ଅନେକ ପରିବର୍ତ୍ତନ କରିଛନ୍ତି । କମିଟିର ଘୋଷଣା ମୁତାବକ ଚଳିତ ବର୍ଷ ରେପୋ ରେଟ ୪ ପ୍ରତିଶତ ରହିବ । ଏହା କ୍ରମାଗତ ଭାବେ ୧୧ ଥର ପାଇଁ ସ୍ଥିର କରାଯାଇଛି । ଏହାସହ କେନ୍ଦ୍ରୀୟ ବ୍ୟାଙ୍କ ବି ସୁଧଦରରେ କୌଣସି ପରିବର୍ତ୍ତନ କରିନାହିଁ । ଏହାପୂର୍ବରୁ ୨୦୨୦ ମେ ୨୨ ତାରିଖରେ ରେପୋ ରେଟର ପରିବର୍ତ୍ତନ କରିଥିଲେ ।

Leave a Reply

Your email address will not be published. Required fields are marked *