ଭୁବନେଶ୍ୱର (ଦ କୁଇଭର): ଆପଣଙ୍କ ଆଧାରକାର୍ଡ଼ କେତେ ଠିକ? ଏହା ଆପଣ କେବେ ଭାବିଛନ୍ତି କି? କାରଣ ଆପଣଙ୍କ ପାଖରେ ଥିବା ଅଧାରକାର୍ଡ ନକଲି ହୋଇନଥିବ କିଏ କହିବ । ୟୁଆଇଡିଏଆଇର ସିଏଜି ଅଡିଟ୍ ରିପୋର୍ଟରେ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦେଶର ସର୍ବୋଚ୍ଚ ଅଡିଟ୍ ସଂସ୍ଥା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି ଯେ, ଦେଶର ୪.୭ ଲକ୍ଷ ଆଧାର କାର୍ଡ ନକଲି ଚିହ୍ନଟ ହୋଇଛି । ଯାହା ଭାରତୀୟ ନାଗରିକଙ୍କର ବୋଲି ସ୍ପଷ୍ଟ ହୋଇପାରିନାହିଁ । ଆଧାରକାର୍ଡରେ ଥିବା ଆଧାର ନମ୍ବର ସହ ଡାଟା ମେଳ ଖାଉ ନଥିବା ସିଏଜି କହିଛି । ଆଉ ସିଏଜି ଅଡିଟରୁ ଜଣାପଡ଼ିଛି ଯେ, ଅନେକ ଆଧାରକାର୍ଡରେ ସମସ୍ତ ପ୍ରମାଣପତ୍ର ବିନା ଆଧାର ନମ୍ବର ତିଆରି ହେଉଛି ଏବଂ ଏହାସହ ଅନେକ ଲୋକ ସେମାନଙ୍କର ବାସସ୍ଥାନ ମଧ୍ୟ ସଠିକ୍ ଦେଉନଥିବା ଜଣାପଡ଼ିଛି ।

କେବଳ ଏତିକି ନୁହେଁ, ଆଧାର ନମ୍ବର ବେଳେ ନିଆଯାଉଥିବା ବାୟୋମେଟ୍ରିକ୍ ମଧ୍ୟ ସଠିକ୍ ଭାବେ ନେଉନଥିବା ରିପୋର୍ଟରେ ଜଣାପଡ଼ିଛି । ଯାହାଦ୍ୱାରା ନକଲି ଆଧାର ନମ୍ବର ତିଆରି ହେବାରେ ସହଜ ହେଉଛି । ୟୁଆଇଡିଏଆଇରେ ଡାଟା ମେନେଜମେଣ୍ଟ ଭୁଲ ରହୁଥିବା ମଧ୍ୟ ସିଏଜି ରିପୋର୍ଟରେ ଜଣାପଡ଼ିଛି ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ୨୦୨୧ ଅକ୍ଟୋବର ୩୧ ସୁଦ୍ଧା ୧୩୧.୬୮ କୋଟି ଆଧାର ନମ୍ବର ତିଆରି କରିଛି ୟୁଆଇଡିଏଆଇ । ଆଉ ସବୁଠାରୁ ବଡ଼ କଥା ହେଉଛି ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ୧୦ ବର୍ଷ ପରେ ଆଧାର ନମ୍ବର ସହିତ କାର୍ଡ଼ଧାରୀଙ୍କ ତଥ୍ୟ ମ୍ୟାଚ୍ କରୁନାହିଁ ଏବଂ ଉକ୍ତ କାର୍ଡ଼ ପରବର୍ତ୍ତୀ ମୁହୂର୍ତ୍ତରେ ତାହା ନକଲି ବୋଲି ପ୍ରମାଣିତ ହେଉଛି । ଯାହା ଫଳରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ସେହିଭଳି ୧୦୮ ପୃଷ୍ଠା ସମ୍ବଳିତ ଅଡିଟ୍ ରିପୋର୍ଟରେ ଏଭଳି ଅନେକ ତ୍ରୁଟି ଚିହ୍ନଟ କରିଛି ସିଏଜି ।

ପ୍ରତିଟି ଭାରତୀୟଙ୍କ ପାଇଁ ବର୍ତ୍ତମାନ ଗୋଟିଏ ପରିଚୟ ପାଲଟିଛି ଆଧାରକାର୍ଡ଼ । ବ୍ୟାଙ୍କ ହେଉ ବା ସ୍କୁଲ, କଲେଜ ବା କୌଣସି ସରକାରୀ କ୍ଷେତ୍ର । ସବୁଠି ଏବେ ଆଧାରକାର୍ଡ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ବିନା ଆଧାରକାର୍ଡ଼ରେ ବାହାରକୁ ବି ବାହାରିବା ମୁସ୍କିଲ । ତେଣୁ ଆଧାରକାର୍ଡ଼ ଏବେ ବାଧ୍ୟତାମୂଳକ ହୋଇଥିବା ବେଳେ ଆଧାରକାର୍ଡ଼ରେ ଦେଖାଯାଉଥିବା ଏଭଳି ତ୍ରୁଟି ଏବେ ଜନସାଧାରଣଙ୍କ ଚିନ୍ତା ବଢାଇଦେଇଛି । ସରକାର ଡିଜିଟାଲ ଇଣ୍ଡିଆ ନାଁରେ ସାରା ଦେଶକୁ ଡିଜିଟାଲାଇଜ୍ କରୁଥିବା ବେଳେ ଆଧାର ନମ୍ବରରେ ଏଭଳି ସାଘାଂତିକ ତ୍ରୁଟି ସରକାରଙ୍କ ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି । ୟୁଆଇଡିଏଆଇ ଭଳି ଏକ ବଡ଼ ନେଟୱର୍କ ଏବେ ଅବିଶ୍ୱାସନୀୟ ବାତାବରଣ ଭିତରକୁ ପଶିଗଲାଣି । ଭୋଟର ଆଇ କାର୍ଡ, ପାନକାର୍ଡ଼ ଭଳି ଆଧାରକାର୍ଡ଼ରେ ବି ନକଲି ହେଲାଣି । ଏହି ଆଧାରକାର୍ଡକୁ ନେଇ ସରକାର ଚିନ୍ତା କରିଥିଲେ ଏହା ହିଁ ଦେଶବାସୀଙ୍କ ଏକମାତ୍ର ପରିଚୟ ପତ୍ର ହେବ । କିନ୍ତୁ ଏଥିରେ ନକଲି ହେଲେ ଲୋକେ କାହାକୁ ଅଭିଯୋଗ କରିବେ? କେଉଁ ସରକାରୀ ବ୍ୟବସ୍ଥାକୁ ଭରଷା କରିବେ ଲୋକେ? ସେ ନେଇ ଚିନ୍ତାରେ ଦେଶବାସୀ ।

Leave a Reply

Your email address will not be published. Required fields are marked *