ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ

(ଦ କୁଇଭର ବ୍ୟୁରୋ): ଅଭିନନ୍ଦନ ଜଣାଇଲେ, ଟାର୍ଗେଟ ବି କଲେ । କହିଲେ ଆତଙ୍କବାଦ ଉପରେ କଟକଣା ଜାରି କର । ଭାରତ-ଆମେରିକା ଆଲୋଚନା ବେଳେ ଉଠିଥିଲା ଆତଙ୍କବାଦ ପ୍ରସଙ୍ଗ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଲଗାଇବାକୁ ଆହ୍ୱାନ ଦେଇଛନ୍ତି । ଆତଙ୍କବାଦ ଉପରେ କିପରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ମଧ୍ୟ ହୋଇଛି । ଏହାସହ ସବୁ ଦେଶଙ୍କ ସହ ଭାରତ ସୌହାଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା ପାଇଁ ଆଗ୍ରହୀ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ଆତଙ୍କବାଦକୁ ସବୁବେଳେ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ଗତକାଲି ପାଇଛି ନୂଆ ପ୍ରଧାନମନ୍ତ୍ରୀ । ତେଣୁ ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫଙ୍କୁ ଆତଙ୍କବାଦ ଉପରେ କଟକଣା ଲଗାଇବାକୁ ଭାରତ ଚେତାବନି ଦେଇଛି । ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନକୁ ଖୋଲାଖୋଲି ଟାର୍ଗେଟ ଦେଇଛନ୍ତି ରାଜନାଥ ସିଂ । କହିଛନ୍ତି, ଆତଙ୍କବାଦ ଉପରେ କଟକଣା ନ ଲଗାଇଲେ ପରିସ୍ଥିତି ଭୟଙ୍କର ହେବ । ଇମ୍ରାନ ଖାନଙ୍କ ସରକାର ହଟିବା ପରେ ଏବେ ପାକିସ୍ତାନରେ ଶାହାବାଜ୍ ଯୁଗ ଆରମ୍ଭ ହୋଇଛି । ତେଣୁ ଗୋଟେପଟେ ନୂଆ ପ୍ରଧାନମନ୍ତ୍ରୀ ଶାହାବାଜଙ୍କୁ ଅଭିନନ୍ଦନ ଜଣାଇ ଅନ୍ୟପଟେ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଆଗାମୀ ଦିନରେ ଆସୁଥିବା ଚ୍ୟାଲେଞ୍ଚର ମୁକାବିଲା ପାଇଁ ଆମେରିକା ଓ ଭାରତ ଉଭୟ ଦେଶ ମଧ୍ୟରେ ଅନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ସେହିପରି ଦ୍ୱିପାକ୍ଷିକ ଆଲୋଚନା ବେଳେ ଚୀନ୍ ପ୍ରସଙ୍ଗ ମଧ୍ୟ ଉଠିଛି । ଭାରତର ଉତ୍ତର ସୀମାରେ ଚୀନ୍ ପକ୍ଷରୁ କରାଯାଉଥିବା ଦୁଃସାହସର ସାମ୍ନାରେ ଭାରତ ସାର୍ବଭୌମତ୍ୱ ରକ୍ଷା କରିବାରେ ଆମେରିକା ସହାୟତା କରିବ ବୋଲି କହିଛି । ବେଜିଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷାକୁ ନଷ୍ଟ କରୁଛି । ତୁମେ ତୁମର ସାର୍ବଭୌମତ୍ୱ ସ୍ୱାର୍ଥ ରକ୍ଷା କଲାବେଳେ ଆମେ ତୁମ ପାଖରେ ଛିଡ଼ା ହେବୁ ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଅଷ୍ଟିନ୍ ଭାରତୀୟ ପ୍ରତିରକ୍ଷା ସଚିବ ରାଜନାଥ ସିଂଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *