ପୁରୀ (ଦ କୁଇଭର): ସନ୍ଦେହରେ ବଡ଼ ଦେଉଳ ସ୍ଥିତି । ସରକାରଙ୍କ ମନଇଚ୍ଛା ଭଙ୍ଗା ଓ ଗଢାରେ ବଳି ପଡ଼ୁଛି ଶ୍ରୀମନ୍ଦିର । ହେଲେ ବଡ଼ ଦେଉଳର ଅଧିପତି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ନିରବରେ ବସିଛନ୍ତି । ଦାରୁବ୍ରହ୍ମଙ୍କ ନିରବତା ଠୁ ଅଧିକ ରହସ୍ୟମୟ ଲାଗୁଛି ଚଳନ୍ତି ପ୍ରତିମା ଗଜପତି ମହାରାଜାଙ୍କ ନିରବତା । ତେବେ ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ସେ ନିରବ? ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବେଆଇନ କାର୍ଯ୍ୟ ଚାଲିଛି । ଗଜପତି ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ କି? କାହିଁକି ମୁହଁ ବନ୍ଦ କରି ବସିଛନ୍ତି ଗଜପତି? ଗଜପତିଙ୍କ ମୁହଁ ବନ୍ଦ କରିବା ପଛରେ କିଛି କାରଣ ରହିଛି କି? ଜଗନ୍ନାଥ ମନ୍ଦିରରେ ଯଦି କିଛି ବି ହୁଏ, ତେବେ କୋଟି କୋଟି ସାଧାରଣ ଭକ୍ତ ଚାହାନ୍ତି ଗଜପତିଙ୍କ ମୁହଁକୁ । ଗଜପତି କ’ଣ କହୁଛନ୍ତି? କିନ୍ତୁ ଗଜପତି କିଛି କହିବା ପରିବର୍ତ୍ତେ ବିଭିନ୍ନ ସମୟରେ ସରକାରଙ୍କ ହଁ ରେ ହଁ ମିଶାଇ ଦେଉଥିବାରୁ ଭକ୍ତ ଭରସିବେ କାହାକୁ?

ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ । ଆଇନ ଅନୁଯାୟୀ, ତାଙ୍କ ବିନା ଅନୁମତିରେ କିଛି ବି ହୋଇପାରିବନି । ଖାଲି ଏତିକି ନୁହେଁ, ଗଜପତି ହେଉଛନ୍ତି ଜଣେ ପ୍ରବୀଣ ଆଇନଜୀବୀ । କୌଣସି କାର୍ଯ୍ୟରେ ଭୁଲ ଚୁକ୍ ହେଲେ ତାଙ୍କ ନଜର ହଟିବା କଥା ନୁହେଁ । ଏହା ପୁଣି ଶ୍ରୀମନ୍ଦିର କଥା, ଯାହା ତାଙ୍କର ମୋଟ୍ ପରିଚୟ ମଧ୍ୟ । ଏହାର ନିଷିଦ୍ଧାଞ୍ଚଳରେ କିଛି ବି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସେ ଭଲଭାବେ ଜାଣିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ନିଷିଦ୍ଧାଞ୍ଚଳରେ ଏତେ ବଡ଼ କାମ ପାଇଁ ସରକାର ଯେଉଁ ପ୍ରସ୍ତାବ ଆଣିଲେ ସେଥିରେ, ଗଜପତି ନିରବ ରହିଲେ କିପରି? ପରିଚାଳନା କମିଟିର ଅଧ୍ୟକ୍ଷ ହିସାବରେ ସେ କିପରି ଏହାକୁ ଅନୁମତି ଦେଲେ? ପରିଚାଳନା କମିଟି ଯେତେବେଳେ ଏହାକୁ ଅନୁମୋଦନ ଦେଲା, ସେତେବେଳେ ନିଷିଦ୍ଧାଞ୍ଚଳରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ଗଜପତି କ’ଣ ଏହା ଭୁଲି ଯାଇଥିଲେ କି? ପ୍ରକଳ୍ପ ନକ୍ସାରେ ଛୋଟ ଛୋଟ ପଥର କାରୁକାର୍ଯ୍ୟ ଥିବା ଦେଖିବାକୁ ମିଳୁଥିବା ବେଳେ ଏବେ ଏତେ ବଡ଼ ପିଲର ଆସିଲା କେଉଁଠୁ? ଏତେ ବଡ଼ ବଡ଼ ଗାତ ଖୋଳାହେଉଛି କାହିଁକି? ଯଦି ପରିଚାଳନା କମିଟିରେ ଏହାକୁ ଅନୁମୋଦନ କରାଯାଇଛି, ତେବେ ଗଜପତି ଅନୁମୋଦନ ପାଇଁ ହଁ କରିଲେ କେମିତି? ଏବଂ ଯଦି ଅନୁମୋଦିତ ନକ୍ସାର ପରିବର୍ତ୍ତନ କରାଯାଇଛି, ତେବେ ଗଜପତି ମୁହଁ ଖୋଲୁନାହାନ୍ତି କାହିଁକି? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଘୁରି ବୁଲୁଛି ।

ବଡ଼ ଦେଉଳ ପ୍ରତି ଏତେ ବଡ଼ ବିପଦ ମାଡି ଆସୁଛି । କରିଡର ପ୍ରକଳ୍ପ ବେଆଇନ ବୋଲି ଏଏସଆଇ ମଧ୍ୟ କହିସାରିଲାଣି । ଏହାକୁ ନେଇ ଶ୍ରୀମନ୍ଦିରରେ ଫାଟ ଦେଖିବାକୁ ମିଳୁଥିବା ମଧ୍ୟ ଅଭିଯୋଗ ହେଲାଣି । ତଥାପି ସବୁ ଜାଣି ମଧ୍ୟ ଚୁପ୍ ଗଜପତି ମହାରାଜ । ଏହି ପ୍ରସଙ୍ଗରେ ଗଜପତିଙ୍କ ମୁହଁକୁ ଚାହିଁ ବସିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ ।

Leave a Reply

Your email address will not be published. Required fields are marked *