ପୁରୀ (ଦ କୁଇଭର): ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ ବେଆଇନ ଖନନକୁ ନେଇ ଚାଲିଛି ନାଟ । ଆଉ ଏ ନାଟର ଗୋବର୍ଦ୍ଧନ ହେଉଛନ୍ତି ଏଏସଆଇ । ସେ ହିଁ ଖଳନାୟକ । ଐତିହ୍ୟ କରିଡରକୁ ନେଇ ଆଜି ଯେତିକି ବିଶୃଙ୍ଖଳା ବା ବିବାଦ ସୃଷ୍ଟି ହୋଇଛି, ତା’ର ମୂଳରେ ରହିଛି ଏଏସଆଇ । ସବୁ ବସି ନାଟ କରୁଛି ଓ ନାଟ ଦେଖୁଛି ଏଏସଆଇ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ନିଷିଦ୍ଧାଞ୍ଚଳରେ ଖନନ କାର୍ଯ୍ୟ ବେଆଇନ। ଏହା ଆଇନ କହୁଛି । ତଥାପି ସବୁ ଆଇନ କାନୁନକୁ ଦଳିମକଚି ସରକାର ଖୋଳିଲେ, ପାଇଲିଂ କଲେ ପିଲର ବି ଉଠାଇଲେ । ଆଉ ଏସବୁ ଜାଣିଥିଲା ଏଏସଆଇ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସବୁ ଜାଣି ମଧ୍ୟ କାହିଁକି ଚୁପ୍ ବସିଥିଲା ଏଏସଆଇ? ପ୍ରକଳ୍ପ ପ୍ରସ୍ତାବ ବେଳେ କାହିଁକି ଚୁପ୍ ଥିଲା ଏଏସଆଇ? ନା ତାଙ୍କ ଅନୁପସ୍ଥିତିରେ ଏ ପ୍ରକଳ୍ପ ଅନୁମୋଦିନ ହୋଇଯାଇଥିଲା? ଚିଠି ଲେଖିଦେଇ କାହିଁକି ଚୁପ୍ ବସିଥିଲା ଏଏସଆଇ? ସେମାନେ ଏହି ବେଆଇନ କାମ ପାଇଁ ଥାନାରେ ଏତଲା କରିପାରିଥାନ୍ତେ, କୋର୍ଟଙ୍କ ଦ୍ୱାରସ୍ତ ହୋଇପାରିଥାନ୍ତେ, କିନ୍ତୁ ତାହା ନ କରି କେବଳ ଗୋଟିଏ ଚିଠି ଲେଖି ବସିଯାଇଛି ଏଏସଆଇ ।

ଅନ୍ୟପଟେ ଏଏସଆଇର ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ । ତେଣୁ ଯେତେବେଳେ ଏହି କରିଡର ପ୍ରକଳ୍ପକୁ ପରିଚାଳନା କମିଟି ଅନୁମତି ଦେଲା, ସେତେବେଳେ ଅରୁଣ ମଳ୍ଲିକ କରୁଥିଲେ କ’ଣ? କାହିଁକି ଚୁପ୍ ଥିଲେ? ସେତେବେଳେ ହୁଏତ ଯଦି ଏହାକୁ ବେଆଇନ ବୋଲି ପ୍ରମାଣିତ କରାଯାଇପାରିଥାନ୍ତା, ହୁଏତ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଏତେ ବଡ଼ ବଡ଼ ଗାତ ଆଜି ଖୋଳାହୋଇନଥାନ୍ତା ।

ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ଚୁପ୍ ରହିଥିଲେ ଏଏସଆଇ ଓଡ଼ିଶା ମୁଖ୍ୟ? ଚୁପ୍ ରହିବା ପଛରେ କ’ଣ କାରଣ ଥିଲା? କେଉଁ କାରଣ ତାଙ୍କ ମୁହଁ ବନ୍ଦ କରିବାକୁ ବାଧ୍ୟ କରିଥିଲା । ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି । ଯଦିଓ ପୂର୍ବରୁ ଏହି ପ୍ରକଳ୍ପ ନିଷିଦ୍ଧାଞ୍ଚଳରେ ଚାଲିଛି ଓ ବେଆଇନ ବୋଲି ଏଏସଆଇ କହିସାରିଛି, ତେବେ କାର୍ଯ୍ୟ ହେବା ପରେ ପଦକ୍ଷେପ ନ ନେଇ କାହିଁକି ଚୁପ୍ ବସିଥିଲା । ଯେତେବେଳେ ଶ୍ରୀମନ୍ଦିର ସିଂହଦ୍ୱାରର କେଇ ହାତ ଦୂରରେ ବୁଲଡୋଜର ଲଗାଇ ବଡ଼ ବଡ଼ ଗାତ ଖୋଳାଗଲା ଓ ପିଲର ଉଠାଗଲା । ସେତେବେଳେ ଏଏସଆଇର ଅଧିକାରୀମାନେ କେଉଁଠି ଥିଲେ? କାହିଁକି ଏହାକୁ ରୋକାଗଲା ନାହିଁ ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ପଲ୍ଲୀ ଠୁ ଦିଲ୍ଲୀ ସବୁଠି ବିରୋଧ ଦେଖିବାକୁ ମିଳୁଛି । କିନ୍ତୁ ସବୁ ଜାଣି କେବଳ ଗୋଟିଏ ଚିଠି କରି ଚୁପ୍ ବସିପଡ଼ିଛି ଏଏସଆଇ । ଏଥିପାଇଁ ସବୁ ନାଟର ଗୋବର୍ଦ୍ଧନ ଏଏସଆଇ ବୋଲି କୁହାଯାଉଛି । ପରିଚାଳନା କମିଟିର ସଦସ୍ୟ ହିସାବରେ ଅରୁଣ ମଲ୍ଲିକ ଏହାକୁ ଯଦି ପ୍ରଥମରୁ ବିରୋଧ କରିଥାନ୍ତେ । ତେବେ ହୁଏତ ବଡ଼ ଦେଉଳ ପ୍ରତି ଏତେ ବଡ଼ ବିପଦ ଆଜି ଆସିନଥାନ୍ତା । କି ଶ୍ରୀମନ୍ଦିର ଜଗମୋହନରେ ଫାଟ ଦେଖିବାକୁ ମିଳିନଥାନ୍ତା ।

Leave a Reply

Your email address will not be published. Required fields are marked *