Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆସିବ କି ଚତୁର୍ଥ ଲହର ? ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର (ଦ କୁଇଭର): ବଢିଲା ସଂକ୍ରମଣ । ବଢିଲା କଟକଣା । ସାରା ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଆସିବ କି ଚତୁର୍ଥ ଲହର? ପୁଣି ସାରା ଦେଶରେ ଲାଗୁ ହେବ କି କଟକଣା? ଏଭଳି ଅନିଶ୍ଚିତତା ମଧ୍ୟରେ ଦେଶବାସୀ । କାହିଁକି ନା କିଛି ଦିନର ବିରତି ପରେ ପୁଣି ଦେଶରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ହଜାର ୧୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ସଂକ୍ରମଣରେ ୨୧୪ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଲାଗତର ଭାବେ କରୋନା ସଂକ୍ରମଣ ବୃଦ୍ଧି ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି । କାରଣ ବିଶେଷଜ୍ଞଙ୍କ ମତନୁଯାୟୀ, ଯଦି ପୁଣି କ୍ରମାଗତଭାବେ ସଂକ୍ରମଣ ବଢେ ତେବେ ଏହା ଚତୁର୍ଥ ଲହର ଆଣିବ ।

ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ପୁଣି ଥରେ କରୋନା କଟଣାକୁ କଡ଼ା କଡ଼ି କରିବାରେ ଲାଗିଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶର ଯୋଗୀ ସରକାର ପୁଣି ଥରେ ରାଜ୍ୟରେ ମାସ୍କ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାଜ୍ୟର ସମସ୍ତ ଜନବହୁଳ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳ । ଏହାସହ ଟୀକା ନେଇନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଟୀକା ଦେବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଉତ୍ତରପ୍ରଦେଶ ନୁହେଁ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ରବିବାର ଦିନ ଦିଲ୍ଲୀରେ କେବଳ ୫୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦିଲ୍ଲୀରେ ସଂକ୍ରମଣ ହାର ୪.୨୧ ପ୍ରତିଶତରେ ପହଞ୍ଚିଛି ।

ଦୀର୍ଘ ଦିନର ବ୍ୟବଧାନରେ ପରେ ପୁଣି କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ଯଦି ଏହା କ୍ରମାଗତଭାବେ ବଢେ, ତେବେ ଏହା ଚତୁର୍ଥ ଲହରକୁ ନିମନ୍ତ୍ରଣ କରିବ, ଏହା ନିସନ୍ଦେହ । କାରଣ ଚୀନରେ କରୋନାର ବିସ୍ଫୋରଣ ଦେଖିବାକୁ ମିଳୁଛି । ହା ହାକାର ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଯଦି ଜନସାଧାରଣ କରୋନା ନିୟମକୁ ଠିକଭାବେ ନ ମାନନ୍ତି, ତେବେ ଆଗାମୀ ଦିନରେ ଖୁବଶୀଘ୍ର ଚତୁର୍ଥ ଲହର ଆସିବା ସୁନିଶ୍ଚିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Exit mobile version