ନୂଆଦିଲ୍ଲୀ (ଦ କୁଇଭର): ଗ୍ରାହକ ନୁହେଁ ନିଜର ବରିଷ୍ଠ କର୍ମଚାରୀଙ୍କୁ ଲାଭ ଦେଉଛି ଆମୱେ । ପ୍ରତ୍ୟକ ପ୍ରଡକ୍ଟ କିଣାରେ ଅଧିକରୁ ଅଧିକ ଲାଭ ନେଇଯାଉଛନ୍ତି କମ୍ପାନୀର ଡିଷ୍ଟ୍ରିବୁଟର ଓ ବଡ଼ ବଡ଼ ଅଧିକାରୀମାନେ । ପିରାମିଡ଼ ଭଳି ଟଙ୍କା ବାଣ୍ଟି ଚାଲିଛି କମ୍ପାନୀ । ସବୁଠାରୁ ଅଧିକ ଟଙ୍କା ପାଉଛନ୍ତି ଉପରେ ଥିବା ବାବୁମାନେ । ଜଣେ ସାଧାରଣ ମେମ୍ବର ପ୍ରଡ଼କ୍ଟ କିଣିବା ବେଳେ ଟଙ୍କାଟିଏ ପାଉଥିବା ବେଳେ ଉପରେ ବସିଥିବା ବାବୁମାନେ ଏଥିରୁ ୫ଟଙ୍କା ଲାଭ ପାଉଛନ୍ତି । ଯାହାକୁ ମନି ଲଣ୍ଡରିଂ ବୋଲି କହିଛି ଇଡ଼ି । ଇଡି କମ୍ପାନୀ ଉପରେ ରେଡ କରି ୭୫୦ କୋଟିରୁ ଅଧିକ ସମ୍ପତ୍ତି ଜବତ କରିଛି ।

ସାଧାରଣତଃ ଆମୱେର ପ୍ରଡକ୍ଟ ଲାଭଦାୟକ ବୋଲି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଥାଏ । କିନ୍ତୁ ତାର ବ୍ୟାସାୟିକ ପ୍ରଣାଳୀ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମୱେ କମ୍ପାନୀ ଚେନ୍ ମାଧ୍ୟମରେ ବ୍ୟବସାୟ କରିଥାଏ । ଆମୱେର ଗୋଟିଏ ପ୍ରଡକ୍ଟ ଲୋକଙ୍କ ପାଖରେ ପହଞ୍ଚିବା ଭିତରେ ଏହା ମଝିରେ ଥିବା ଅନେକ ଡିଷ୍ଟ୍ରିବୁଟର ଓ ବଡ଼ ବଡ଼ ବାବୁମାନେ ଅଧିକ ଲାଭ ପାଇଥାନ୍ତି । ଯାହା ଗ୍ରହକଙ୍କ ପକେଟରୁ କଟିଥାଏ । ଆଉ ବର୍ତ୍ତମାନ ଏହି ବେଆଇନ ବ୍ୟବସାୟିକ ପ୍ରଣାଳୀକୁ ନେଇ ଅନେକ ଅସନ୍ତୋଷ ଦେଖିବାକୁ ମିଳିଛି ।

ଆମୱେ ଗ୍ରହକଙ୍କର ନୁହେଁ, ଡିଷ୍ଟ୍ରିବୁଟର ଓ ବଡ଼ ବଡ଼ କର୍ମଚାରୀମାନଙ୍କର । ବଡ଼ ବଡ଼ ବାବୁଙ୍କର ସ୍ୱାର୍ଥ ପାଇଁ ଗ୍ରାହକଙ୍କୁ ଶୋଷଣ କରୁଛି ଆମୱେ । କମ୍ପାନୀ ଉପରେ ରେଡ କରି ଇଡି କହିଛି ଯେ, କମ୍ପାନୀ ଯେଉଁ ପ୍ରଡକ୍ଟ ବିକ୍ରି କରୁଥିଲା ତାର ଦାମ୍ ବଜାର ଦର ଠାରୁ ଅଧିକ ଥିଲା । କମ୍ପାନୀର ଉଦ୍ଦେଶ୍ୟ ଥିଲା, କେମିତି ବଡ଼ ବଡ଼ ବାବୁମାନେ ଧନୀ ହେବେ, ତାହା ଉପରେ ଗୁରୁତ୍ୱ ଦେଉଥିଲା କମ୍ପାନୀ । କିନ୍ତୁ ସେହି ପରିମାଣରେ କମ୍ପାନୀ ପ୍ରଡକ୍ଟ ଉପରେ ଧ୍ୟାନ ଦେଉନଥିଲା ।

ଜଣେ ସାଧାରଣ ଲୋକ ଆମୱେର ପ୍ରଡକ୍ଟ କିଣିଲେ, ସେଥିରେ ସାଧାରଣ ଗ୍ରାହକଟିଏ କିଛି ଲାଭବାନ ହୁଏ ନାହିଁ, ବରଂ ଅଧିକ ଲାଭବାନ ହୁଅନ୍ତି, ଡିଷ୍ଟ୍ରିବୁଟର ଓ ସିଲଭର, ପ୍ଲାଟନମ ଓ ଗୋଲ୍ଡ ଭଳି ଉପର ସ୍ତରରେ ଥିବା ବାବୁମାନେ । ମନଇଚ୍ଛା ପ୍ରଡକ୍ଟର ରେଟ୍ ବଢାଉଛି କମ୍ପାନୀ, କିନ୍ତୁ ପ୍ରଡ଼କ୍ଟ କ୍ୱାଲିଟି ବଢୁଛି କି ନାହିଁ, ତାହାର ହିସାବ ନାହିଁ । କିନ୍ତୁ ଗ୍ରାହକଙ୍କ ଟଙ୍କାର ସିଧାସଳଖ ଲାଭ ଉଠାଉଛନ୍ତି ବଡ଼ ବଡ଼ ବାବୁମାନେ । ଏହାସହ ଏହି କମ୍ପାନୀ ବିଭିନ୍ନ ପ୍ରକାର ସ୍କାମରେ ଲିପ୍ତ ରହିଛି ବୋଲି ଇଡି କହିଛି । ଆମୱେର ତାମିଲନାଡ଼ୁ ଦିନଡିଗୁଲ ଜିଳ୍ଲାରେ ଥିବା କାରଖାନା, ମେସିନ୍, ଯାନବାହାନ, ବ୍ୟାଙ୍କ ଆକାଉଣ୍ଟ ଓ ଫିକ୍ସ ଡିପୋଜିଟକୁ ଜବତ କରିଛି । ଏହାପୂର୍ବରୁ କମ୍ପାନୀ ସହିତ ଲିଙ୍କରେ ଥିବା ୩୬ଟି ବ୍ୟାଙ୍ଗ ଆକାଉଣ୍ଟରୁ ୩୪୩କୋଟି ୯୪ ଲକ୍ଷ ଟଙ୍କା ଜବତ କରିବା ସହିତ ୪୧୧ କୋଟି ୮୩ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଥିଲା । ଆଉ ଏଥିରୁ ଆପଣ ଭାବିପରୁଥିବେ ଆମୱେ ସାଧାରଣ ଲୋକଙ୍କ ଟଙ୍କାରେ କିପରି ନିଜର ସାମ୍ରାଜ୍ୟ ବଢାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *