ପୁରୀ (ଦ କୁଇଭର): ଓଡ଼ିଶାରେ ସଙ୍ଗଠନ ସୁଦୃଢ କରୁଛି ଆପ୍ । ଦିଲ୍ଲୀ, ପଞ୍ଜାବରେ ସରକାର ଗଢିବା ପରେ ଏବେ ହିମାଚଳପ୍ରଦେଶ ପ୍ରଦେଶ ଓ ଗୁଜରାଟରେ ମଧ୍ୟ ଆପ୍ ଭଲ ପ୍ରଦର୍ଶନ କଲାଣି । ଏହାକୁ ନେଇ ଆପର କର୍ମୀମାନେ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଲାଗିପଡ଼ିଛନ୍ତି । ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆପ୍ ନୂଆ ଷ୍ଟାଟେଜି ଆପଣାଇଛି । ଜନସଙ୍ଗଠନମାନଙ୍କୁ ଏକଜୁଟ୍ କରି ଆରମ୍ଭ କରିଛି ‘ମିଶନ ଓଡ଼ିଶା’ । ଲୋକମାନଙ୍କ ସହ ମିଶୁଥିବା ବା ଜନତାଙ୍କ ସେବା କରୁଥିବା ସଙ୍ଗଠନର ମୁଖିଆମାନଙ୍କୁ ଆପ୍ ନିଜ ଆଡ଼କୁ ଟାଣିଲାଣି । ଏହି ଧାରା ଆରମ୍ଭ କରିଛି ପୁରୀରୁ । ଲୋକଙ୍କ ସୁଖ ଦୁଃଖରେ ଛିଡ଼ା ହୋଇଥିବା ସଙ୍ଗଠନମାନଙ୍କୁ ଆପ୍ ଏକଜୁଟ୍ କରି ନିଜର ରଣନୀତି ପ୍ରସ୍ତୁତ କରୁଛି । ଗତକାଲି ଓଡ଼ିଶା ଆପ୍ ପ୍ରଭାରୀ ବୀରେନ୍ଦ୍ର ସିଂ ପୁରୀରେ ପହଞ୍ଚି ଲୋକମାନଙ୍କ ସହ ସିଧାସଳଖ ସମ୍ପର୍କ ରଖିଥିବା ନେତା ଓ କର୍ମୀ ଓ ସଙ୍ଗଠକମାନଙ୍କୁ ଏକଜୁଟ୍ କରି ଆଲୋଚନା କରିଥିଲେ । ସେମାନଙ୍କର ଅବଦାନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କରି ମାଧ୍ୟମରେ ଆପର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସାରା ଦେଶରେ ଧିରେ ଧିରେ ସଙ୍ଗଠନ ସୁଦୃଢ କରୁଛି ଆପ୍ । ଓଡ଼ିଶାରେ ସଙ୍ଗଠନକୁ ଗାଁ ଗାଁରେ ଘରେ ଘରେ ପହଞ୍ଚାଇବା ପାଇଁ ତୃଣମୂଳସ୍ତରର ଲୋକମାନଙ୍କ ପାଖରେ ପହଞ୍ଚୁଥିବା ନେତା ଓ କର୍ମୀଙ୍କୁ ନେଇ ଆଗକୁ ବଢୁଛି ଆପ୍ । ସମସ୍ତ ସାମାଜିକ ସଙ୍ଗଠନ ଓ ଧାର୍ମିକ ସଂଙ୍ଗଠନ, ଯେଉଁମାନେ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି, ଲେକମାନଙ୍କ ସହ ସୁଖ ଦୁଃଖର ସାଥି ହେଉଛନ୍ତି । ସେମାନଙ୍କୁ ସାଙ୍ଗରେ ନେଇ ଲୋକମାନଙ୍କ ପାଖରେ ବହଞ୍ଚିବା ପାଇଁ ପ୍ରସ୍ତୁତ କରୁଛି ଯୋଜନା ।

ଦିଲ୍ଲୀ ଓ ପଞ୍ଚାବରେ ଲୋକଙ୍କ ସାଧାରଣ ସମସ୍ୟାକୁ ନେଇ ଅନେକ ଲୋକପ୍ରିୟ ହୋଇପାରିଛି ଆପ୍ । ଲୋକମାନଙ୍କ ସାଧାରଣ ସମସ୍ୟା ଯଥା, ପାଣି, ବିଜୁଳି, ଘର ଓ ରାସନ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ସବୁବେଳେ ପ୍ରଧାନ୍ୟ ଦେଇଆସିଛି ଆପ୍ । ତେଣୁ ଓଡ଼ିଶାରେ ମଧ୍ୟ ଆପ୍ ସେହି ରଣନୀତି ଗ୍ରହଣ କରିବାକୁ ଯାଉଛି । ଆଉ ଲୋକଙ୍କ ସାଧାରଣ ସମସ୍ୟାକୁ ନେଇ ତୃଣମୂଳସ୍ତରରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଏଥିପାଇଁ ନେତା ଓ କର୍ମୀମାନେ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *