ପୁରୀ (ଦ କୁଇଭର): ଶ୍ରୀମନ୍ଦିର ସହ ଯୋଡ଼ିହେବ ଆଉ ଏକ ଇତିହାସ । ବଡ଼ ଦେଉଳ ଚାରିପଟେ ତିଆରି ହେବ ଆଉ ଏକ ମେଘନାଦ ପାଚେରୀ । ଏ ପାଚେରିକୁ ତିଆରି କରିବେ ଓଡ଼ିଶାର ଗଣତାନ୍ତ୍ରିକ ରାଜା ନବୀନ ପଟ୍ଟନାୟକ । ୧୫୦୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ରଦେବ ଏହି ମେଘନାଦ ପାଚେରୀ ତିଆରି କରିଥିଲେ, ଆଉ ୨୦୨୨ରେ ମିନି ମେଘନାଦ ପାଚେରୀ ତିଆରି କରିବାକୁ ଯାଉଛନ୍ତି ନବୀନ ସରକାର । ସେଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।

ମେଘନାଦ ପାଚେରୀ ଠାରୁ ୫୫ ମିଟର ମଧ୍ୟରେ ଏହି ‘ଗଣ ନିରୋଧ ପାଚେରୀ’ ବା ‘ମିନି ମେଘନାଦ ପାଚେରୀ’ ତିଆରି କରାଯିବ । ଶ୍ରୀମନ୍ଦିରଠାରୁ ୭୫ ମିଟର ପରିଧିକୁ ଭାଗ କରିବ ଏହି ପାଚେର । ୫୫ ମିଟର ମଧ୍ୟରେ ସମସ୍ତ ପ୍ଲାଜା ନିର୍ମାଣ କରାଯିବ ଏବଂ ଅନ୍ୟ ୨୦ ମିଟର ମଧ୍ୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସ୍ଥାନ ନିର୍ମାଣ କରାଯିବ । ଆଉ ଏହି ୫୫ ଓ ୨୦ ମିଟର ମଧ୍ୟରେ ଗୋଟିଏ ମେଘନାଦ ପାଚେରୀ ସଦୃଶ ଗଣ ନିରୋଧ ପାଚେରୀ ତିଆରି ହେବ । କୁହାଯାଉଛି ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡରେ ଦେଖିବାକୁ ମିଳିବ । ଏନେଇ ପୁରୀରେ ଆସି ପହଞ୍ଚିଛି ପ୍ରକଳ୍ପର ନମୂନା । ଯାହା ପ୍ରାୟ ୫ ଫୁଟ୍ ଉଚ୍ଚତାରୁ ଅଧିକ ହେବ ବୋଲି କୁହାଯାଉଛି ।

ଯଦିଓ ଏହା ମେଘନାଦ ପାଚେରୀ ଭଳି ଡିଜାଇନରେ ନିର୍ମାଣ କରାଯାଇଛି, କିନ୍ତୁ ଏହାକୁ ଏଯାବତ୍ ଅନୁମତି ମିଳିନାହିଁ । ଏହାର ଆବଶ୍ୟକତା କ’ଣ? କାହିଁକି ଏହାକୁ ତିଆରି କରିବାକୁ ଚାହୁଁଛନ୍ତି ସରକାର । ଯଦିଓ ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଏନଏସଜି ୭୦ ମିଟର ପୂର୍ବରୁ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଥିଲା । ତେଣୁ ଏହି ମିନି ମେଘନାଦ ପାଚେରୀ କେଉଁ କାମ ପାଇଁ ଲାଗିବ ତାହା ଏବେ ସନ୍ଦେହରେ । ଏହି ମିନି ମେଘନାଦ ପାଚେରୀକୁ ନେଇ ଏବେ ଜଗନ୍ନାଥପ୍ରେମୀଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏ ସରକାର ପ୍ରଥମେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଖୋଳିଲେ । ଯାହା ବେଆଇନ । ଯାହାଦ୍ୱାରା ଶ୍ରୀମନ୍ଦିର ଜଗମୋହନରେ ଫାଟ ଦେଖାଗଲା ବୋଲି ଅଭିଯାଗ ହେଲା । ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ମଧ୍ୟ ହେଲା । ଏଏସଆଇ ଏହାକୁ ବେଆଇନ କହିଲା । ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଏ ସରକାରଙ୍କ ଚେତା ପଶିଲା ନାହିଁ । ଶେଷରେ କାମ ବନ୍ଦ କରିବେ କ’ଣ ପୁଣି ଉତ୍ତର ଦ୍ୱାର ପଟେ ଖୋଳି କାମ ଆରମ୍ଭ କଲେଣି ସରକାର । ଆଉ ଏବେ ଭକ୍ତଙ୍କୁ ଭାବନାକୁ ବାଧା ଦେବାପାଇଁ ସୌନ୍ଦର୍ଯ୍ୟକରଣ ନାଁରେ ମିନି ମେଘନାଦ ପାଚେରୀ ତିଆରି କରିବାକୁ ଚାହୁଁଛନ୍ତି ସରକାର । ଯାହା ବର୍ତ୍ତମାନ ସୁଦ୍ଧା ଅନୁମୋଦିତ ହୋଇନାହିଁ । ଏଠାରେ ପ୍ରଶ୍ନ ଉଠୁଛି, ପ୍ରକୃତରେ ବଡ଼ ଦେଉଳକୁ କ’ଣ କରିବାକୁ ଚାହୁଁଛନ୍ତି ସରକାର?

Leave a Reply

Your email address will not be published. Required fields are marked *