Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବେଆଇନ କାର୍ଯ୍ୟକୁ ମିଳିଗଲା ସମୟ

ପୁରୀ (ଦ କୁଇଭର): ଶ୍ରୀଜଗନ୍ନାଥ ଐତିହ୍ୟ କରିଡର କାର୍ଯ୍ୟ ବନ୍ଦ ମାମଲାରେ ହାଇକୋର୍ଟରେ ଆଜି ଥିଲା ଶୁଣାଣି । ଶୁଣାଣି ହେଲା ମାତ୍ର ବେଆଇନ କାର୍ଯ୍ୟ ବନ୍ଦ ହେଲା ନାହିଁ । ସେପଟେ କାମ ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ସମୟ ଗଡାଇଲେ ଏଏସଆଇ, ଏପଟେ ଏହାର ସୁଯୋଗ ନେଇ ଜୋରସୋରରେ ଚାଲିଛି ବେଆଇନ କାର୍ଯ୍ୟ । ଯାହା ବଡ଼ ଦେଉଳ ପ୍ରତି ସୁରକ୍ଷିତ ନୁହେଁ ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଭିତରେ ଖନନ ଓ ନିର୍ମାଣ କାର୍ଯ୍ୟ ବେଆଇନ । ଏହା ଶ୍ରୀମନ୍ଦିର ପ୍ରତି ବିପଦ ଆଣିପାରେ । ଖୋଦ୍ ଏଏସଆଇ ଚିଠି ମାଧ୍ୟମରେ ଏପରି କହିବା ପରେ ପ୍ରତିକ୍ରିୟା ବଢିଲା । ଏଏସଆଇର ଏହି କଥାକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲା କୁଇଭର ନ୍ୟୁଜ୍ । ଏହାପରେ ସ୍ୱେଚ୍ଛାସେବୀ ଦିଲ୍ଲିପ ବରାଳ ହାଇକୋର୍ଟରେ ଆବେଦନ କଲେ । ଆଇକୋର୍ଟ ଏଏସଆଇକୁ ମିଳିତ ରିପୋର୍ଟ ଦେବାକୁ କହିଲେ । ଆଜି ଥିଲା ଶୁଣାଣି । କିନ୍ତୁ ଏଏସଆଇ ରିପୋର୍ଟ ଦେଲାନି । ବରଂ ଆହୁରି ସମୟ ମାଗିଲା । ବେଆଇନ କାମ ବନ୍ଦ ପାଇଁ ପ୍ରାର୍ଥନା କଲାନି । ଆବେଦନକାରୀ ବି କାମକୁ ସ୍ଥଗିତ ରଖିବା ପାଇଁ ଆବେଦନ କଲେନି ।

ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ଷଡଯନ୍ତ୍ରରେ ଏଏସଆଇ ସାମିଲ ନାହିଁ ତ? ଯଦି ଏଏସଆଇ ଏହି ନିର୍ମାଣ କାର୍ଯ୍ୟକୁ ବେଆଇନ କହୁଛି, ତେବେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କାହିଁକି ହାଇକୋର୍ଟରେ ଆବେଦନ କରୁନି? ଯଦି ପ୍ରକଳ୍ପର ସମୀକ୍ଷା ପାଇଁ ସମୟ ଦରକାର ତେବେ, ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ କାହିଁକି ବନ୍ଦ କରାଯାଉନାହିଁ? ଶ୍ରୀମନ୍ଦିର ଢାଞ୍ଚା ପ୍ରତି ବିପଦ ଥିବା ଏହି ବେଆଇନ ପ୍ରକଳ୍ପକୁ କାହିଁକି ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ କରାଯାଉନାହିଁ । ଏଏସଆଇ ହାଇକୋର୍ଟରେ ମିଳିତ ରିପୋର୍ଟ ନ ଦେବା ଯାଏଁ କାମ ସ୍ଥଗିତ କାହିଁକି କରାଯାଉନାହିଁ?

ଅନ୍ୟପଟେ ଲୋକମାନଙ୍କର ଆଶା ଥିଲା ହାଇକୋର୍ଟ ନିଜ ଆଡ଼ୁ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥାନ୍ତୋ, କିନ୍ତୁ ତାହା କଲେ ନାହିଁ । ମେ’ ୧୬ରେ ହେବ ମାମଲାର ପରବର୍ତ୍ତି ଶୁଣାଣି । ତେଣୁ ମେ ୧୬ ପର୍ଯ୍ୟନ୍ତ ଜାଣିଶୁଣି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କଲା ଭଳି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଛି ।

Exit mobile version