ପିକେଙ୍କ କାନ୍ଧରେ କଂଗ୍ରେସ ନା କଂଗ୍ରେସ ଆସନରେ ପିକେ: ଚାଲିଛି ତର୍ଜମା

ନୂଆଦିଲ୍ଲୀ (ଦ କୁଇଭର): ବିପର୍ଯ୍ୟୟରେ ଭାରତୀୟ ଜାତୀୟ କଂଗ୍ରେସ । ବେସାହାରା ଭାରତର ସବୁଠୁ ପୁରଣା ଜାତୀୟ ରାଜନୈତିକ ଦଳ । ଦିନକୁ ଦିନ ରସାତଳକୁ ଗଲାଣି କଂଗ୍ରେସ । କଂଗ୍ରେସ ପାଇଁ ଭରଷା ଥିବା ରାହୁଲ ଗାନ୍ଧୀ ତ ମୂଳରୁ ଫେଲ । ଆଉ ଏକମାତ୍ର ଭରଷା ଥିବା ପ୍ରିୟଙ୍କା ଗାନ୍ଧୀ ବି ଫେଲ୍ ମାରିଲେ । ତେଣୁ ସୋନିଆଙ୍କ ପାଖରେ ଆଉ ରାସ୍ତା ନାହିଁ । ଗାନ୍ଧୀ ବଂଶ ଆଉ କଂଗ୍ରେସକୁ ଉଠାଇପାରିବେନି ଏହା ସୋନିଆ ମଧ୍ୟ ଜାଣି ସାରିଲେଣି । ଖାଲି ସେତିକି ନୁହେଁ ଏବେ ଏଆଇସିସିର ୨୦ରୁ ୨୨ ବରିଷ୍ଠ ସଦସ୍ୟ ବି ଦାବି କଲେଣି, ଆମକୁ ବିକଳ୍ପ ନେତୃତ୍ୱ ଦରକାର । ତେବେ କାହାକୁ ନେତୃତ୍ୱ ଦେବ କଂଗ୍ରେସ? କିଏ ଧରିବ କଂଗ୍ରେସର ମଙ୍ଗ? କାହାକୁ ଭରଷା କରିବେ ସୋନିଆ? ତାକୁ ନେଇ ଏବେ ଚିନ୍ତାରେ । ସୋନିଆ ବି ଜାଣିସାରିଲେଣି କଂଗ୍ରେସର ରାଜନୈତିକ ରଣନୀତି ମଧ୍ୟ ବଦଳାଇବାକୁ ପଡ଼ିବ । ଆଉ ସେ ଚିରାଚରିତ କୋଟା ରାଜନୀତିରେ ଚାଲିପାରିବ ନାହିଁ । ତେଣୁ ଦେଶର ଅଭିଜ୍ଞ ନିର୍ବାଚୀ ରଣନୀତିକାର ପିକେ ବା ପ୍ରଶାନ୍ତ କିଶୋରଙ୍କୁ ଦଳରେ ମିଶାଇବାକୁ ଚାହୁଁଛନ୍ତି ସୋନିଆ ।

କଂଗ୍ରେସ ପକ୍ଷରୁ କୁହାଯାଉଛି, ତାଙ୍କୁ ଦଳରେ ମିଶାଯାଉ । କିନ୍ତୁ ଏଥିରେ ନୀରବ ରହିଛନ୍ତି ପିକେ । କାରଣ ପିକେ ହେଉଛନ୍ତି ନିର୍ବାଚନୀ ରଣନୀତିକାର । ରଣନୀତି ବିକ୍ରି କରି ଟଙ୍କା ରୋଜଗାର କରନ୍ତି । ତେଣୁ ଗୋଟିଏ ଦଳରେ ମିଶିଲେ, ସେଠାରେ ସେ ଦଳୀୟ ନିଯୁକ୍ତି ପାଇଯିବେ । ଆଉ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ଦେଖିଲେ, ପିକେ ସେଠାରେ ତିଷ୍ଠିବା କଷ୍ଟ ।

ପୂର୍ବରୁ ସୀତାରାମ ୟେଚୁରୀ ହୁଅନ୍ତୁ ବା ଅନ୍ୟ କେହି, ଗାନ୍ଧୀ ବଂଶ ବାହାରୁ କେହି ଆସିଲେ, ଦଳ ମଧ୍ୟରେ ଚିମୁଟାଚିମୁଟି ଆରମ୍ଭ ହୋଇଯାଏ । ରାଜେଶ ପାଇଲଟ୍ ନେତୃତ୍ୱ ନେବାକୁ ଚାହିଁଥିଲେ, କିନ୍ତୁ ସେ ବି ସବୁଦିନ ପାଇଁ ନିରବୀ ଗଲେ । ଏମିତି ଅନେକ ଉଦାହରଣ କଂଗ୍ରେସରେ ରହିଛି । କଂଗ୍ରେସରେ କବେଳ ତେଲମରା ରାଜନୀତି ଚାଲିଥିଲା, ଯାହା ଦଳକୁ ଆଜି ବୁଡ଼ାଇଦେଇଛି । ତେଣୁ ସେଠାରେ ସବୁବେଳେ ଚାଲେ ଲବି । ଆଉ ପ୍ରଶାନ୍ତ କିଶୋରଙ୍କ ରଣନୀତିରେ ଲବିର ସ୍ଥାନ ନାହିଁ । ସେଥିପାଇଁ ପିକେଙ୍କୁ ଭରଷା କରିଥିବା କଂଗ୍ରେସର ହାତ ପିକେ ଧରିବେ ନା ବାହାରୁ ସମର୍ଥନ ଦେବେ ନା ଅନ୍ୟକିଛି ଉପାୟରେ ସହଯୋଗ କରିବେ, ତାକୁ ନେଇ ଦିଲ୍ଲୀରେ ଚାଲିଛି ଘମାଘୋଟ ଆଲୋଚନା, ସମୀକ୍ଷା ଓ ବୈଠକ । ପିକେଙ୍କ କାନ୍ଧରେ କଂଗ୍ରେସ ବସିବ ନା କଂଗ୍ରେସ ଆସନରେ ପିକେ ବସିବେ । ତାହାର ଚାଲିଛି ତର୍ଜମା ।

ବିଗତ କିଛି ଦିନ ହେବ ପିକେ ନିୟମିତ ଭାବେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କୁ ଭେଟି ନିଜ ଯୋଜନା ସମ୍ପର୍କରେ ଆଲୋଚନା କରୁଛନ୍ତି । ୨୦୨୪ ନିର୍ବାଚନ ପାଇଁ ରଣନୀତି ଓ ସାଙ୍ଗଠନିକ ପୁର୍ନଃଗଠନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ପିକେ । ତେଣୁ ପିକେଙ୍କୁ କଂଗ୍ରେସର ପ୍ଲାନ୍ କ’ଣ ରହୁଛି, ତାହା ଖୁବଶୀଘ୍ର ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *