ପୁଣି ହାରିଲା ମୁମ୍ବାଇ, ଶେଷ ବଲରେ ଚୌକା ମାରି ଚେନ୍ନାଇକୁ ଜିତାଇଲେ ଧୋନି

ମୁମ୍ବାଇ(ଦ କୁଇଭର): ପୁଣି ହାରିଲା ମୁମ୍ବାଇ । ଲଗାତର ୭ଟି ମ୍ୟାଚରେ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ଆଇପିଏଲରେ ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚର ଶେଷ ବଲରେ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ମହେନ୍ଦ୍ର ସିଂ ଧୋନିଙ୍କ ଶେଷ ବଲ ଚୌକା ବଳରେ ସିଏସକେ ରୋମାଞ୍ଚକ ଭାବରେ ୩ ଓ୍ୱିକେଟରେ ବିଜୟ ଲାଭ କରିଛି । ଏହି ବିଜୟ ସହ ୭ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ହାସଲ କରିଛି । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ୭ଟି ମ୍ୟାଚରୁ ୭ଟି ମ୍ୟାଚରେ ପରାଜୟ ଲାଭ କରିଛି ।ଗତକାଲି ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ଟସ୍ ହାରି ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାକଫୁଟରେ ରହିଥିଲା । ପ୍ରଥମ ଓଭରରେ ଦୁଇ ଓ୍ୱିକେଟ ହରାଇ ମୁମ୍ବାଇକୁ ବ୍ୟାକଫୁଟକୁ ଠେଲିଦେଇଥିଲା ସିଏସକେ । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ୩୨ ଓ ତିଲକ ବର୍ମା ୫୧ ରନ ଫଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୧୫୫ ରନ କରିବାରେ ସଫଳ ହୋଇଥିଲା । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୩ଟି ଓ୍ୱିକେଟ ନେଇଥିବାବେଳେ ଡ୍ୱେନ ବ୍ରାଭୋ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ୧୫୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ଏହି ମ୍ୟାଚକୁ ଶେଷ ବଲରେ ଶେଷ କରି ବିଜୟ ଲାଭ କରିଥିଲା ।

୧୫୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ଦଳ ଆରମ୍ଭ ଓ୍ୱିକେଟ ହରାଇଥିଲା । କିନ୍ତୁ ଦଳର ପାରି ସମ୍ଭାଳିଥିଲେ ରବିନ୍ ଉଥପ୍ପା ଓ ଆମ୍ବାତି ରାଇଡୁ । ଉଥପ୍ପା ୩୦ କରି ଥିବାବେଳେ ରାଇଡୁ ୪୦ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଇନିଂସ ସମ୍ଭାଳିଥିଲେ ମହେନ୍ଦ୍ର ସିଂ ଧୋନି । ଧୋନି ଶେଷ ଓଭରର ଶେଷ ୪ଟି ବଲରେ ୧୬ ରନ କରି ଚେନ୍ନାଇକୁ ବିଜୟ ଭେଟି ଦେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୭ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ଲାଭ କରିଛି । ସେହିପରି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ପରାଜୟ ସହ ୭ଟି ମ୍ୟାଚରୁ ୭ ମ୍ୟାଚରେ ପରାଜୟ ବରଣ କରିଛି ।

Leave a Reply

Your email address will not be published. Required fields are marked *