ରାଜଧାନୀବାସୀଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ୱର (ଦ କୁଇଭର): ପୁଣି ଡରାଇଲାଣି କରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟିଲାଣି ମହାମାରୀ । ମହାମାରୀ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ରହୁଥିବା ସମସ୍ତ ୧୮ରୁ ୫୯ ବର୍ଷୀୟ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ମାଗଣାରେ ବୁଷ୍ଟର ଡୋଜ୍ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ମାଗଣାରେ ବୁଷ୍ଟର ଡୋଜ୍ ନେଇପାରିବେ।

ଦିଲ୍ଲୀ ସରକାର ଏକ ବିବୃତିରେ କହିଛନ୍ତି ଏପ୍ରିଲ ୨୧ରୁ ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ବୁଷ୍ଟର ଡୋଜ୍ ନେଇପାରିବେ। ଏଥିପାଇଁ କାହାକୁ କିଛି ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଯୋଗ୍ୟ ହିତାଧିକାରୀମାନେ ଟିକା କେନ୍ଦ୍ରକୁ ଯାଇ ମାଗଣାରେ ବୁଷ୍ଟର ଡୋଜ୍ର ଫାଇଦା ହାସଲ କରିପାରିବେ।

ଏପ୍ରିଲ ୧୦ରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୮ରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ନେବାକୁ ଅନୁମତି ଦେଇଛି। କେନ୍ଦ୍ର ସରକାର କେବଳ ଘରୋଇ ହସ୍ପିଟାଲରେ ବୁଷ୍ଟର ଡୋଜ୍ର ବ୍ୟବସ୍ଥା କରିଛନ୍ତି। ଏହାର ଅର୍ଥ ଲୋକଙ୍କୁ ଟଙ୍କା ଦେଇ ବୁଷ୍ଟର ଡୋଜ୍ ନେବାକୁ ପଡ଼ିବ।

ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ହିଁ ଜଣେ ବ୍ୟକ୍ତି/ମହିଳା ବୁଷ୍ଟର ଡୋଜ୍ ନେବାକୁ ଯୋଗ୍ୟ ବିବେଚିତ ହେବେ।

ବୁଷ୍ଟର ଡୋଜ୍ ସମ୍ପର୍କରେ ଘୋଷଣା ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଟିକାର ଦାମ ହ୍ରାସ କରାଯାଇଥିଲା। ପୂର୍ବରୁ ଘରୋଇ ହସ୍ପିଟାଲରେ ଗୋଟିଏ ଡୋଜ୍ ଟିକାର ମୂଲ୍ୟ ୬୦୦ ଟଙ୍କା ଥିବା ବେଳେ ଏବେ ଏହା ୨୨୫ ଟଙ୍କାକୁ ହ୍ରାସ ପାଇଛି। ସେହିପରି କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ସର୍ଭିସ ଚାର୍ଜ ବାବଦରେ ସର୍ବାଧିକ ୧୫୦ ଟଙ୍କା ଆଦାୟ କରିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *