Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବିଜେପି ଛାଡିବେ କି ଅପରାଜିତା ?

ଭୁବନେଶ୍ୱର (ଦ କୁଇଭର): ବିଜେପି ଛାଡିବେ କି ଅପରାଜିତା? ବିଜେପିରେ ଅଣନିଶ୍ୱାସୀ ହୋଇଗଲେଣି କି ସାଂସଦ? ଏକଥା ଆମେ କହୁନୁ, ଏକଥା ଖୋଦ୍ ସାଂସଦଙ୍କ କାର୍ଯ୍ୟକଳାପକୁ ଦେଖି ଲାଗୁଛି । କାହିଁକି ନା ବର୍ତ୍ତମାନ ଏକଘରକିଆ ହୋଇଛନ୍ତି ଅପରାଜିତା । ନା ତାଙ୍କୁ ମିଳୁଛି ରାଜ୍ୟ ବିଜେପିର ସମର୍ଥନ ନା ମିଳୁଛି କେନ୍ଦ୍ରୀୟ ନେତାଙ୍କ ସହଯୋଗ । ସବୁବେଳେ ଏକାକୀ ଆଗେଇ ଚାଲିଛନ୍ତି ଅପରାଜିତା । ଅପରାଜିତା ବର୍ତ୍ତମାନ ନିଜସ୍ୱ ସଙ୍ଗଠନ ଚଲାଇଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିବାଦ ହେଉ ବା ବିଏମସି ନିର୍ବାଚନ, ସବୁଠି ସ୍ପଷ୍ଟ ହୋଇଗଲା ଯେ, ଅପରାଜିତାଙ୍କ ସହିତ ରାଜ୍ୟ କି କେନ୍ଦ୍ର ବିଜେପି ନାହିଁ । ବିଜେପିର କୌଣସି ବି ପୁରୁଖା ନେତା ବିଏମସି ଅଞ୍ଚଳରେ ପ୍ରଚାର କଲେ ନାହିଁ । ଅପରାଜିତାଙ୍କୁ ଏକା ଛାଡ଼ି ଦେଲେ । ଆଉ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ସ୍ୱର ଉଠାଇଥିଲେ ଅପରାଜିତା । ଓଡ଼ିଶାରେ ବିଜେଡି ସରକାର ଐତିହ୍ୟ ଓ ସଂସ୍କୃତି ଉପରେ ଯେଉଁଭଳି ଭାବେ ଆକ୍ରମଣ କରୁଛି, ତାକୁ ଅବରୋଧ କରିବା ପାଇଁ ଛିଡ଼ା ହୋଇଥିଲେ ଅପରାଜିତା । ଆଉ ଏହି ବେଆଇନ ପ୍ରସଙ୍ଗକୁ ଲୋକସେଭାରେ ମଧ୍ୟ ଉଠାଇଥିଲେ । ଅବଶ୍ୟ ସଂସଦରେ ଗାଲୁ ମାରିଦେଇଥିଲେ ସାଂସଦ ପିନାକୀ ମିଶ୍ର । କିନ୍ତୁ ଲୋକେ ଜାଣିଗଲେ ଅପରାଜିତା ସଡ଼ଙ୍ଗୀ ଏହି ପ୍ରସଙ୍ଗକୁ ଠିକ୍ ଭାବେ ଉଠାଇଛନ୍ତି ।

ଖାଲି ସେତେକି ନୁହେଁ ଏଏସଆଇର ନିରବତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଉଛନ୍ତି । ଏବେ ଶ୍ରୀମନ୍ଦିର ବେଆଇନ ପ୍ରକଳ୍ପ ପାଇଁ ୨୭ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ । ଆଉ ସେ ବିଜେପି ପାର୍ଟି ତରଫରୁ ନୁହେଁ ଗୋଟିଏ ନିରପେକ୍ଷ ସଙ୍ଗଠନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଓ ପଦଯାତ୍ରା କରିବେ । ତେଣୁ ଏଥିରୁ ରାଜ୍ୟ ବିଜେପି ଓ ଅପରାଜିତାଙ୍କ ମଧ୍ୟରେ ଥିବା ଫାଟ ଜଳଜଳ ହୋଇ ଦିସୁଛି । ଏହି ଶ୍ରୀମନ୍ଦିର କରିଡର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିରବ ରହିଲେ, ଆଉ ବିଜେପି ନେତା ସମ୍ବିତ ପାତ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ସୁହାଇଲା ଭଳି କଥା କହି ଚାଲିଗଲେ । ଏବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମଧ୍ୟ ଆସି ସବିଶେଷ ମୁହଁ ଖୋଲିଲେ ନାହିଁ । ଯେତେବେଳେ ବିଜେପିର ତୃଣମୂଳ ସ୍ତରଠୁ ଆରମ୍ଭ କରି ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ, ସମସ୍ତେ ଗୋଟେ ପଟେ ଚାଲିଛନ୍ତି । ସେତେବେଳେ ଅପରାଜିତା ହିଁ ତାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି । ସେ ସାଂସଦ ପଦବୀରେ ବସିବା ପରଠାରୁ ଆଜି ପର୍ଯ୍ୟନ୍ତ ରାଜନେଅତିକ ସ୍ଥିତିକୁ ଦେଖିଲେ ନା ବିଜେପି ତାଙ୍କୁ ଆପଣାଇଛି, ନା ସେ ବିଜେପିରେ ମିଶି କାର୍ଯ୍ୟ କରିଛନ୍ତି । ସବୁବେଳେ ଏକଘରକିଆ ହୋଇ ରହିଛନ୍ତି ।

ଏହା ଭିତରେ ଆପ୍ ଓଡ଼ିଶାରେ ପ୍ରଭାବ ବିସ୍ତାର କରୁଛି । ଆପକୁ ଓଡ଼ିଶାରେ ନେତୃତ୍ୱ ଦେବାକୁ ଦରକାର ଜଣେ ପ୍ରଭାବଶାଳୀ ନେତା । ସେଥିପାଇଁ ଉପଯୁକ୍ତ ହୋଇପାରନ୍ତି ଅପରାଜିତା । ବିଜେପିରେ ସେ ଅଣନିଶ୍ୱାସୀ ହୋଇଯାଉଥିବା ବେଳେ ଏବେ ଆପ୍ ତାଙ୍କ ପାଇଁ ସୁଯୋଗ ଆଣୁଛି । ଏଭଳି ସ୍ଥିତିରେ ବିଜେପି ଛାଡ଼ିଦେବେନି ତ ଅପରାଜିତା? ଯଦି ବିଜେପି ଛାଡ଼ିବେ, ତାଙ୍କ ପାଇଁ ଆପ୍ ଦ୍ୱାର ଖୋଲିଯିବ ନି ତ? ସେ ଆପରେ ମିଶିଯିବେନି ତ? ଆପ୍ ପ୍ରତି ଶିକ୍ଷିତ ଓ ଯୁବ ସମାଜଙ୍କ ଯେଉଁଭଳି ଭାବେ ଆକର୍ଷଣ ବଢୁଛି, ଯଦି ଓଡ଼ିଶାରେ ନେତୃତ୍ୱ ନିଅନ୍ତି ଅପରାଜିତା, ତେବେ ଆପ୍କୁ ଓଡ଼ିଶାରେ ପ୍ରତିରୋଧ କଲା ଭଳି ଶକ୍ତି ନା ବିଜେଡିର ଆସିବ ନା ବିଜେପିର । ତେଣୁ ଆଗାମୀ ଦିନରେ ଅପରାଜିତା ସଡ଼ଙ୍ଗୀଙ୍କ ରଣନୀତି କ’ଣ ରହୁଛି, ତାହା ଉପରେ ସମସ୍ତଙ୍କର ନଜର ।

Exit mobile version