ଭୁବନେଶ୍ୱର (ଦ କୁଇଭର): ଓଡ଼ିଶାରେ ବିଜେପିର ଏହା କ’ଣ ଚାଲ? ସାଂସଦ ଅପରାଜିତାଙ୍କୁ ଏକଘରକିଆ କରିବା ଆଳରେ ଗୋଟି ଚଳାଉଛି କି ବିଜେପି? ସେ ଶ୍ରୀଜଗନ୍ନାଥ କରିଡର ପ୍ରକଳ୍ପ ହେଉ ବା ବିଏମସି ନିର୍ବାଚନ ବା ବସ୍ତି ଉଚ୍ଛେଦ ପ୍ରସଙ୍ଗ ହେଉ । ସବୁବେଳେ ଅପରାଜିତାଙ୍କୁ ଏକା ଛାଡ଼ିଛି ବିଜେପି । ରାଜ୍ୟ ବିଜେପିର କୌଣସି ବି ନେତା ଅପରାଜିତାଙ୍କୁ ସହଯୋଗ କରୁନାହାନ୍ତି । ଏପରିକି କୋର କମିଟିରୁ ବି ଅପରାଜିତାଙ୍କୁ ବାଦ୍ ଦିଆଗଲା । ବିଜେପିରେ ଅପରାଜିତାଙ୍କ ଗ୍ରହଣୀୟତା କମ୍ ବୋଲି ବାର୍ତ୍ତା ଦେଲା ବିଜେପି । ସେ ଏକା ଅଭିଯାନ କରୁଛନ୍ତି । ଯଦି ସେ ଦଳୀୟ ସଙ୍ଗଠନର ସହଯୋଗ ନେଉ ନାହାନ୍ତି, ଯଦି ବିଜେପି ସମର୍ଥନ ନ ପାଇ ମନମାନୀ କରୁଛନ୍ତି, ତେବେ ବିଜେପିର କେନ୍ଦ୍ରୀୟ ସଙ୍ଗଠନ ଚୁପ୍ କାହିଁକି? କେନ୍ଦ୍ରୀୟ ସଙ୍ଗଠନର ନେତା ଚୁପ୍ ରହୁଥିବା ବେଳେ ଆଗକୁ ଆଗକୁ ମାଡି ଚାଲିଛନ୍ତି ଅପରାଜିତା । ଅପରାଜିତା ଏକାକି ଲୋକମାନଙ୍କ ସମସ୍ୟାକୁ ନେଇ ସବୁବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଦିଲ୍ଲୀରେ ଗର୍ଜୁଛନ୍ତି । ଯେଉଁଠି ସରକାରଙ୍କ ବଡ଼ ବଡ଼ ଭୁଲ ରହୁଛି, ସେଠାରେ ବିଜେପିର ସାଙ୍ଗଠନିକସ୍ତରର ବଡ଼ ବଡ଼ ନେତାମାନେ ଚୁପ୍ ରହୁଥିବା ବେଳେ, ଅପରାଜିତା ମୁହଁ ଖୋଲୁଛନ୍ତି ଓ ପ୍ରତିବାଦ କରୁଛନ୍ତି ।

ଯେପରିକି ଶ୍ରୀଜଗନ୍ନାଥ କରିଡ଼ର ପ୍ରସଙ୍ଗ, ଏହି ବେଆଇନ ପ୍ରସଙ୍ଗକୁ ନେଇ ବିଜେପିର ବଡ଼ ବଡ଼ ନେତା ନୀରବ ରହିଲେ, ଓଡ଼ିିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚୁପ୍ । ଯଦିଓ ବହୁ ବିଳମ୍ବରେ ମୁହଁ ଖୋଲିଲେ, ତାହା ସରକାରଙ୍କୁ ସୁହାଇଲା ଭଳି । ଏହାସହ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଓ ପୁରୀ ସାଂସଦ ପ୍ରାଥୀ ସମ୍ବିତ୍ ପାତ୍ର ମଧ୍ୟ ଆସି ବୁଲି ଚାଲିଗଲେ । କିନ୍ତୁ ସାଂସଦ ଅପରାଜିତା ସଡ଼ଙ୍ଗୀ ଏକାକୀ ଏହାକୁ ଲୋକସଭାରେ ଉଠାଇ ବିରୋଧ କଲେ । ଆଉ ଆଗାମୀ ଦିନରେ ପୁରୀରେ ସାଧାରଣ ଲୋକଙ୍କୁ ନେଇ ଏହି ପ୍ରକଳ୍ପ ବିରୋଧରେ ପ୍ରତିବାଦ କରିବାକୁ ଅଣ୍ଟା ଭିଡିଛନ୍ତି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସଙ୍ଗ ଉପରେ ସାରା ରାଜ୍ୟର ନଜର ଅଛି । ଅପରାଜିତା ଏହି ପ୍ରସଙ୍ଗ ଧରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ରାଜ୍ୟ ସରକାରଙ୍କ ସହ ମୁକାବିଲା କରିଦେଲେ ସେ ରାଜ୍ୟବାସୀଙ୍କ ଆଦୃତି ପାଇଯିବେ । କେବଳ ସେତିକି ନୁହେଁ ଅପରାଜିତା ଏବେ ଆଉ କେବଳ ନିଜ ସଂସଦୀୟ କ୍ଷେତ୍ରରେ କାମ କରୁନାହାନ୍ତି, ସେ ଏବେ ସାରା ଓଡ଼ିଶା ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଓ ସଙ୍ଗଠନକୁ ସଦୃଢ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ବିଜେପିର ଏହା ପଛରେ ସମର୍ଥନ ନାହିଁ । ତେବେ ତାଙ୍କୁ ସିଧାସଳଖ ବିଜେପି କାହିଁକି ବାରଣ କରୁନି ।

ଅପରାଜିତାଙ୍କ ଅଭିଯାନକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି କି ବିଜେପି? ଅପରାଜିତା ଯଦି ସାରା ରାଜ୍ୟରେ ସଙ୍ଗଠନ ସୁଦୃଢ କରିଦେଲେ, ବିଜେପି ୨୦୨୪ ନିର୍ବାଚନ ବେଳକୁ ଅପରାଜିତାଙ୍କୁ ମୁକୁଟ ପିନ୍ଧାଇ ବିଜେଡି ସହ ଯୁଦ୍ଧ କରିବ କି? ଅପରାଜିତାଙ୍କ ପ୍ରତି ବଢୁଥିବା ଜନସମର୍ଥନକୁ ନେଇ ବାରଣ ନ କରିବା ପଛରେ ରହିଛି କି ୨୦୨୪ ଚାଲ୍? ବିଜେପି ରାଜ୍ୟ ସଙ୍ଗଠନ ବିଜେଡି ସହ ସାଲିସ କରିବ, ଅପରାଜିତା ଏକା ଚାଲିବେ । ବିଜେଡି ଅପରାଜିତାଙ୍କୁ ଗୁରୁତ୍ୱ ଦେବନି, ଆଉ ସାଂସଦ ସାରା ରାଜ୍ୟରେ ଜାଲ ବିଛାଇ ଦେବେ । ପରେ ବିଜେଡିରେ ଆରମ୍ଭ ହେବ ଅଧୋପତ୍ତନ । ୨୦୨୪ ନିର୍ବାଚନ ପାଇଁ ବିଜେଡି ବିରୋଧରେ ବିଜେପି ଏପରି ଏକ ଗୁପ୍ତ ଚାଲ୍ ପ୍ରସ୍ତୁତ କରୁଛି । ଯେଉଁଥିପାଇଁ ବିଜେପି ଖେଳୁଛି ଦୋମୁହାଁ ନୀତି ।

Leave a Reply

Your email address will not be published. Required fields are marked *