୨୭ ତାରିଖ ଆନ୍ଦୋଳନକୁ ଡରୁଛନ୍ତି ସରକାର

ପୁରୀ (ଦ କୁଇଭର): ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ବିରୋଧୀ ଆନ୍ଦୋଳନକୁ ଡରୁଛନ୍ତି ସରକାର । ତାହାକୁ ଭଣ୍ଡୁର କରିବା ପାଇଁ ଲଗାଇଛନ୍ତି କୌଶଳ । ସରକାରୀ ଦଳ ବି ଲାଗିଛି । ସରକାରଙ୍କ ବିରୋଧରେ ଗଣଆନ୍ଦୋଳନକୁ ଏବେ ଭଣ୍ଡୁର କରିବା ପାଇଁ ଲାଗିଛି ପୁଲିସ । ଗୁଇନ୍ଦାଗିରି ନାମରେ ସମ୍ଭାବ୍ୟ ଆନ୍ଦୋଳନକାରୀଙ୍କୁ ଧମକ ଦେଲାଣି । ପୁରୀରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ । ନିଜ ନାମ ଗୋପନ କରିଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତେବେ ଏହା ଗଣତନ୍ତ୍ର ପାଇଁ ମାରାତ୍ମକ ।

ସରକାରଙ୍କ ବେଆଇନକୁ ବିରୋଧ କଲେ ପଛରେ ଲାଗି ଯାଉଛି ଖାକି ବା ପୁଲିସ । ତାଗିଦ, ଧମକ ଆଉ ଶେଷରେ ଘରୁ ଉଠାଇ ନେବାକୁ ମିଳୁଛି ଚେତାବନୀ । ଏପରି ଘଟଣା ଏବେ ପୁରୀ ଶ୍ରୀମନ୍ଦିର କରିଡର ବିରୋଧୀଙ୍କ କ୍ଷେତ୍ରରେ ଦେଖାଯାଉଛି । ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଚାଲିଛି ବେଆଇନ କାର୍ଯ୍ୟ । ଏହି ବେଆଇନ କାର୍ଯ୍ୟ କରୁଛନ୍ତି ଖୋଦ ରାଜ୍ୟ ସରକାର । ଏହା ବିରୋଧରେ ଜନଆକ୍ରୋଶ ବଢ଼ୁଛି । ଜନଗଣ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ।

ଆସନ୍ତା ୨୭ ତାରିଖ ହେବ ଆନ୍ଦୋଳନ । ଏକଜୁଟ ହେବେ ସରକାରଙ୍କ ବିରୋଧୀ । ଶ୍ରୀମନ୍ଦିର କରିଡର ବିରୋଧରେ ଏକଜୁଟ ହେଉଥିବା ଲୋକଙ୍କୁ ଏବେ ଠାରୁ ହତୋତ୍ସାହ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ରାଜନୈତିକ ସ୍ତରରେ ବିଜେଡି ସମର୍ଥକମାନେ ଆନ୍ଦୋଳନକାରୀଙ୍କୁ ପଇସାଖିଆ ଓ ବିକାଶ ବିରୋଧୀ ବୋଲି କହୁଛନ୍ତି । କେବଳ ରାଜନୈତିକ ସ୍ତରରେ ନୁହେଁ, ଖାକିକୁ ବି ଲଗାଇଛନ୍ତି ସରକାର । ଦୁଇଦିନ ଧରି ସମ୍ଭାବ୍ୟ ଆନ୍ଦୋଳନକାରୀଙ୍କୁ ଆସୁଛି ଫୋନ୍ । ଡିଆଇବିରୁ ଫୋନ ଆସୁଥିବା କହି ତାଙ୍କର ସମସ୍ତ ତଥ୍ୟ ନିଆଯାଉଛି ।
ତୁମ ନାମ……?
ତୁମେ ଶ୍ରୀମନ୍ଦିର କରିଡର କାମକୁ ବିରୋଧ କରୁଛ?

ଆନ୍ଦୋଳନର ସାମିଲ ହେବ?
ତୁମ ନାମର ଅପରାଧ ମାମଲା ନାହିଁ ତ?

ତୁମେ କୌଣସି ଅପରାଧ ସହ ସାମିଲ ନୁହେଁ ତ?
ଏମିତି ପ୍ରଶ୍ନ ଏବେ ଆନ୍ଦୋଳନକାରୀଙ୍କୁ ଚିନ୍ତାର ପକାଇଛି । ଠିକ ୧ମାସ ପୂର୍ବେ ପୁରୀର କିଛି ପୁରୁଖା ଯୁବକ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ । ଆଖଣ୍ଡଳମଣୀ ମନ୍ଦିରରେ ସଭା କରିବାକୁ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ସଭା କଥା ପଡ଼ିବା ପରେ କୁମ୍ଭାରପଡ଼ା ପୁଲିସ ଠାରୁ ଡିଆଇବି ତତ୍ପର ହୋଇପଡ଼ିଥିଲେ । ଆସିଥିଲା ଧମକ । ଶେଷରେ ସଭା ପାଇଁ ଅନୁମତି ମିଳିଲାନି । ଓଲଟି ଆୟୋଜକଙ୍କ ଜମିବାଡ଼ି ଖଜଣା ତ୍ରୁଟିକୁ ନେଇ ଦିଆଗଲା ଧମକ । ଅନ୍ୟପଟେ ୨୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ବଂଚାଓ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ । ସରକାରଙ୍କର ଏହି ବେଆଇନ କାମ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ହଜାର ହଜାର ଜଗନ୍ନାଥପ୍ରେମୀ । ଆଉ ଏହାକୁ ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥ ସେନା ସମର୍ଥନ କରିବ ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ଶ୍ରୀମନ୍ଦିର ଐତିହ୍ୟ କରିଡର ଯଦି ଠିକ, ତେବେ ସରକାର ଓ ସରକାରୀ ଦଳର ଏତେ ଡର କାହିଁକି? କାହିଁକି ସରକାରୀ ଦଳ ନିନ୍ଦା କରୁଛି? କାହିଁକି ଖାକି ଗର୍ଜିବା ଆରମ୍ଭ କରିଛି? ଏସବୁ ପ୍ରଶ୍ନ ଘୁରି ବୁଲୁଥିବା ବେଳେ ୨୭ ତାରିଖ ଆନ୍ଦୋଳନକୁ ସରକାର ଡରୁଥିବା ସ୍ପଷ୍ଟ ହେଉଛି ।

Leave a Reply

Your email address will not be published. Required fields are marked *