ହନୁମାନ ଚାଳିଷା ପାଠକୁ ନେଇ କାହିଁକି ଏତେ ବିବାଦ ?

(ଦ କୁଇଭର ବ୍ୟୁରୋ): ମହାରାଷ୍ଟ୍ରରେ ଉଗ୍ର ହେଉଛି ଲାଉଡସ୍ପିକର ବିବାଦ । ହନୁମାନ ଚାଳିଷାକୁ ନେଇ ମୁହାଁମୁହିଁ ଶାସକ-ବିରୋଧି । ଆଜମ ଓ ହନୁମାନ ଚାଳିଷା ପାଠକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ । ଶନିବାର ହନୁମାନ ଚାଳିଷା ପଢିବାକୁ ଜିଦ୍ଦି କରି ଗିରଫ ହୋଇଥିବା ନବନୀତ ଓ ରବି ରାଣା ଏବେ ୧୪ ଦିନ ପାଇଁ ପୋଲିସ ହେପାଜତକୁ ଯାଇଛନ୍ତି । କୋର୍ଟ ଉଭୟଙ୍କୁ ମେ ୬ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି ।

ଘଟଣା ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଲିଷା ପାଠ କରିବାକୁ ଜିଦି ଧରିଥିଲେ ସାଂସଦ ନବନୀତ ରାଣା। ଏଥିପାଇଁ ସେ ଶନିବାର ସକାଳ ୯ଟା ସମୟ ଦେଇଥିଲେ । ହେଲେ ଏହାକୁ ନେଇ ଶିବସେନା କାର୍ଯ୍ୟକର୍ତ୍ତାମାନେ ଖାର ସ୍ଥିତ ନବନୀତଙ୍କ ବାସଭବନ ଆଗରେ ଜମା ହୋଇଯାଇଥିଲେ । ଏହାପରେ ନବନୀତ ଘରୁ ବାହାରି ପାରି ନଥିଲେ । ପରେ ସନ୍ଧ୍ୟାବେଳେ ମୁମ୍ବାଇ ପୋଲିସ ନବନୀତା ଓ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଗିରଫ କରିଥିଲା । ଆଉ ତା ପରେ ଆରମ୍ଭ ହୋଇଗଲା ରାଜନୀତି । ମହାରାଷ୍ଟ୍ରରେ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ । ଚାଲିଲା ଆରୋପ ପ୍ରତ୍ୟାରୋପର ରାଜନୀତି ।

ତେବେ ପ୍ରଶ୍ନ ଉଠୁଛି, ଗୋଟିଏ ଦେଶରେ ଏପରି ବିବାଦ କାହିଁକି? ଦେଶ ଗୋଟିଏ ହେଲେ ଦୁଇ ଧର୍ମ ମଧ୍ୟରେ ଶତ୍ରୁତା କାହିଁକି? ଧର୍ମନିରପେକ୍ଷତା ରାଷ୍ଟ୍ରରେ ଏପରି ବିବାଦ କାହିଁକି? ହନୁମାନ ଚାଲିଷା ପାଠକୁ ନେଇ କାହିଁକି ଏତେ ବିବାଦ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି । ଏହି ବିବାଦ ଏବେ ମହାରାଷ୍ଟ୍ରରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଅନ୍ୟପଟେ ଶିବସେନା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଉତ ଅମରାବତୀର ଲୋକସଭା ସଦସ୍ୟ ନବନୀତ ରାଣାଙ୍କୁ ଦ୍ୱିତୀୟ ଥର ନିର୍ବାଚନ ଜିତିବାକୁ ନେଇ ଚ୍ୟାଲେଞ୍ଜ ଦେବା ସହ ରାଣା ଦମ୍ପତ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଯିଏ ବି ତାଙ୍କ ଦଳର ଧୈର୍ଯ୍ୟ ପରୀକ୍ଷା କରିବ, ମାତୋଶ୍ରୀ ସହ ଖେଳିବାକୁ ଚେଷ୍ଟା କରିବ ତାକୁ ୨୦ ଫଉଟ୍ ତଳେ ପୋତିଦିଆଯିବ ବୋଲି ସଞ୍ଜୟ ରାଉତ ଧମକ ଦେଇଛନ୍ତି ।

ଅନ୍ୟପଟେ ନବନୀତ କହିଛନ୍ତି, ତାଙ୍କୁ ହତ୍ୟା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି । ସେ ତାଙ୍କ ଜାମିନ୍ ପାଇଁ କୌଣସି ଆବେଦନ କରିବେ ନାହିଁ । ତାଙ୍କ ବିରୋଧରେ ମିଛ ଆରୋପ ଲଗାଯାଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ବିନା କୌଣସି ନୋଟିସରେ ନବନୀତଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ଓକିଲ କହିଛନ୍ତି । ତାଙ୍କ କହିବା ମୁତାବକ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା, ତେଣୁ ସେ ଘରୁ ବାହାରକୁ ବାହାରି ନଥିଲେ । ଏହାସତ୍ତେ୍ୱ ବି ନବନୀତଙ୍କୁ ଗିରଫ କରାଯାଇଛି । ଏହାସହ ସେ କହିଛନ୍ତି ନବନୀତ ପ୍ରତିବର୍ଷ ହନୁମାନ ଜୟନ୍ତୀ ଅବସରରେ ପେଣ୍ଡାଲ ଲଗାନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି । ହେଲେ ଚଳିତ ଥର ତାଙ୍କୁ କାହିଁକି ଗିରଫ କରାଯାଇଛି । ଏହା ପଛରେ କୌଣସି ରାଜନୈତିକ ଚାଲ୍ ନାହିଁ ତ?

Leave a Reply

Your email address will not be published. Required fields are marked *