ଅନ୍ଧାରରେ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ

(ଦ କୁଇଭର ବ୍ୟୁରୋ): ଟ୍ୱିଟର ପାଇଲା ନୂଆ ମାଲିକ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ହାତକୁ ଗଲା ଟ୍ୱିଟର । ମାଲିକ ପରିବର୍ତ୍ତନ ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ଅନ୍ଧାରରେ । ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲ ରହିବେ ନା ବିଦା ହେବେ ତାକୁ ନେଇ ଏବେ ଦେଖାଦେଇଛି ଅନିଶ୍ଚିତତା । ଏପରିକି ମସ୍କ ପରାଗଙ୍କୁ ଟ୍ୱିଟରରୁ ବାହାରର ରାସ୍ତା ଦେଖାଇବେ ବୋଲି ଚର୍ଚ୍ଚା ହେଉଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଟ୍ୱିଟର ଯଦି ଏହାର ସିଇଓ ପରାଗ ଅଗ୍ରୱାଲଙ୍କୁ ବାହାର ରାସ୍ତା ଦେଖାଏ, ତେବେ ଏଥିନିମନ୍ତେ ପରାଗଙ୍କୁ ମୋଟା ଅଙ୍କର ଅର୍ଥ ରାଶି ଗଣିବ ଟ୍ୱିଟର । ଯାହା କୁହାଯାଉଛି, ପରାଗଙ୍କୁ ୪.୨ କୋଟି ଡଲାର ଅର୍ଥାତ୍ ୩୨୧.୬ କୋଟି ମିଳିବ । ପରାଗ ଅଗ୍ରୱାଲଙ୍କ ବେସ୍ ସାଲାରି ଓ ଇକ୍ୱିଟି ଆୱାର୍ଡ ଅଧାରରେ ଏପରି ଆକଳନ କରାଯାଇଛି । ଟ୍ୱିଟର ବିକ୍ରି ହେବାର ବର୍ଷକ ମଧ୍ୟରେ ପରାଗଙ୍କୁ ବାହାର କରାଗଲେ ତାଙ୍କୁ ଏହି ଅର୍ଥରାଶି ମିଳିବ ବୋଲି ଆକଳନ କରାଯାଉଛି ।

ଚଳିତ ମାସ ଆରମ୍ଭରୁ ଟ୍ୱିଟରକୁ କିଣିବା ନିମନ୍ତେ ପ୍ରୟାସ ଜାରି ରଖିଥିବା ଏଲନ ମସ୍କ ଶେଷରେ ନିଜ ଲକ୍ଷ୍ୟ ପୂରଣ କରିପାରିଛନ୍ତି । ପ୍ରଥମେ କମ୍ପାନୀର ୯.୨ ପ୍ରତିଶତ ଷ୍ଟେକ କିଣିଥିବା ମସ୍କ ଏବେ କମ୍ପାନୀର ଶତ ପ୍ରତିଶତ ମାଲିକ । ଗତ କିଛି ଦିନ ହେବ ଟ୍ୱିଟରର ପଲିସି ଉପରେ ପ୍ରଶ୍ନ ଉଠାଉଛନ୍ତି ମସ୍କ । ଟ୍ୱିଟରର ମ୍ୟାନେଜମେଣ୍ଟ ଉପରେ ତାଙ୍କର ଭରସା ନ ଥିବା କିଛି ଦିନ ପୂର୍ବେ କହିଥିଲେ ମସ୍କ । ତେଣୁ କମ୍ପାନୀ ଏବେ ସମ୍ପୂର୍ଣ୍ଣ ଭାବେ ମସ୍କଙ୍କ ହାତକୁ ଚାଲିଯିବା ପରେ ପରାଗଙ୍କ ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ ।

ପରାଗ ଗତବର୍ଷ ନଭେମ୍ବରରେ ଟ୍ୱିଟରର ସିଇଓ ପଦ ସମ୍ଭାଳିଥିଲେ । ଟ୍ୱିଟର ପ୍ରକ୍ସି ଅନୁଯାୟୀ, ୨୦୨୧ ନିମନ୍ତେ ପରାଗଙ୍କର ସମୁଦାୟ କମ୍ପନସେସନ ୩.୦୪ କୋଟି ଡଲାର ଥିଲା, ଯେଉଁଥିରୁ ଅଧିକାଂଶ ଷ୍ଟକ ଆୱାର୍ଡ ରୂପେ ମିଳିଥିଲା । ତେବେ ମାଲିକ ପରିବର୍ତ୍ତନ ପରେ ଟ୍ୱିଟରର ସିଇଓ ପଦବୀରେ ପରାଗ ଅଗ୍ରୱାଲ ରହୁଛନ୍ତି ନା ବିଦା ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *