Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଟ୍ୱିଟରର ନୂଆ ବସ୍ ହେଲେ ଏଲନ ମସ୍କ

(ଦ କୁଇଭର): ଟ୍ୱିଟରର ନୂଆ ମାଲିକ ହେଲେ ଟେସଲା ସିଇଓ ଏଲନ ମସ୍କ | ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ଏଲନ ମସ୍କ ଟ୍ୱିଟରକୁ ସେୟାର ପିଛା ୫୪.୨୦ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ, ଯାହାକୁ ସୋମବାର ବିଳମ୍ବିତ ରାତିରେ ଟ୍ୱିଟର ବୋର୍ଡ ଗ୍ରହଣ କରିନେଇଛି | ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାର ଦେଇ କମ୍ପାନିକୁ କିଣିଛନ୍ତି |

ଟ୍ବିଟରକୁ କିଣିବା ଲାଗି ଏଲନ ମସ୍କ ପ୍ରଥମେ ପ୍ରସ୍ତାବ ଦେବା ପରେ ତାହାକୁ ଟ୍ବିଟର୍‌ର ପରିଚାଳନା କର୍ତ୍ତୃପକ୍ଷ ବିରୋଧ କରିଥିଲେ। ତାହାକୁ ବଳପୂର୍ବକ ଅଧିଗ୍ରହଣ ବୋଲି କହିବା ସହ ଦରକାର ପଡ଼ିଲେ ଏହି ଅଧିଗ୍ରହଣକୁ ରୋକିବା ଲାଗି ‘ପଏଜନ୍ ପିଲ୍‌’ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ। ପରେ ମସ୍କ କ୍ରୟ ପରିମାଣକୁ ୪୬.୫ ବିଲିୟନ ଡ଼ଲାରକୁ ବୃଦ୍ଧି କରିଥିଲେ । ଯାହା ଫଳରେ ମସ୍କ ଟ୍ୱିଟର କିଣିବାକୁ ସକ୍ଷମ ହୋଇଛନ୍ତି ।

ଟ୍ୱିଟ୍‌ର କିଣିବା ପରେ ଏଲନ ମସ୍କ ଫ୍ରିଡମ ଅଫ୍‌ ସ୍ପିଚ୍‌ (ବାକ୍‌ ସ୍ୱାଧୀନତା) ଉପରେ କାର୍ଯ୍ୟ କରିବେ । ବାକ୍‌ ସ୍ୱାଧୀନତାର ସେ ଜଣେ ଦୃଢ଼ ସମର୍ଥକ ବୋଲି ମସ୍କ କହି ଆସୁଥିଲେ । ଟ୍ୱିଟ୍‌ର କିଣିବା ପଛରେ ତାଙ୍କର ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

Exit mobile version