ଲଗାମ ଛାଡି଼ଲେନି ସୋନିଆ, ମନା କରିଦେଲେ ପ୍ରଶାନ୍ତ

ନୂଆଦିଳ୍ଲୀ (ଦ କୁଇଭର): କଂଗ୍ରେସ ଓ ପ୍ରଶାନ୍ତ କିଶୋରଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଦଳରେ ମିଶିବାକୁ କଂଗ୍ରେସ ଦେଇଥିବା ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ସିଧାସଳଖ ମନା କରିଦେଇଛନ୍ତି । ଏହାର ଅର୍ଥ କଂଗ୍ରେସ ପାଇଁ ଆଉ ଚାଣକ୍ୟ ସାଜିବେନି କି ରଣନୀତି ପ୍ରସ୍ତୁତ କରିବେନି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ରସାତଳରେ ଥିବା କଂଗ୍ରେସକୁ ପୁନଃରୁଦ୍ଧାର ପାଇଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରୁଥିଲେ ଏବଂ ଏହାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ମଧ୍ୟ କରିଥିଲେ । ହେଲେ ଲଗାମ ଛାଡ଼ିଲେନି ସୋନିଆ, ଶେଷରେ ମନା କରିଦେଲେ ପ୍ରଶାନ୍ତ । ପ୍ରଶାନ୍ତ କିଶୋର କଂଗ୍ରେସ ମିଶିବା ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଥିଲା । ଦିଲ୍ଲୀ କଂଗ୍ରେସ ଭବନରେ ପ୍ରଶାନ୍ତ କିଶୋରଙ୍କୁ ନେଇ ବଡ଼ ବଡ଼ କଂଗ୍ରେସ ନେତାଙ୍କ ଘନ ଘନ ବୈଠକ ଚାଲୁଥିଲା । ହେଲେ ଶେଷରେ ସବୁ ଅନୁମାନ ପୂର୍ବାନୁମାନର ବିରାମ ଘଟିଛି । କଂଗ୍ରେସରେ ମିଶିବାକୁ ସିଧାସଳଖ ମନା କରିଦେଇଛନ୍ତି ପ୍ରଶାନ୍ତ କିଶୋର ।

ବର୍ତ୍ତମାନ ଚିନ୍ତାର ବିଷୟ କଂଗ୍ରେସର ଭେଳା ସମ୍ଭାଳିବ କିଏ? ବିପର୍ଯ୍ୟୟରୁ କଂଗ୍ରେସକୁ ଉଦ୍ଧାର କରିବ କିଏ? ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ ଏବେ ସଜ୍ୟାସାୟୀ ଅବସ୍ଥାରେ ପଡ଼ିଛି । ଏହାକୁ ପୁନଃରୁଦ୍ଧାର ପାଇଁ ଏକମାତ୍ର ସାହାରା ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । କିନ୍ତୁ ଶେସରେ ସେ ମଧ୍ୟ ହାତ ଛାଡ଼ିଦେଲେ । ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରି କଂଗ୍ରେସ ସ୍ୱତନ୍ତ୍ର ଟାସ୍କଫୋର୍ସର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲା । ଏହି ଗୋଷ୍ଠୀ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ସମ୍ମୁଖୀନ ହେଉଥିବା ରାଜନୈତିକ ଚ୍ୟାଲେଞ୍ଜର ମୁକାବିଲା କରିଥାଆନ୍ତା । ହେଲେ ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ମନା କରିଦେଇଛନ୍ତି ।

ସେପଟେ ଦଳକୁ ସଶକ୍ତ କରିବା ପାଇଁ ପ୍ରଶାନ୍ତ କିଶୋର ମୁକ୍ତ ଭାବେ କାମ କରିବାକୁ ଚାହୁଁଥିଲେ । ହେଲେ କଂଗ୍ରେସ ତାଙ୍କୁ ମୁକ୍ତ କାମ ଭାବେ କାମ କରିବାର ସୁଯୋଗ ନ ଦେବାରୁ ସେ ଦଳରେ ସାମିଲ ହେବେ ନାହିଁ ବୋଲି କହିଥିବା ଜଣାପଡ଼ିଛି । କାରଣ କଂଗ୍ରେସରେ ଗାନ୍ଧୀ ବଂଶ ଛଡ଼ା ଆଉ କାହା ହାତରେ ଶାସନ କ୍ଷମତା ରହି ପାରିବ ନାହିଁ । ଯେଉଁଥିପାଇଁ କଂଗ୍ରେସର ସ୍ଥିତି ଆଜି ଏମିତି ବୋଲି କୁହାଯାଉଛି । ଆଉ ପ୍ରଶାନ୍ତ କିଶୋର ମଧ୍ୟ ଜାଣିଥିଲେ କଂଗ୍ରେସର ସର୍ବୋଚ୍ଚ କ୍ଷମତା ଗାନ୍ଧୀ ବଂଶ ହାତ ମୁଠାରେ ଥିବା ପର୍ଯ୍ୟନ୍ତ ସେ ଏଠାରେ ଶାନ୍ତିରେ କାମ କରିପାରିବେ ନାହିଁ । ତେଣୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିବା ପରେ କଂଗ୍ରେସ ପୁନଃରୁଦ୍ଧାର ଆଶା ସମ୍ପୂର୍ଣ୍ଣ ଲିଭି ଯାଇଛି ।

Leave a Reply

Your email address will not be published. Required fields are marked *