ପୁରୀ(ଦ କୁଇଭର): ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିରୋଧରେ ୨୭ରେ ଦିଆଯାଇଥିଲା ଜନଆନ୍ଦୋଳନ ଡାକରା । ଯାହାର ନେତୃତ୍ୱ ନେଇଥାନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ । ଏହି ପ୍ରଚାର ସବୁଠି ହୋଇସାରିଥିଲା । ଏଥିପାଇଁ ଅପରାଜିତା ବି ପ୍ରସ୍ତୁତ ଥିଲେ, ତାଙ୍କ ସମର୍ଥକମାନେ ବି । ହେଲେ ଏହି ଜନଆନ୍ଦୋଳନ ବା ପଦଯାତ୍ରାକୁ ଭଣ୍ଡୁର କରିବାକୁ ଲାଗିଲେ ସରକାର ଓ ସରକାରୀ କଳ । ଏପରିକି ଏହି ପଦଯାତ୍ରାକୁ ବିରୋଧ କରିବା ପାଇଁ ସରକାରୀ ଦଳ ବିଜେଡିର ଏକ ଗୋଷ୍ଠି ସମାନ ଭାବରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଲେ । ସେପଟେ ଅପରାଜିତାଙ୍କୁ ପଦଯାତ୍ରା ପାଇଁ ଅନୁମତି ଦେଉନାହିଁ ପ୍ରଶାସନ । ଓଲଟା ପ୍ରଶାସନିକ ଅଧିକାରୀମାନେ ଅପରାଜିତାଙ୍କୁ ମନେଇବାକୁ ଚାହିଁଲେ ଓ କହିଲେ ଆପଣ ଆସନ୍ତୁ ନାହିଁ, ଆମେ ଆପଣଙ୍କୁ ଅନୁମତି ଦେଇପାରିବୁ ନାହିଁ । ଗଣତାନ୍ତ୍ରିକ ପଦ୍ଧତିରେ ଜନଆନ୍ଦୋଳନ କରିବାକୁ ଚାହୁଁଥିବା ଜଣେ ଜନପ୍ରତିନିଧିଙ୍କୁ ପଦଯାତ୍ରା ପାଇଁ ପ୍ରଶାସନର ଅନୁମତି ମିଳିଲା ନାହିଁ । ଶେଷରେ ସ୍ଥଗିତ ରହିଲା କରିଡର ପ୍ରକଳ୍ପ ବିରୋଧୀ ପଦଯାତ୍ରା ।

ସେପଟେ କିନ୍ତୁ ଅପରାଜିତା ସଡଙ୍ଗୀ ନଛୋଡ଼ବନ୍ଧା । କହିଲେ ମୁଁ ଯିବି । ଆନ୍ଦୋଳନ ପାଇଁ ଅନୁମତି ନ ମିଳିଲେ ବି ବଡ଼ ଦାଣ୍ଡରେ ଚାଲି ଚାଲି ମହାପ୍ରଭୁଙ୍କୁ ଦର୍ଶନ କରି ସବୁକଥା କହିବି । ଯାହାକୁ ନେଇ ଏବେ ଅଡୁଆରେ ପଡ଼ିଯାଇଛି ପ୍ରଶାସନ ଓ ରାଜ୍ୟ ସରକାର । ଏକଥା ଆମେ ନୁହେଁ, ରାଜ୍ୟ ସରକାରଙ୍କ ଗୁଇନ୍ଦା ବି କହିସାରିଛି । ସେଥିପାଇଁ ସମସ୍ତେ ବ୍ୟତିବ୍ରସ୍ତ । ସାଂସଦ ଦର୍ଶନ ପାଇଁ ଆସିଲେ ତାଙ୍କୁ ରୋକିପାରିବେ ନାହିଁ । ତେବେ ପ୍ରଶ୍ନ ହେଉଛି ଅପରାଜିତାଙ୍କୁ ସରକାରଙ୍କ ଏତେ ଡର କାହିଁକି? ପଦଯାତ୍ରା କରିବାକୁ କାହିଁକି ଅନୁମତି ଦେଉନି ପ୍ରଶାସନ? ସାଂସଦଙ୍କ ପଦଯାତ୍ରାକୁ କାହିଁକି ଭଣ୍ଡୁର କରିବାକୁ ଚାହୁଁଛନ୍ତି ସରକାର? ଅପରାଜିତା ବଡ଼ ଦାଣ୍ଡରେ ପଦଯାତ୍ରା କଲେ ସରକାରଙ୍କ କିଛି ରହସ୍ୟ ଖୋଲିଯିବ କି? ଗୋଟେ ଦିନ ବିଳମ୍ବରେ ପଦଯାତ୍ରା କରିବାକୁ କାହିଁକି କହୁଛି ପ୍ରଶାସନ? ସାଂସଦଙ୍କୁ ଅଟକାଇବା ପଛରେ କ’ଣ ରହିଛି ରହସ୍ୟ? କାହିଁକି ଅପରାଜିତାଙ୍କ ଉପରେ ପଡ଼ୁଛି ପ୍ରଶାସନିକ ସ୍ତରରେ ଚାପ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହେଲାଣି ।

ଯଦି ସାଂସଦ ରାଜରାସ୍ତାକୁ ଓହ୍ଲାଇବେ, ଆଉ ତାଙ୍କ ସମର୍ଥକମାନେ ଯଦି ଏକଜୁଟ୍ ହୋଇଯିବେ, ତେବେ ଆନ୍ତାକାଲି ପରିସ୍ଥିତି ବିଷମ ହୋଇପାରେ । ଆସନ୍ତାକାଲି ଏହି ପ୍ରକଳ୍ପ ବିରୋଧର ଓ ସମର୍ଥକମାନେ ଯଦି ସାମ୍ନାସାମ୍ନି ହୁଅନ୍ତି, ତେବେ ଏହା ରାଜନୈତିକ ହିଂସାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ୨୭ରେ ପଦଯାତ୍ରାର ଡାକରା ବହୁ ପୂର୍ବରୁ ଅପରାଜିତାଙ୍କ ସମର୍ଥକମାନେ ଦେଇସାରିଥିଲେ, କିନ୍ତୁ ହଠାତ୍ ଏହାକୁ ରୋକିବାକୁ ବିଜେଡି ସମର୍ଥକମାନେ ଏକଜୁଟ୍ ହେବାର ଅର୍ଥ କ’ଣ? ଏଭଳି ଅନିଶ୍ଚିତତା ମଧ୍ୟରେ ଆସନ୍ତାକାଲି କ’ଣ ହେଉଛି, ତାକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *