ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ (ଦ କୁଇଭର): ବୈଶାଖ କୃଷ୍ଣ ଦ୍ୱାଦଶ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦୀର୍ଘଦିନର ବ୍ୟବଧାନ ପରେ ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପ୍ରଥମେ ଶ୍ରୀବିଗ୍ରହମାନଙ୍କର ଅଧର ପୋଛା ପରେ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରାଯିବ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଯାଇଛି ଏବଂ ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ ୪ ଟାରୁ ରାତି ୮ଟା ପର୍ୟ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ।

ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ମହାପ୍ରଭୁଙ୍କ ମୁଖ ମଣ୍ଡଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଇଥାଏ । ଦ୍ୱିତୀୟ ଭୋଗମଣ୍ଡପ ପରେ ଆପାତତଃ ଅପରାହ୍ନ ଘ.୪.୦୦ ଟାରୁ ରାତ୍ର ଘ.୮.୦୦ ଟା ପର୍ୟ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *