ସରକାର ସତମାର୍ଗରେ ନାହାନ୍ତି, କିଛି ଲୁଚାଇବାକୁ ଚାହୁଁଛନ୍ତି: ଅପରାଜିତା

ପୁରୀ (ଦ କୁଇଭର): ଆଜି ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅପରାଜିତା ସଡ଼ଙ୍ଗୀ । କହିଛନ୍ତି, ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ଅବରୋଧ କରାଯାଇଛି । ଅବରୋଧ ପାଇଁ ସରକାରୀ ଅଧିକାରୀଙ୍କୁ ଦୋଷ ଦେବିନି । ସମସ୍ତ ଅଧିକାରୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତି । ରାଜ୍ୟ ସରକାର ସତମାର୍ଗରେ ରହିବା ଶିଖନ୍ତୁ ବୋଲି କହିଛନ୍ତି ଅପରାଜିତା । ଯଦି ଠିକ୍ କାମ କରିଥାନ୍ତେ, ତେବେ ଅବରାଧ କରିବାକୁ ପଡ଼ିନଥାନ୍ତା । ସତମାର୍ଗରେ ରହିଥିଲେ ସରକାର କାହାକୁ ଡରିନଥାନ୍ତେ । ଏହି ଅବରୋଧରୁ ସ୍ପଷ୍ଟ ହେଉଛି ଯେ, ସରକାର ସତମାର୍ଗରେ ନାହାନ୍ତି, କିଛି ଲୁଚାଇବାକୁ ଚାହୁଁଛନ୍ତି । ଆଇନ ପରିସରରେ ରହି ସରକାରଙ୍କୁ ସତମାର୍ଗରେ ଯିବାକୁ ପଡ଼ିବ ।

ଏହାସହ ମନ୍ଦିର ସୁରକ୍ଷା ଥିବା ନେଇ ଗଜପତିଙ୍କ ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ସଡ଼ଙ୍ଗୀ । କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ, ଏଏସଆଇ ବା ଇଞ୍ଜିନିୟର କୁହନ୍ତୁ । ମାମଲା ଏବେ ହାଇକୋର୍ଟରେ ଅଛି, କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା ଅଛି ବୋଲି ଅପରାଜିତା କହିଛନ୍ତି ।

Leave a Reply

Your email address will not be published. Required fields are marked *