ଗୁଜରାଟ ଟାଇଟନ୍ସକୁ ବିଜୟ ଭେଟି ଦେଲେ ରସିଦ ଓ ରାହୁଲ

ମୁମ୍ବାଇ(ଦ କୁଇଭର): ଚଳିତ ଆଇପିଏଲରେ ବିଜୟଧାରା ଜାରି ରଖିଛି ଗୁଜରାଟ ଟାଇଟନ୍ସ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ୱିକେଟରେ ପରାସ୍ତ କରିଛି । ଉମ୍ରାନ ମଲ୍ଲିକଙ୍କ ୫ ୱିକେଟ୍ ସଫଳତାକୁ ବେକାର କରି ଦେଇଛନ୍ତି ରାହୁଲ ତେୱାଟିଆ ଓ ରସିଦ୍ ଖାନ୍ ଗୁଜରାଟକୁ ଚମକପ୍ରଦ ବିଜୟ ଭେଟି ଦେଇଥିଲେ । ଅନ୍ତିମ ଓଭରରେ ଗୁଜରାଟକୁ ଜିତିବାକୁ ୨୨ ରନ୍ ଦରକାର ଥିଲା । ମାର୍କୋ ଜାନସେନଙ୍କୁ ଉଭୟ ରସିଦ୍ ଓ ତେୱାଟିଆ ୪ ଛକା ମାରି ଗୁଜରାଟକୁ ବିଜୟ ଭେଟି ଦେଇଥିଲେ ।

ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯାଇଥିବା ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ କରିଥିଲା ଗୁଜରାଟ ଟାଇଟନ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୯୫ ରନ କରିଥିଲା । ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ୬୫ ଓ ଆଡେମ ମାର୍କରମ ୫୬ ରନ କରିଥିଲେ । ଗୁଜରାଟ ଟାଇଟନ୍ସ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

୧୯୬ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ଆରମ୍ଭରୁ ଭଲ ଆରମ୍ଭ କରିଥିଲା । କିନ୍ତୁ ଉମ୍ରାନ ମଲ୍ଲିକଙ୍କ ଦମଦାର ବୋଲିଂ ଆଗରେ ବ୍ୟାକଫୁଟକୁ ଆସିଥିଲା ଗୁଜରାଟ । ଉମ୍ରାନ ୪ ଓଭରରେ ୫ ଓ୍ୱିକେଟ ଅକ୍ତିଆର କରି ଗୁଜରାଟର ଟପ୍ ଅର୍ଡରକୁ ଦୋହଲାଇ ଦେଇଥିଲେ । ତେବେ ଏହି ରୋମାଞ୍ଚକର ମ୍ୟାଚକୁ ଜିତିବାକୁ ହେଲେ ଗୁଜରାଟକୁ ଶେଷ ଓଭରରେ ୨୨ ରନ ଆବଶ୍ୟକ ଥିଲା । ଯାହାକୁ ହାସଲ କରିଥିଲା ଗୁଜରାଟ । ଗୁଜରାଟ ଟାଇଟନ୍ସ ପକ୍ଷରୁ ରସିଦ ଖାନ୍ ଓ ରାହୁଲ ତେଓ୍ୱାଟିଆ ଶେଷ ଓଭରରେ ୨୨ ରନ କରି ଗୁଜରାଟକୁ ବିଜୟ ଭେଟି ଦେଇଥିଲେ । ଗୁଜରାଟ ପକ୍ଷରୁ ଏହି ମ୍ୟାଚରେ ରିଦ୍ଧିମାନ ଶାହା ୬୮ ରନ କରିଥିବାବେଳେ ରାହୁଲ ତେଓ୍ୱାଟିଆ ୪୦ ଓ ରସିଦ୍ ଖାନ ଦ୍ରୁତ ୩୧ ରନ କରିଥିଲେ ।

ଏହି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ଗୁଜରାଟ ୧୪ ପଏଣ୍ଟ ସହ ଶୀର୍ଷରେ ରହିଛି । ସେହିପରି ସନ ରାଇଜର୍ସ ହାଇଦ୍ରାବାଦ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *