ରଙ୍ଗ ବଦଳାଉଛନ୍ତି ଜୟନ୍ତ ଷଡ଼ଙ୍ଗୀ

ପୁରୀ (ଦ କୁଇଭର): ରାଜନୈତିକ କ୍ୟାରିୟରକୁ ନେଇ ଏବେ ଦ୍ୱନ୍ଦରେ ଜୟନ୍ତ ଷଡ଼ଙ୍ଗୀ । ବିଜେପିରେ ରହିବେ ନା ବିଜେଡିକୁ ଯିବେ ଏଥିରେ ବି ସେ ସ୍ପଷ୍ଟ ନୁହଁନ୍ତି । ଯାହାଦ୍ୱାରା ତାଙ୍କ କଥାରେ ରହୁନି ତାଳମେଳ । କେତେବେଳେ ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ବିରୋଧ କରି ବିଧାନସଭାରେ ପ୍ରସଙ୍ଗ ଉଠାଉଛନ୍ତି, ତ ଆଉ କେତେବେଳେ ଜନଆନ୍ଦୋଳନ ଠୁ ଦୂରେଇ ରହି ନିଜକୁ ପ୍ରକଳ୍ପର ସମର୍ଥକ ବୋଲି ଦର୍ଶାଉଛନ୍ତି। କାରଣ ତାଙ୍କର ଶରୀର ବିଜେପିରେ କିନ୍ତୁ ମନ ବିଜେଡିରେ ବୋଲି କୁହାଯାଉଛି । ବିଧାୟକଙ୍କ ଏହି ଦୁଇ ମୁଣ୍ଡିଆ କାମ ଏବେ ଭକ୍ତଙ୍କୁ ଚିନ୍ତାରେ ପକାଇଛି ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ ହେଉଛି ରାଜ୍ୟ ସରକାରଙ୍କ ପ୍ରକଳ୍ପ । ଆମ ମୁଖିଆଙ୍କ ସ୍ୱପ୍ନର ପ୍ରକଳ୍ପ । ସ୍ୱପ୍ନର ପ୍ରକଳ୍ପ କରିବାକୁ କାହାର ବିରୋଧ ନାହିଁ, ଆମେ ବି ବିରୋଧ କରୁନୁ । ଭକ୍ତଙ୍କ ସୁବିଧା ପାଇଁ କାର୍ଯ୍ୟ ହେବା ସ୍ୱାଗତଯୋଗ୍ୟ । କିନ୍ତୁ ଏହି ପ୍ରକଳ୍ପ ଆଇନ ଅନୁଯାୟୀ କରାଯିବାରେ କ’ଣ ରହିଛି ପ୍ରତିବନ୍ଧକ? କାହିଁକି ରାଜ୍ୟ ସରକାରଙ୍କ ସଂସ୍ଥାମାନେ ଆଇନ ଅନୁଯାୟୀ, ପ୍ରକଳ୍ପ ପାଇଁ ଅନୁମୋଦନ ଆଣୁନାହାନ୍ତି। ଯାହାକୁ ନେଇ ତାତିଛି ସାରା ରାଜ୍ୟ । ଏହି ପ୍ରସଙ୍ଗକୁ ବିରୋଧ କରାଯିବା ପରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବିଧାନସଭାରେ ଉଠାଇଥିଲେ । ଆଉ କହିଥିଲେ ଏହି ପ୍ରକଳ୍ପ କାର୍ଯ୍ୟ ବେଆଇନ, ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଉ । ଏଥିପାଇଁ ବିଧାନସଭା ଗୃହ କମିଟି ବି ଗଠନ ହେଲା । ହାଇକୋର୍ଟରେ ମାମଲା ବି ଅଛି । ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ଗଣ ବିରୋଧ ଦେଖିବାକୁ ମିଳିଲାଣି । ଆଉ ଠିକ୍ ଏତିକି ବେଳକୁ ନିଜକୁ ଦୂରେଇ ରଖିଲେ ବିଧାୟକ । ଏପରିକି ସେ କହୁଛନ୍ତି, ଭଙ୍ଗା ଯାଇଛି ତ ଗଢ଼ା ହେବ । ତେବେ ସେଠାରେ ପ୍ରସ୍ତାବିତ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ତାହା ହେଉ ବୋଲି ଜୟନ୍ତ କହୁଛନ୍ତି । ଯାହା ବିଧାୟକଙ୍କ ଏହା ବିଜେଡି ପ୍ରେମ ବୋଲି ଚର୍ଚ୍ଚା ହେଉଛି । ଏକଥା ଆମେ ଖାଲି କହୁନୁ । ଆଜି ବି ବିଜେଡିର ଅନୁଗତ ହେଉଛନ୍ତି ଜୟନ୍ତ ଷଡ଼ଙ୍ଗୀ । ତାଙ୍କର କାଳେ ବେଆଇନ ହୋଟେଲ ଓ ଜମି କେଳେଙ୍କାରୀକୁ ବିଜେଡି ସରକାର ସୁରକ୍ଷା ଦେଇଛନ୍ତି । ୨୦୨୪ର ସେ କାଳେ ବିଜେଡିରୁ ପୁରୀ ଟିକେଟ ପାଇବେ ବୋଲି ଡିଲ ହୋଇଛି । ନିଜ ସ୍ୱାର୍ଥ ପାଇଁ ବଡ଼ଦେଉଳ ପ୍ରତି ବିପଦ ସୃଷ୍ଟି କାରୀ ପ୍ରକଳ୍ପ ପ୍ରସଙ୍ଗରେ ସେ ନୀରବ ରହୁଥିବା ଚର୍ଚ୍ଚା ହେଉଛି।

ଜୟନ୍ତ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭରୁ ଜନତା ଦଳ ଓ ପରେ ବିଜେଡିରେ ରହିଥିଲେ । ଏପରିକି ଗତ ନିର୍ବାଚନରେ ସାକ୍ଷୀଗୋପାଳ ଟିକେଟ୍ ପାଇବା ପାଇଁ ଜୋରସୋର ଲବି କରୁଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେଡି ତାଙ୍କ ଉପରେ ଭରଷା କରିନଥିଲା । ଆଉ ଶେଷ ମୂହୂର୍ତ୍ତରେ ବିଜେପି ଶିବିରକୁ ଲମ୍ଫ ପ୍ରଦାନ କରିଥିଲେ । ସମ୍ବିତ ପାତ୍ରଙ୍କ ଆର୍ଶିବାଦ ଯୋଗୁଁ ପୁରୀ ସଦର ଆସନରୁ ଜିତିଗଲେ ଜୟନ୍ତ ଷଡ଼ଙ୍ଗୀ । ବିଜେପି ବ୍ରାଣ୍ଡରୁ ବିଧାୟକ ହେଲେ, କିନ୍ତୁ ଦୁର୍ବଳତା ତାଙ୍କର ରହିଲା ବିଜେଡି ପ୍ରତି । ଆରମ୍ଭରୁ ବିଜେଡି ସରକାରଙ୍କ ନିର୍ଦ୍ଦେଶରେ ଚାଲିଥିବା କାର୍ଯ୍ୟ ପଛରେ ସେ ମୁଣ୍ଡ ଟଙ୍ଗାରିଥିଲେ । ସେ ମଠ ଭଙ୍ଗା ହେଉ ବା ସ୍ୱର୍ଗଦ୍ୱାର । ସବୁ ପ୍ରସଙ୍ଗରେ ବିଜେଡି ସହିତ ଥିଲେ । ଆଉ କାଲି ବିଜେପି ସାଂସଦ ଅପରାଜିତାଙ୍କ ପୁରୀ ଗସ୍ତ କରିଥିଲେ । ପଦଯାତ୍ରା କରିଥିଲେ, ସେତେବେଳେ ଖସିଯାଇଥିଲେ ଜୟନ୍ତ ସଡ଼ଙ୍ଗୀ । ପଦଯାତ୍ରାରେ ସାମିଲ ନ ହେବା ପ୍ରସଙ୍ଗରେ ପଚାରିବାକୁ ସେ କହିଥିଲେ, ଦଳରୁ ଆମ ପାଖକୁ କିଛି ନିର୍ଦ୍ଦେଶ ଆସିନାହିଁ । କିନ୍ତୁ ଏହି ଘଟଣା ୧୨ ଘଣ୍ଟା ନ ବିତୁଣୁ ପୁଣି ଓଲଟିଗଲେ ଜୟନ୍ତ ଷଡ଼ଙ୍ଗୀ । ଏଣ୍ଡୁଅ ଭଳି ରଙ୍ଗ ବଦଳାଇଦେଲେ । ପୁରୀ ବିଧାୟକ ଯଦି ଏପରି ରଙ୍ଗ ବଦଳାଇବେ ତେବେ ପୁରୀବାସୀ କାହା ଉପରେ ଭରଷା କରିବେ । ତାକୁ ନେଇ ଦ୍ୱନ୍ଦରେ ପୁରୀ ବାସୀ ।

Leave a Reply

Your email address will not be published. Required fields are marked *