ଅପରାଜିତାଙ୍କ ଅସ୍ତ୍ର: ସ୍ୱଚ୍ଛ ଭାବମୂର୍ତ୍ତୀ

ଭୁବନେଶ୍ୱର (ଦ କୁଇଭର): ଆଇଏଏସରୁ ସାଂସଦ । ଆଇଏଏସ ଥିବା ବେଳେ ଯେମିତି ଖାତିିର ଥିଲା । ରାଜନୀତିରେ ମଧ୍ୟ ତାଙ୍କର ସେମିତି ଦବଦବା । ଆମେ କହୁଛୁ ସାଂସଦ ଅପରାଜିତା ସଡଙ୍ଗୀଙ୍କ କଥା । ସେ ଏତେ ଲୋକପ୍ରିୟ କାହିଁକି? କ’ଣ ରହିଛି ତାଙ୍କର ସ୍ୱତନ୍ତ୍ରତା? ଆଇଏଏସ ଥିବା ବେଳେ ତାଙ୍କର ଥିଲା ସ୍ୱଚ୍ଛତା । ଯାହା କରୁଥିଲେ ସ୍ୱଚ୍ଛତାର ସହ କରୁଥିଲେ । ଆଉ ଯାହା ନିଷ୍ପତ୍ତି ନେଉଥିଲେ, ତାକୁ କୌଣସି ସ୍ଥିତିରେ ବି ପୂରଣ କରୁଥିଲେ । ଯାହାର ସବୁଠୁ ବଡ଼ ଉଦାହରଣ ହେଉଛି ରାଜ୍ୟରେ ଶିକ୍ଷକମାନଙ୍କ ପାଇଁ ସମାନ ଡ୍ରେସକୋର୍ଡ ବ୍ୟବସ୍ଥା ଲାଗୁ କରିବା । ଏହାକୁ ନେଇ ବହୁ ବିରୋଧ ହୋଇଥିଲା । ସରକାରଙ୍କ ଉପରେ ଚାପ ବି ପଡ଼ିଥିଲା । କିନ୍ତୁ ନଛୋଡ଼ବନ୍ଧା ଥିଲେ ଅପରାଜିତା । ଶେଷରେ ଏହାକୁ ଳାଗୁ କରିଥିଲେ, ଯାହା ଆଜି ଏକ ଶୃଙ୍ଖଳା ଭାବେ ଧରାଯାଇଛି ।

ଆଉ ଇଏ ହେଉଛନ୍ତି ସେଇ ପ୍ରଶାସନିକ ଅଧିକାରୀ ଯିଏ, ରାଜଧାନୀ ଭୁବନେଶ୍ୱରକୁ ଦେଇଛନ୍ତି ନୂଆ ରୂପ । ବେଆଇନ ଜବର ଦଖଲକୁ ଭାଙ୍ଗି ରାଜଧାନୀରେ ଭେଣ୍ଡିଂ ଜୋନ୍ ତିଆରି କରିଥିଲେ । ଏହାକୁ ମଧ୍ୟ ସେତେବେଳେ ପ୍ରବଳ ବିରୋଧ କରାଯାଇଥିଲା । ରାଜନେତାମାନେ ବି ବିରୋଧ କରିଥିଲେ । କିନ୍ତୁ ସେ କାହା କଥା ଶୁଣିନଥିଲେ । ଜବର ଦଖଲକୁ ଭାଙ୍ଗି ଭେଣ୍ଡିଂ ଜୋନ୍ ତିଆରି କରିଥିଲେ, ଯାହା ଆଜି ଭୁବନେଶ୍ୱରରେ ଶୋଭା ପାଉଛି । କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପିପିପି ମୋଡ଼ରେ ବଡ଼ ବଡ଼ ପ୍ରକଳ୍ପ ଆରମ୍ଭ କରିଥିଲେ । ସେତେବେଳେ ମଧ୍ୟ ବିଭିନ୍ନ ସମାଲୋଚନାର ଶିକାର ହୋଇଥିଲେ ଅପରାଜିତା । ସେ ପଇସା ଖାଇଯାଉଛନ୍ତି, ଦୁର୍ନିତି କରୁଛନ୍ତି ବୋଲି ଅନେକ ଅଭିଯୋଗ ଆସିଥିଲା । କିନ୍ତୁ ଅପରାଜିତା ଏହାକୁ ଖାତିର ନ କରି ନିଜ ଜିଦରେ ଅଟଳ ରହିଥିଲେ । ଯାହାଦ୍ୱାରା ଆଜି ରାଜଧାନୀରେ ବହୁ ପ୍ରକଳ୍ପ ଛିଡ଼ା ହୋଇପାରିଛି । ଯାହା ରାଜଧାନୀର ଭିତ୍ତିଭୂମି ବିକାଶ କରିବାରେ ସହାୟକ ହୋଇଛି । ଆଉ ଏସବୁ ହୋଇପାରିଛି ଅପରାଜିତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ କାମ କରିବାର ପ୍ରତିଶ୍ରୁତିବଦ୍ଧତା ପାଇଁ ।

ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଭାବିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ଆଉ ଚାହିଁଥିଲେ କିଛି ବିକାଶ କରିବେ । ଆଉ ସ୍ୱଚ୍ଛତାର ସହ କିଛି ନୂଆ କରି ଦେଖାଇବେ, କିନ୍ତୁ ବର୍ତ୍ତମାନ ସେ ରାଜନୈତିକ ଶିକୁଳିରେ ବାନ୍ଧି ହୋଇଛନ୍ତି । ବିଜେପିର ନିକୃଷ୍ଟ ରାଜନୀତିରେ ସେ ପେଶି ହୋଇଯାଇଛନ୍ତି । ସେଥିପାଇଁ ସେ ଏବେ ପୂର୍ବଭଳି ନିଜର ସ୍ୱଚ୍ଛ ଭାବମୂର୍ତ୍ତୀ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ସେ ସଂସଦରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଉଛନ୍ତି ଓ ରାଜ୍ୟରେ ରାଜ୍ୟ ସରକାରଙ୍କୁ ଭୁଲକୁ ଅଙ୍ଗୁଳି ଦେଖାଉଛନ୍ତି । ଅପରାଜିତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ପାଇଁ ସେ ରାଜ୍ୟ ସରକାରଙ୍କ ଯେଉଁ ଭୁଲ ଦେଖାଉଛନ୍ତି, ତାକୁ ବି ଲୋକମାନେ ଗ୍ରହଣ କରୁଛନ୍ତି । ସେ ବିଏମସିର ବସ୍ତି ଉଚ୍ଛେଦ ହେଉ ବା ଅନ୍ୟାନ୍ୟ ପ୍ରସଙ୍ଗ ହେଉ, ସବୁଥିରେ ଲୋକମାନେ ତାଙ୍କୁ ସମର୍ଥନ ଦେଇଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ସରକାରଙ୍କ ଭୁଲକୁ ସମାଲୋଚନା କରିଛନ୍ତି । ଆଉ ଏବେ ସରକାରଙ୍କ ସବୁଠାରୁ ବଡ଼ ଭୁଲ ଧରିଛନ୍ତି, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟ । ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟ ବିରୋଧରେ ସେ ତାଙ୍କ ସ୍ୱର ତୀବ୍ର କରିଛନ୍ତି । ଏହାକୁ ସଂସଦରେ ଉଠାଇବା ପରେ ପୁରୀରେ ପଦଯାତ୍ରା କରିବାକୁ ମଧ୍ୟ ନିଷ୍ପତ୍ତି ନେଲେ । ସରକାର ମନା କଲେ, ସବୁପ୍ରକାର ବାଧା ଆସିଲା, କିନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ ସେ ପଦଯାତ୍ରା ହିଁ କଲେ । ଆଉ ସେ ଏମିିତି ପରିସ୍ଥିତି ସୃଷ୍ଟି କଲେ, ପ୍ରଶାସନ ତାଙ୍କୁ ପଦଯାତ୍ରା କରିବାକୁ ଅନୁମତି ଦେଲେ । ଆଉ ପଦଯାତ୍ରା କରି ସରକାରଙ୍କୁ ଦେଖାଇଦେଲେ ଯେ, ଅପରାଜିତା ଯାହା ନିଷ୍ପତ୍ତି ନିଅନ୍ତି, ତାହା ହିଁ କରନ୍ତି । ଆଉ ତାଙ୍କର ଏହି ସ୍ୱଚ୍ଛ ଭାବମୂର୍ତ୍ତୀ ଓ ପ୍ରତିଶ୍ରୁତିବଦ୍ଧତାକୁ ଓଡ଼ିଶାର ଲୋକମାନେ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *