ମାଟ୍ରିକ୍ ପରୀକ୍ଷା ଦେଲେ ବିଧାୟକ

ଫୁଲବାଣୀ (ଦ କୁଇଭର): ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଏହାରି ଭିତରେ ୭୦ ବର୍ଷର ବିଧାୟକ ସାଜିଛନ୍ତି ପରୀକ୍ଷାର୍ଥୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଫୁଲବାଣୀର ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ।

ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲ ରେ ପାଠ ପଢୁଥିଲେ । ତେବେ ପାରିବାରିକ ଓ ଆର୍ଥିକ ସମସ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ପରେ ରାଜନୀତିରେ ମିଶି ବିଭିନ୍ନ ପଦ ପଦବୀରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ବି ମାଟ୍ରିକ ପରୀକ୍ଷା ଆଉ ଦେଇପାରିନଥିଲେ । ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବାଧକ ସାଜି ପାରେନି ବୟସ ଏହା ଆଜି ସେ ପ୍ରମାଣ କରିଦେଇଛନ୍ତି ।

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ପୁଣି ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡର ବ୍ୟବସ୍ଥା ହୋଇଛି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଏଥର ଦ୍ୱିତୀୟ ସିଟିଂରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

Leave a Reply

Your email address will not be published. Required fields are marked *