ଶ୍ରୀମନ୍ଦିର ପାଇଁ ଖଳନାୟକ ASI

ପୁରୀ (ଦ କୁଇଭର) ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟରେ ମୁଖ୍ୟ ଖଳନାୟକ ସାଜିଛି ଏଏସଆଇ । ଭାଙ୍ଗିଲା ବେଳେ ଚୁପ୍ ରହୁଛି । ଗଢିଲା ବେଳେ ବି ଚୁପ୍ । କିଛି ସ୍ପଷ୍ଟ କରୁନି । କେବଳ ବିରୋଧ ପାଇଁ ଟେହିଦେଉଛି । ଏଏସଆଇର ଏହି ଖଳନାୟକ ରୂପ ପାଇଁ ବିପଦରେ ପଡ଼ୁଛି ଶ୍ରୀମନ୍ଦିର । ଐତିହ୍ୟ କରିଡରରେ ଚାଲିଥିବା ଖନନ କାର୍ଯ୍ୟ ବଡ଼ ଦେଉଳର ଢାଞ୍ଚା ପ୍ରତି ବିପଦକୁ ଟାଣି ଆଣୁଛି । ଆଉ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଏହି ଖନନ କାର୍ଯ୍ୟ ବେଆଇନ । ଏହା ଖୋଦ୍ ଏଏସଆଇ ହିଁ କହିସାରିଛି । ସବୁ ଜାଣିଛି । ହେଲେ ନା ସରକାରଙ୍କୁ ଜଣାଇଛି ନା କେନ୍ଦ୍ରୟ ସଂସ୍କୃତି ମନ୍ତ୍ରଣାଳୟକୁ । ଏପରିକି ଏହି ବେଆଇନ କାର୍ଯ୍ୟ ବିରୋଧରେ ଏତଲା ଦେବାର କ୍ଷମତା ଥିଲେ ବି ତାହା କଲା ନାହିଁ । ପାଟି ଖୋଲୁନି ଏଏସଆଇ । ଶ୍ରୀମନ୍ଦିର କରିଡର କାର୍ଯ୍ୟକୁ ନେଇ ସାରା ରାଜ୍ୟ ଉଠିଲା ପଡ଼ିଲା । ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋରଦାର ହେଲା । ମୂଳରୁ ସବୁ ଜାଣିଥିଲା ଏଏସଆଇ । ଏହା ବେଆଇନ । ଏହି ପ୍ରକଳ୍ପ ପାଇଁ ଏଏସଆଇର ଅନୁମତି ନାହିଁ । କାରଣ ଐତିହ୍ୟ ସଂରକ୍ଷଣ ଆଇନ ଅନୁଯାୟୀ, ଐତିହ୍ୟସ୍ଥଳୀର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ । କିନ୍ତୁ ଶ୍ରୀଜଗନ୍ନାଥ କରିଡର କାର୍ଯ୍ୟ ସିଂହଦ୍ୱାର ଠାରୁ ମାତ୍ର କେଇ ହାତ ଦୂରରେ ଥିବା ଐତିହ୍ୟକୁ ତଡ଼ାତଡ଼ି କଲେ । ଏବଂ ଏବେ ଚାଲିଛି ବଡ଼ ବଡ଼ ଖନନ କାର୍ଯ୍ୟ । କିନ୍ତୁ ସବୁ ଜାଣି ମଧ୍ୟ ମୁହଁ ଖୋଲିବା ବଦଳରେ ଚିଠି ଲେଖି ଦେଇ ପ୍ରସଙ୍ଗରୁ ଦୂରେଇ ରହିଲା ।

ଏଠାରେ ପ୍ରଶ୍ନ ହେଉଛି, କାହିଁକି ଚୁପ୍ ବସିଛି ଏଏସଆଇ? ବିପଦରେ ଶ୍ରୀମନ୍ଦିର, କାହିଁକି ମୁହଁ ଖୋଲୁନି ଏଏସଆଇ? ରାଜ୍ୟ ସରକାର ଓ ଏଏସଆଇଙ୍କ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ ତ? କାହିଁକି ହାଇକୋର୍ଟଙ୍କୁ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଏଏସଆଇର ଅଧିକାରୀମାନେ? ପ୍ରକଳ୍ପର ସମୀକ୍ଷା କରି ମିଳିତ ଯାଞ୍ଚ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ତଥାପି ସମୟ ଗଡ଼ାଇ ଚାଲିଛି ଏଏସଆଇ ।

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗକୁ ଲୋକସଭାରେ ଉଠାଇଲେ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ । ଏପରିକି ପୁରୀରେ ପଦଯାତ୍ରା ମଧ୍ୟ କଲେ । ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ । କିନ୍ତୁ ଏଏସଆଇକୁ ନେଇ ପ୍ରଶ୍ନ ଉଠାଇଲେନାହିଁ । କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚୁପ୍ ବସିପଡିଲେ ଅପରାଜିତା । ଏଏସଆଇର ଭୂମିକାକୁ ନେଇ କାହିଁକି ପ୍ରଶ୍ନ କରିବେ ବୋଲି ଆଶା ଥିଲା, ମାତ୍ର ଆଜି ଯାଏ କରିନାହାନ୍ତି କାହିଁକି? ଏହା କେନ୍ଦ୍ର ସରକାରଙ୍କ ସଂସ୍ଥା ବୋଲି ନା ଆଉ କିଛି? ତାହା ଏବେ ପ୍ରଶ୍ନବାଚୀ ।

Leave a Reply

Your email address will not be published. Required fields are marked *