ଭୁବନେଶ୍ୱର (ଦ କୁଇଭର): ଗାଲୁ ମାରୁଛନ୍ତି ସମ୍ବିତ । ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ମହାପାତ୍ର ତୁଚ୍ଛା ଗାଲୁ ମାରୁଛନ୍ତି । ସେ ପୁଣି ମହାପ୍ରଭୁଙ୍କ ବଡ଼ ଦେଉଳ ସୁରକ୍ଷାର ପ୍ରସଙ୍ଗରେ । ଏକଥା ଆମେ କହୁନୁ । ଖୋଦ୍ ବିଜେପି ବାଲା କହୁଛନ୍ତି । ତାଙ୍କ ସମର୍ଥକଙ୍କ କହିବାନୁଯାୟୀ, ମାମଲା ହାଇକୋର୍ଟରେ ଥାଉ କି ସୁପ୍ରିମକୋର୍ଟରେ, ବେଶ୍ ପାଟି ଚିଲାନ୍ତି ସମ୍ବିତ । ତାଙ୍କ ବାକଚାତୁରୀ ଦେଖାନ୍ତି । ହେଲେ ବଡ଼ ଦେଉଳ ସୁରକ୍ଷା ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ଥିବା ଦର୍ଶାଇ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ରାଜ୍ୟ ସରକାରଙ୍କ ଭୁଲକୁ ସବୁବେଳେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ପ୍ରସଙ୍ଗରେ କାହିଁକି ତୁନି ପଡ଼ିଛନ୍ତି? ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ କାମକୁ ନେଇ ସବୁଠି ବିରୋଧ, ପ୍ରତିବାଦ ହେଲା । କଥା ଯାଇ ଦିଲ୍ଲୀରେ ପହଞ୍ଚିଲା । ତଥାପି ସମ୍ବିତ ବାବୁଙ୍କର ପାଟି ଖୋଲିଲାନି । ଏନେଇ ପ୍ରଥମେ କୁଇଭର ନ୍ୟୁଜ୍ ପ୍ରଶ୍ନ କଲା ପରେ ମୁହଁ ଖୋଲିଲେ ସମ୍ବିତ ପାତ୍ର । ଆଉ ବହୁ ଦିନ ପରେ ପୁରୀ ଆସି ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ । ରାଜ୍ୟ ସରକାରଙ୍କୁ ସୁହାଇଲା ଭଳି ମନ୍ତବ୍ୟ ଦେଲେ । ଆଉ ଏବେ କହୁଛନ୍ତି, ମାମଲା ହାଇକୋର୍ଟରେ ଅଛି, ଧର୍ଯ୍ୟ ଧରନ୍ତୁ, ଅପେକ୍ଷା କରନ୍ତୁ । ଏହା କହି ପାଟିରେ ତାଲାମାରିଦେଉଛନ୍ତି ।

ତାଙ୍କର ବାକଚାତୁରୀ କଥା ଆମେ ମନେପକାଇ ଦେବାକୁ ଚାହୁଛୁ । ପରୀ ମାମଲା କେବଳ ହାଇକୋର୍ଟ ନୁହେଁ ସୁପ୍ରିମକୋର୍ଟ ବି ଯାଇଛି । ଏହି ପ୍ରସଙ୍ଗରେ ବାବୁ ସମ୍ବିତ କେବଳ ବୟାନବାଜି ନୁହେଁ ପଦଯାତ୍ରା ବି କଲେ । ସେହିପରି ବେବିନା କେସରେ ବୟାନବାଜିର ସୀମା ସରହଦ୍ ପାର କରି ସବୁବେଳେ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସମାଲୋଚନା ମଧ୍ୟ କରିଥିଲେ ।

ଶିକ୍ଷୟତ୍ରୀ ମମିତା ମେହେର ଓ ମାହାଙ୍ଗା ମର୍ଡର କେସରେ ମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କରିଥିଲେ ଯେ, ଯେମିତି ମନ୍ତ୍ରୀ ହିଁ ଅପରାଧ କରିଥିବା ସମ୍ବିତ ବାବୁ ଜାଣିଥିଲେ ବା ତାଙ୍କ ପାଖରେ ପ୍ରମାଣ ଥିଲା । ରାଜ୍ୟ ସରକାରଙ୍କୁ ବାରମ୍ବାର ସବୁ କଥାରେ ଟାର୍ଗେଟ କରୁଥିବା ସମ୍ବିତ ପାତ୍ର ପୁରୀ କେସରେ ସୁହାଇଲା ଭଳି କଥା କହୁଛନ୍ତି କାହିଁକି? କାହିଁକି ଖୋଲାଖୋଲି ଭାବେ ସରକାରଙ୍କ ବେଆଇନ କାର୍ଯ୍ୟ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି? ନା ମୁହଁ ନ ଖୋଲିବା ପାଇଁ ତାଙ୍କ ନେତା ବାରଣ କରିଛନ୍ତି କି? ଯେଉଁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇ ପୁରୀ ଆସନରୁ ନିର୍ବାଚନ ଲଢିଥିଲେ ଓ ଜଗନ୍ନାଥ ଡାକିଛନ୍ତି, ମୋଦୀ ପଠାଇଛନ୍ତି ବୋଲି କହିଥିଲେ, ସେହି ଜଗନ୍ନାଥଙ୍କ ପ୍ରତି ଏତେ ଅବହେଳା କାହିଁକି କରୁଛନ୍ତି? ସେ କ’ଣ ଜାଣି ପାରୁନାହାନ୍ତି ଯେ, ଐତିହ୍ୟ ସ୍ଥଳୀର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ବେଆଇନ । ଏ ଜ୍ଞାନ ଜଣେ ରାଷ୍ଟ୍ରୀୟ ପ୍ରବକ୍ତା ହିସାବରେ ତାଙ୍କର ଥିବ ନିଶ୍ଚୟ । କାରଣ ସେ ଆଇନ ପ୍ରସଙ୍ଗରେ ବହୁତ ସମୟରେ ଗଣମାଧ୍ୟମରେ ଯୁକ୍ତି କରୁଛନ୍ତି । କିନ୍ତୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଖନନ ପ୍ରସଙ୍ଗରେ କାହିଁକି ଆଇନ ପ୍ରସଙ୍ଗ ଉଠାଉନାହାନ୍ତି? ନା ଜ୍ଞାନ ଥାଇକି ଜ୍ଞାନଶୂନ୍ୟ ବୋଲି ଦେଖେଇ ହେଉଛନ୍ତି । ନା ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଭିତିରିତଆ ଅନୁମତି ଦେଇଦେଇଛନ୍ତି ବୋଲି ଜାଣି ଚୁପ୍ ରହୁଛନ୍ତି? ନା ନିଷ୍ପତ୍ତିକୁ ମ୍ୟାନେଜ୍ କରୁଛନ୍ତି ସମ୍ବିତ ପାତ୍ର? ସମ୍ବିତ ପାତ୍ରଙ୍କ ଏଭଳି ନିରବତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *