ଆଜିଠୁ ୟୁରୋପ ଗସ୍ତରେ ଯିବେ ମୋଦି, ୬୫ ଘଣ୍ଟାରେ କରିବେ ୨୫ ବୈଠକ

ନୂଆଦିଲ୍ଲୀ (ଦ କୁଇଭର): ସୋମବାରଠୁ ୟୁରୋପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ମୋଦିଙ୍କ ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରା । ସେ ଜର୍ମାନ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ଜ୍‌, ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟ୍‌ ଫ୍ରେଡେରିକ୍‌ସେନ୍‌ ଏବଂ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଭେଟିବେ।

ଜର୍ମାନିରେ କେତେକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ମୋଦୀଙ୍କର ଅନେକ ଆଜେଣ୍ଡା ମଧ୍ୟରୁ ଗୋଟିଏ ହେଉଛି କୋଭିଡ୍ ପରବର୍ତ୍ତୀ ଆର୍ଥିକ ସୁଧାର।

ଏହି ଗସ୍ତବେଳେ ସେ ୮ ଜଣ ବିଦେଶୀ ନେତାଙ୍କୁ ଭେଟିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ବିଭିନ୍ନ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ସେ ଗସ୍ତ କରୁଥିବା ଦେଶମାନଙ୍କରେ ଥିବା ଭାରତୀୟ ନାଗରିକଙ୍କୁ ବି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସମୁଦାୟ ଏହି ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୬୫ ଘଣ୍ଟା ମଧ୍ୟରେ ୨୫ଟି ବୈଠକ ଓ କିଛି ବିଦେଶୀ ନେତାଙ୍କୁ ଭେଟିବେ । ୫୦ ରୁ ଅଧିକ ବିଶ୍ୱସ୍ତରୀୟ ବ୍ୟବସାୟୀଙ୍କ ସହ ବୈଠକ କରିବେ।

ରବିବାର ଦିନ ବିବୃତିରେ ସେ କହିଥିଲେ, ୟୁରୋପୀୟ ଅଞ୍ଚଳ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି। ଶାନ୍ତି ଓ ସମୃଦ୍ଧି ଅନ୍ବେଷଣରେ ଭାରତର ପ୍ରମୁଖ ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କର ସହଯୋଗ ମନୋଭାବ ସୁଦୃଢ଼ କରିବା ହେଉଛି ମୋର ଆଲୋଚନାର ଉଦ୍ଦେଶ୍ୟ ବୋଲି ଏକ ବିବୃତିରେ କହିଥିଲେ ମୋଦି ।

Leave a Reply

Your email address will not be published. Required fields are marked *