ନୂଆ ଦଳ ଗଢ଼ିବେ ପ୍ରଶାନ୍ତ କିଶୋର ! ଟ୍ୱିଟ କରି ଦେଲେ ସଂକେତ

ପାଟଣା (ଦ କୁଇଭର): ନୂଆ ଦଳ ଗଢ଼ିବେ ପିକେ! କଂଗ୍ରେସ ସହ ମତାନ୍ତର ପରେ ନୂଆ ଟିମ୍ ଗଢ଼ିବାକୁ ଯୋଜନା କରୁଛନ୍ତି ପ୍ରଶାନ୍ତ କିଶୋର । ନୂଆ ରଣନୀତି ସହ ଲୋକଙ୍କ ପାଖକୁ ଯିବେ ନିର୍ବାଚନ ରଣନୀତିଜ୍ଞ ପିକେ । ବିହାରରୁ ନୂଆ ଇନିଂସ ଆରମ୍ଭ କରିବେ ପ୍ରଶାନ୍ତ । ଏହା ଆମେ କହୁ ନାହୁଁ, ଏହା ଖୋାଦ୍ ପ୍ରଶାନ୍ତ କିଶୋର ଏକ ଟ୍ୱିଟ୍ କରି ଆଭାସ ଦେଇଛନ୍ତି । ସୋମବାର ପ୍ରଶାନ୍ତ ଏକ କ୍ରିପ୍ଟିକ୍ ଟ୍ୱିଟ୍ କରି ଜାତୀୟ ରାଜନୀତିର ମାହୋଲକୁ ସରଗରମ କରିଦେଇଛନ୍ତି । ପ୍ରଶାନ୍ତଙ୍କ ଟ୍ୱିଟ୍ ପରେ ଜାତୀୟ ରାଜନୀତିରେ ଆରମ୍ଭ ହୋଇସାରିଛି କଳ୍ପନା ଜଳ୍ପନା । ପ୍ରଶାନ୍ତ କିଶୋରଙ୍କ ଟ୍ୱିଟରୁ ଜଣାପଡ଼ୁଛି କି ସେ ଖୁବ୍ ଶୀଘ୍ର ଏକ ନୂଆ ରାଜନୈତିକ ଦଳ ଗଢ଼ିବାର ଯୋଜନା କରୁଛନ୍ତି ।

କଂଗ୍ରେସ ସହ ଆଲୋଚନା ବିଫଳ ହେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ପରୋକ୍ଷରେ ଟ୍ୱିଟ୍ କରି ସୂଚେଇ ଦେଇଛନ୍ତି ପ୍ରଶାନ୍ତ । ଟ୍ୱିଟ୍ କରି ପିକେ କହିଛନ୍ତି ଯେ, ବର୍ତ୍ତମାନ ପ୍ରକୃତ ମାଷ୍ଟରଙ୍କ ପାଖରେ ପହଞ୍ଚିବାର ସମୟ ଆସିଛି । ’ଜନ ସୁରଜ’ର ପଥକୁ ଭଲ ଭାବରେ ବୁଝିବାକୁ ପ୍ରକୃତ ମାଷ୍ଟରଙ୍କ ନିକଟରେ ପହଞ୍ଚିବାର ସମୟ ଆସିଛି ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ଏହି ନୂଆ ଅଭିଯାନ ବିହାରରୁ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଟ୍ୱିଟରେ କହିଛନ୍ତି ପିକେ ।

ପିକେଙ୍କ ଏହି ଟ୍ୱିଟ୍ ପରେ ଅନୁମାନ କରାଯାଉଛି କି ସେ ଏକ ଦଳ ଗଠନ କରିବାକୁ ଯାଉଛନ୍ତି । ତେବେ କଂଗ୍ରେସରେ ଯୋଗ ଦେବାକୁ ମନା କରିବା ପରଠାରୁ ଏହି ଚର୍ଚ୍ଚା ହେଉଥିଲା କି ପିକେ ଏକ ନୂଆ ଦଳ ଗଢ଼ିବେ । କିନ୍ତୁ ଆଜି ପ୍ରଶାନ୍ତଙ୍କ ଏହି ଟ୍ୱିଟ୍ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ତେବେ ସୂଚନା ଅନୁସାରେ ପିକେ ଏବେ କିଛି ମାସ ବିହାର ଯାତ୍ରା କରିବେ ଏବଂ ସେଠାରେ ଲୋକମାନଙ୍କ ସହ ମିଶିବେ ଓ ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବେ । କେବଳ ଏତିକି ନୁହେଁ ଏହା ମଧ୍ୟ ଅନୁମାନ କରାଯାଉଛି କି ପିକେଙ୍କ ନୂଆ ଦଳ ନାଁ ରଖିବେ ’ଜନ ସୁରଜ’ । ଯାହା ତାଙ୍କ ଟ୍ୱିଟ୍ ଦେଖି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ଆସନ୍ତା ମେ’ ୪ରେ ପ୍ରେସ୍ କନଫରେନ୍ସ କରି ଏହି ନୂଆ ଅଭିଯାନ ବିଷୟରେ ସୂଚନା ଦେଇପାରନ୍ତି ପିକେ ।

Leave a Reply

Your email address will not be published. Required fields are marked *