ଆଦର୍ଶ ବିଦ୍ୟାଳୟର ଆଦର୍ଶ ଆଚରଣ

ଶେରଗଡ଼ (ଦ କୁଇଭର): ଦୃଶ୍ୟଟି ଦେଖି ଆପଣ ଭାବୁଥିବେ । ଏହା ସ୍କୁଲ ନା କ୍ଲବ୍ । ଆଜ୍ଞା ହଁ ଏହା ହେଉଛି ଏକ ସ୍କୁଲ । ଯେଉଁଠି ପାଠ ପଢା ବଦଳରେ ଚାଲିଛି ଡ୍ୟାନ୍ସ । ଆଉ ଇଏ ହେଉଛି ଆମ ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟର ଦୃଶ୍ୟ । ସରକାର ଉନ୍ନତମାନର ଶିକ୍ଷାର ସହ ଟେକ୍ନୋଲୋଜି ଶିକ୍ଷା ଦେବା ପାଇଁ ଆଦର୍ଶ ବିଦ୍ୟାଳୟର ପରିକଳ୍ପନା କରିଥିଲେ । ଆଉ ଇଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଆଦର୍ଶ ବିଦ୍ୟାଳୟରେ ଚାଲିଛି ଆଦର୍ଶ ଆଚରଣ । ସ୍ମାର୍ଟ କ୍ଲାସରୁମ ଭିତରେ ଚାଲିଛି ଗୁଆଘିଅ ଓ ପୁଷ୍ପା ଫିଲ୍ମର ଗୀତ । ଆଉ ଗୀତ ତାଳେ ତାଳେ ନାଚି ଧୂଳା ଉଡ଼ାଇ ଦେଉଛନ୍ତି ସ୍କୁଲ ପିଲା । ସେ ପୁଣି ୟୁନିଫର୍ମରେ । ଆଉ ଇଏ ଭିଡ଼ିଓ ମଧ୍ୟ ଗଞ୍ଜାମ ଜିଲ୍ଲା ସେରଗଡ ବ୍ଲକର ବୋଲି କୁହାଯାଉଛି ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକରେ ପ୍ରଥମେ ସ୍ମାର୍ଟ ସ୍କୁଲର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ପିଲାମାନେ କିଭଳି ଉନ୍ନତମାନର ଶିକ୍ଷା ପାଇପାରିବେ । ଏଠି ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଛାତ୍ରଛାତ୍ରୀଙ୍କ ବିକାଶ ଓ ଶିକ୍ଷାର ବିକାଶ ପାଇଁ ସରକାର ସିନା ଆରମ୍ଭ କରିଦେଲେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା । କିନ୍ତୁ ଏଠାରେ ସ୍ମାର୍ଟ କ୍ଳାସ କମ୍ ଗୀତ ଲଗାଇ ମଜା ନେଉଥିବା ଦେଖିବାକୁ ମିଳୁଛି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ମାର୍ଟ କ୍ଲାସରୁମରେ ଗୀତ ବଜାଇ ଡ୍ୟାନ୍ସ କରିବା, ଆଉ ସ୍ମାର୍ଟଫୋନରେ ଭିଡିଓ ଉତ୍ତୋଳନ କରିବା ସରକାରଙ୍କ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଠାରେ ପ୍ରଶ୍ନ ଉଠୁଛି, ପିଲାଙ୍କ ହାତରେ ଟିଭି ଚଲାଇବାର ଅଧିକାର ଦେଲା କିଏ? ସେହି ସମୟରେ ସ୍ମାର୍ଟକ୍ଲାସର ସ୍ମାର୍ଟ ଶିକ୍ଷକମାନେ ଗଲେ କୁଆଡ଼େ? ପାଠପଢା ବଦଳରେ ସେଠାରେ ଚାଲିଛି ପୁଷ୍ପା କ୍ରେଜ୍ । ସ୍ମୁଲରେ ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ଏଠି ପିଲାମାନେ ପାଠ ବଦଳରେ ବିଭିନ୍ନ ଗୀତ ଲଗାଇ ନାଚୁଛନ୍ତି । ଏହି ସମୟରେ ଦାୟିତ୍ୱରେ ଥିବା ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଯାଇଥିଲେ କୁଆଡ଼େ? ସରକାରଙ୍କ ଏ କି ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା? ଏଥିପାଇଁ ଦାୟୀ କିଏ? ଏହି କାର୍ଯ୍ୟକଳାପ ପାଇଁ ପିଲାଙ୍କୁ ଦୋଷ ଦେବା ନିରର୍ଥକ । କାରଣ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବାରେ ବିଫଳ ବିଦ୍ୟାଳୟର ଶିକ୍ଷକ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର ପଦାରେ ପଡ଼ିଛି ।

Leave a Reply

Your email address will not be published. Required fields are marked *