ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ

(ଦ କୁଇଭର ବ୍ୟୁରୋ): ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ । ପ୍ରତି ବର୍ଷ ମେ ମାସ ୩ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ସମ୍ମାନିତ ହୋଇଥିବା ସାମ୍ବାଦିକମାନେ ପରଦା ପଛର କାହାଣି ଆଉ ଦୁର୍ନୀତିର ସତ୍ୟତ ପ୍ରକାଶ କରିବା ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଉଥିବା ଏବଂ ସେମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପ୍ରତିବର୍ଷ ପାଳନ କରାଯାଏ ।

ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା । ପ୍ରତିବର୍ଷ ବିଶ୍ୱ ପ୍ରେସ୍ ଡେ ପାଇଁ ଏକ ନିର୍ଦ୍ଦିଷ୍ଟ ଥିମ୍ ଚୟନ କରାଯାଏ ଏବଂ ଏହି ବର୍ଷର ଥିମ୍ ରହିଛି “‘ଜର୍ନାଲିଜମ୍ ଅଣ୍ଡର୍ ଡିଜିଟାଲ ସିଜ୍’” । ବାକ୍ ସ୍ୱାଧୀନତା ଅଧିକାରର ରକ୍ଷା ଓ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ, ଏହି କଥା ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହେଉଛି । ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ ।

ସାମ୍ବାଦିକତା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ । ସ୍କୁଲ, କଲେଜ, ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ୍ ସ୍ୱାଧୀନତା ଉପରେ ବକ୍ତୃତା, ନିବନ୍ଧ ଓ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୁଏ । ଲୋକଙ୍କୁ ବାକ୍ ସ୍ୱାଧୀନତା ସମ୍ପର୍କରେ ବୁଝାଯାଏ ।

କେବେ ଆରମ୍ଭ ହୋଇଥିଲା ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ

୧୯୯୧ ରେ ପ୍ରଥମ ଥର ପାଇଁ ଆଫ୍ରିକୀୟ ସାମ୍ବାଦିକମାନେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ପ୍ରଚାର କରିଥିଲେ। ସାମ୍ବାଦିକମାନେ ଗଣମାଧ୍ୟମର ସ୍ୱାଧୀନତାର ନୀତି ସମ୍ବନ୍ଧରେ ମେ ୩ ରେ ଏକ ବିବୃତ୍ତି ଜାରି କରିଥିଲେ, ଯାହା ୱିଣ୍ଡହୋକ୍ ଘୋଷଣାନାମା ଭାବରେ ମଧ୍ୟ ଜଣାଶୁଣା। ଏହାର ଠିକ୍ ଦୁଇ ବର୍ଷ ପରେ, ଅର୍ଥାତ୍ ୧୯୯୩ ମସିହାରେ, ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ଜ୍ଝ ସେହି ଦିନଠାରୁ ଆଜି ପର୍ୟ୍ୟନ୍ତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପ୍ରତିବର୍ଷ ୩ ମଇରେ ପାଳନ କରାଯାଏ ଜ୍ଝ

Leave a Reply

Your email address will not be published. Required fields are marked *