ପୁରୀ (ଦ କୁଇଭର): ମହାପ୍ରଭୁଙ୍କ ନୀତିକାନ୍ତି ତଥ୍ୟକୁ ନେଇ ବେପାର କରୁଛନ୍ତି ସେବକ ଓ ତଥାକଥିତ ଗବେଷକ । ଆତ୍ମପ୍ରଚାର ବା ପତିଆରା ଦେଖାଇବାକୁ ଗୁପ୍ତ ନୀତିର ତଥ୍ୟକୁ କରିଦେଉଛନ୍ତି ପ୍ରଘଟ । ଯେଉଁଠି ଦେଉଳ ଭିତରକୁ କ୍ୟାମେରା ନେବାକୁ ବାରଣ କରାଯାଇଛି, ନବକଳେବର ସମୟରେ ଘଟ ପରିବର୍ତ୍ତନ ଗୁପ୍ତିନୀତି ପ୍ରକାଶ ପାଇଁ ସେବକଙ୍କ ନାମରେ ମାମଲା କରାଯାଇଛି, ସେଠାରେ ଏପରି ଉତ୍ସୃଙ୍ଖଳ ସେବକ ଓ ଗବେଷକ ମାନଙ୍କ ପ୍ରତି କାହିଁକି ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ? ଏପରି କରୁଥିବା ସେବକ ଓ ତଥାକଥିତ ଗବେଷକମାନେ ବଡ଼ ବଡ଼ିଆଙ୍କ ନିକଟତର ବୋଲି ତାଙ୍କୁ ଠାକୁରଙ୍କ ଗୁପ୍ତ ନୀତି ତଥ୍ୟର ବେପାର କରିବାକୁ ସୁଯୋଗ ଦିଆଯାଇଛି କି? ଏମିତି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହେଲାଣି ।

ମହାପ୍ରଭୁଙ୍କ ଶୟନ କକ୍ଷର କଥା ବି ବାହାରେ ବଖାଣିଲେଣି ସେବକ । ରାତିରେ ପହୁଡ଼ ପରେ ସକାଳୁ ପ୍ରତିହାରୀ ସେବକମାନେ ନିର୍ଦ୍ଧିଷ୍ଟ ଭାବେ ମହାପ୍ରଭୁଙ୍କୁ ଉଜାଗର କରିଥାନ୍ତି । ସେହି ଡାକ ପରେ ମହାପ୍ରଭୁଙ୍କର ପହୁଡ଼ ଭାଙ୍ଗିଥାଏ । ମଣିମା! ମଣିମା! ବ୍ୟତୀତ ଆହୁରି କିଛି ଡାକ ଡକାଯାଇଥାଏ ସେଠାରେ । ଆମ ଠାକୁରଙ୍କ ଶୟନ କକ୍ଷର କଥା ହୋଇଥିବାରୁ ଏହା ଅତ୍ୟନ୍ତ ଗୁପ୍ତ ନୀତି ।

ରାଜଧାନୀର ଏକ କାର୍ଯ୍ୟକ୍ରମରେ ଗବେଷକ ଭାସ୍କର ମିଶ୍ରଙ୍କ ଅନୁରୋଧ କ୍ରମେ ପ୍ରତିହାରୀ ସେବକ ବିପିନାନନ୍ଦ ଗୋଚ୍ଛିକାର ଏହି ଗୁପ୍ତ ତଥ୍ୟକୁ ପ୍ରଘଟ କରିଛନ୍ତି । ସର୍ବସମ୍ମୁଖରେ ମହାପ୍ରଭୁଙ୍କ ଶୟନ କକ୍ଷ ନିକଟର ନୀତିକୁ ସେବକ ବେଷରେ ବଖାଣିଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । ଏହାର ପ୍ରଚାର ପ୍ରସାର ବି କରାଯାଉଛି ।

୨୦୧୫ ନବକଳେବର ସମୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ପ୍ରଘଟ କରାଯାଇଥିବା ଅଭିଯୋଗରେ ଦୁଇଜଣ ସେବକଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କୁ ଭତ୍ସନା କରାଯାଇଥିଲା । ମାତ୍ର ଏକ୍ଷେତ୍ରରେ ନୀରବ କାହିଁକି ଶ୍ରୀମନ୍ଦିର ପ୍ରଶାସନ? ଏହି ତଥ୍ୟକୁ କାହିଁକି ଧ୍ୟାନ ଦେଉନି ପ୍ରଶାସନ । ଆଜି ଶୟନ କକ୍ଷର ନୀତି ତଥ୍ୟ ଗଲା, କାଲି ଆଉ କିଛି ନୀତି ବିକ୍ରି ହେବନି କାହିଁକି? ଏହାର ଗ୍ୟାରେଣ୍ଟି କିଏ ଦେବ? ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଟି ନୀତିକାନ୍ତି ସ୍ୱତନ୍ତ୍ର । ଏହାର ସ୍ୱାତନ୍ତ୍ର୍ୟତା ରଖାଯିବା ଆବଶ୍ୟକ । ମାତ୍ର ଏହାକୁ ଭାଙ୍ଗି ଦିଆଯିବା ଅପରାଧ ଠୁ କମ କି ?

Leave a Reply

Your email address will not be published. Required fields are marked *