ପିଲାଙ୍କ ଜୀବନ ସହିତ ଖେଳ: ମଧ୍ୟାହ୍ନ ଭୋଜନରେ ଦେଲେ ପଚା ଅଣ୍ଡା ସହ ପଚା ପରିବା

ବଲାଙ୍ଗିର (ଦ କୁଇଭର): ସ୍କୁଲରେ ପିଲାଙ୍କ ସହ ଖେଳୁଛନ୍ତି ସରକରା । ମଧ୍ୟାହ୍ନ ଭୋଜନ ନାଁରେ ଦିଆଯାଉଛି ପଚାଶଢା ଖାଦ୍ୟ । ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ । ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ପଚା ଅଣ୍ଡା । ଖାଲି ପଚା ଆଣ୍ଡା ନୁହେଁ ପଚା ବାଇଗଣ ଓ ଆଳୁ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରପଡା ପ୍ରାକ୍ଟିସିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଏଭଳି ପଚା ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆସିଛି।

ମଧ୍ୟାହ୍ନ ଭୋଜନ ହେଉଛି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । କିଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟକର ପରିବେଶରେ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ହେବ, ତାହା ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଲା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ସରକାରଙ୍କ ଯୋଜନା କେତେ ମାତ୍ରାରେ ହରି ଲୁଟ ହେଉଛି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ।

ସପ୍ତାହରେ ଦୁଇ ଦିନ ଡାଲି, ଦୁଇ ଦିନ ସୋୟାବିନ ଓ ଦୁଇ ଦିନ ଅଣ୍ଡା ତରକାରୀ କରି ପିଲାଙ୍କୁ ଖାଇବାକୁ ଦେବାର ନିୟମ ରହିଛି । ପ୍ରତିଦିନ ଏହି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦାୟିତ୍ଵ ଦିଆଯାଇଛି । ପିଲାଙ୍କୁ ଖାଦ୍ୟ ପରିବେଷଣ ସହିତ ମହିଳାଙ୍କୁ ଶସକ୍ତ କରିବା ଲକ୍ଷ୍ୟରେ ସରକାର ଏଭଳି ଯୋଜନା କରୁଥିବା ବେଳେ ସରକାରୀ ସ୍କୁଲ ବଲାଙ୍ଗିରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ଵୟଂ ସହାୟକ ଦଳର ମହିଳାମାନେ ସ୍କୁଲରେ ପଚା ସଢା ଖାଦ୍ୟ ସାମଗ୍ରୀ ଦେଇ ପିଲାଙ୍କ ଜୀବନ ସହିତ ଖେଳୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିବା ଖାଦ୍ୟ ମଧ୍ୟରୁ ଅଣ୍ଡା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଅଣ୍ଡାରୁ ଦୁର୍ଗନ୍ଧ ବାହାରୁଥିଲା । ଏହା ସହିତ ପଚା ପରିବା, ପାଣିଆଡାଲି ଦିଆଯାଉଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ପିଲାମାନେ ଖାଇପାରିନଥିଲେ । ଫଳରେ ଛାତ୍ରଛାତ୍ରୀମାନେ ଭୋକ ଉପାସରେ ଥିବା ଜଣାପଡ଼ିଛି। ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ଏପରି ଖାଦ୍ୟ ଛାତ୍ରଛାତ୍ରୀଙ୍କ ଦେବା ସାଧାରଣରେ ନିନ୍ଦନୀୟ ।

Leave a Reply

Your email address will not be published. Required fields are marked *