Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଗ୍ଲୋବାଲ୍ ପ୍ଲାଟଫର୍ମରେ ନାହିଁ ଉତ୍କଳ ବିଶ୍ୱବିଦ୍ୟାଳୟର ନାଁ

ଭୁବନେଶ୍ୱର(ଦ କୁଇଭର): କେନ୍ଦ୍ର ଓ ରାଜ୍ୟରେ ଅଛନ୍ତି ୨ଜଣ ଓଡ଼ିଆ ଉଚ୍ଚଶିକ୍ଷା ମନ୍ତ୍ରୀ । ଆଉ ୨ଜଣ ହେଉଛନ୍ତି ଗୋଟିଏ ବିଶ୍ୱବିଦ୍ୟାଳୟର ଛାତ୍ର । ଯେଉଁମାନେ ଶିକ୍ଷାର ମାନଦଣ୍ଡ ନିର୍ଦ୍ଧାରଣ କରୁଛନ୍ତି, ଶିକ୍ଷାର ବିକାଶ ପାଇଁ ଯୋଜନା କରୁଛନ୍ତି । କିନ୍ତୁ ସେମାନେ ନିଜେ ପଢିଥିବା ବିଶ୍ୱବିଦ୍ୟାଳୟକୁ କେତେ ବିକଶିତ କରିଛନ୍ତି ଆସନ୍ତୁ ଦେଖିବା ।

ଉତ୍କଳ ବିଶ୍ୱ ବିଦ୍ୟାଳୟ, ବାଣୀବିହାର । ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ । କେହି କେହି କୁହନ୍ତି ଏହା ହେଉଛି ଓଡ଼ିଶାରେ ଉଚ୍ଚ ଶିକ୍ଷାର ଏନ୍ତୁଡ଼ିଶାଳ । ଏହା କେବଳ କଥାରେ କୁହାଯାଏ । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ଆଜ୍ଞା ହଁ, ଆପଣ କେବେ ଭାବିଛନ୍ତି କି ରାଜ୍ୟରେ ସର୍ବପୁରାତନ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାନ କେଉଁଠି? ଏକଥା ଆମେ ଏଥିପାଇଁ କହୁଛୁ କାରଣ, ଗ୍ଲୋବାଲ ପ୍ଲାଟଫର୍ମରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ନା ନାହିଁ । ଗୁଗଲରେ ଖୋଜିଲେ କାହିଁ କେତେ ତଳେ ଦେଖିବାକୁ ମିଳୁଛି ଉତ୍କଳ ବିଶ୍ୱବିଦ୍ୟାଳୟର ନାଁ। ଗ୍ଲୋବାଲ ପ୍ଲାଟଫର୍ମରେ ହଜି ହଜି ଗଲାଣି ବାଣୀବିହାରର ଅସ୍ତିତ୍ୱ । ଉତ୍କଳ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗେଟ୍ ହିଁ ପାଲଟିଛି ତାର ଏକମାତ୍ର ପରିଚୟ ।

ଇଏ ହେଉଛି ସେହି ଉତ୍କଳ ବିଶ୍ୱବିଦ୍ୟାଳୟ । ଯିଏ ଅନେକ ମହାନ ଲୋକଙ୍କୁ ପରିଚୟ ଦେଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ବାଣୀବିହାରର ଛାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ତାଙ୍କ ସମର୍ଥକମାନେ କହୁଥିବା ବେଳେ ଆଉ ଜଣେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନରେ ମସଗୁଲ । କିନ୍ତୁ ଏମାନଙ୍କ ରାଜନୈତିକ ସ୍ୱାର୍ଥ ମଝିରେ ବଳିପଡ଼ିଯାଇଛି ଉତ୍କଳ ବିଶ୍ୱ ବିଦ୍ୟାଳୟର ବିକାଶ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲାଇଜକୁ ଗୁରୁତ୍ୱ ଦେଉଛନ୍ତି । ଯାହାଦ୍ୱାରା ଲୋକମାନେ ଅନଲାଇନରେ ସବୁ କିଛି ସୁବିଧା ପାଇପାରିବେ । ଲୋକେ କୌଣସି ବି କୋଣରୁ ସୂଚନା ପାଇପାରିବେ । ଆଉ ଏହାର ମାଧ୍ୟମ ହେଉଛି ଗୁଗଲ । କିନ୍ତୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଏକ ସର୍ବପୁରାତନ ବିଶ୍ୱ ବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହା ବିଷୟରେ ଅନଲାଇନରେ ଜାଣିବାର ବ୍ୟବସ୍ଥା କିଛି ନାହିଁ । ଓଡ଼ିଶାରେ ନମ୍ବର ୱାନ୍ ୟୁନିଭରସିଟି ଗୁଗଲରେ ଟାଇପ୍ କଲେ ବି ଆସୁନି ଉତ୍କଳ ବିଶ୍ୱବିଦ୍ୟାଳୟର ନାଁ । ଯେତେବେଳେ ଜଣେ ଅଭିଭାବକ ନିଜ ପିଲାର ଆଡମିସନ ପାଇଁ ଗୁଗଲରେ ବେଷ୍ଟ ୟୁନିଭରସିଟି ସର୍ଚ୍ଚ କରେ, ସେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ନାଁ ତ ଆସେନାହିଁ, ଦ୍ୱିତୀୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ବିଷୟରେ ସବିଶେଷ ତଥ୍ୟ ବି ମିଳେନାହିଁ । ବାଧ୍ୟ ହୋଇ ପ୍ରଥମେ ଆସୁଥିବା ଘରୋଇ ବିଶ୍ୱବିଦ୍ୟାଳୟର ପାଠ ପଢାଇବାକୁ ନିଷ୍ପତ୍ତି ନିଅନ୍ତି ଅଭିଭାବକମାନେ ।

ପ୍ରଶ୍ନ ହେଉଛି, କାହିଁକି ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏତେ ଅବହେଳା? କେନ୍ଦ୍ର ଓ ରାଜ୍ୟରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ହୋଇଥିଲେ ବି କାହିଁକି ଏତେ ବେଫିକର୍? କାହିଁକି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି? ଏଥିପାଇଁ ଦାୟୀ କିଏ? କାହିଁକି ହଜିଯାଉଛି ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟର ପରିଚୟ? କ’ଣ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ଶିକ୍ଷା ମନ୍ତ୍ରୀ? କାହିଁକି ବଦଳୁନି ଉତ୍କଳ ବିଶ୍ୱ ବିଦ୍ୟାଳୟର ରୂପରେଖ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।

Exit mobile version