ଭୁବନେଶ୍ୱର (ଦ କୁଇଭର): ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । ହଜାର ହଜାର ଶିକ୍ଷକ/ଶିକ୍ଷୟତ୍ରୀ ଅନଲାଇନରେ ଆବେଦନ କରି ବଦଳିକୁ ଚାହିଁ ରହିଥିବା ଲୁଚେଇ ଛୁପେଇ ଗଳାବାଟରେ ହାତଗଣତି ଶିକ୍ଷକଙ୍କର ଆନ୍ତଃଜିଲ୍ଲା ବଦଳି କରିଛନ୍ତି । ତାହା ପୁଣି ଅଫ ଲାଇନରେ । ୨୦ଜଣ ଶିକ୍ଷକଙ୍କର ବଦଳି କରିଦେଇଛନ୍ତି । ଆନ୍ତଃଜିଲ୍ଲା ବଦଳି ଅନଲାଇନ ଆବେଦନ ଉପରେ କରାଯିବାକୁ ସରକାରୀ ନିର୍ଦ୍ଦେଶ ଥିବା ବେଳେ ଅଫଲାଇନ ଆବେଦନ ନିଷ୍ପତ୍ତି ହେଲା କେବେ? କିଏ ନେଇଛି ଏହି ନିଷ୍ପତ୍ତିି? ଏହି ନିଷ୍ପତ୍ତି ସମ୍ପର୍କରେ କେହି ଜାଣି ନାହାନ୍ତି କେମିତି? ଏସବୁ ପ୍ରଶ୍ନର ଉତ୍ତର ଖୋଦ ଗଣଶିକ୍ଷା ସଚିବଙ୍କ ପାଖରେ ବି ନାହିଁ ।

ଆସନ୍ତୁ ଜାଣିବା ଅନଲାଇନ ଓ ଅଫ୍ ଲାଇନ ବଦଳି ନୀତି ପଛର ଗୁମର । ପ୍ରାଥମିକ ଶିକ୍ଷକ ମାନଙ୍କର ଆନ୍ତଃଜିଲ୍ଲା ବଦଳିକୁ ନେଇ ଥିଲା ବିବାଦ । ଅଗମ୍ୟ ଅଞ୍ଚଳ ବା ଉପାନ୍ତ ଅଞ୍ଚଳରେ ନିଯୁକ୍ତି ପାଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ସହରକୁ ବଦଳି ହୋଇ ଆସିଲେ । ପ୍ରଭାବ ବିସ୍ତାର କରି ବା ଟଙ୍କା ଦେଇ ବଦଳି ଚାଲିଲା । ଏହା ବିବାଦୀୟ ହେବାରୁ ୨୦୧୮ରେ ରାଜ୍ୟ ସରକାର ବଦଳି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଅନଲାଇନ ପୋର୍ଟାଲ ଆରମ୍ଭ କଲେ । ପୋର୍ଟାଲ ମାଧ୍ୟମରେ ଆବେଦନ କରାଯିବ, ସରକାରୀ ସ୍ତରରେ କମିଟି ବସି ଆବେଦନର ବିଚାର ପରେ ବଦଳି ଆଦେଶ ମିଳିବ । ଏହି ପ୍ରକ୍ରିୟାରେ ହଜାର ହଜାର ଶିକ୍ଷକ ବଦଳି ପାଇଁ ଆବେଦନ କରି ଅପେକ୍ଷା କରିଛନ୍ତି।

ହେଲେ ଇତିମଧ୍ୟରେ ଗଣଶିକ୍ଷା ବିଭାଗ ୨୦ଜଣ ଶିକ୍ଷକଙ୍କର ବଦଳି କରିଛି । ସେଥିରୁ ୧୫ଜଣଙ୍କର ଆନ୍ତଃଜିଲ୍ଲା ବଦଳି ହୋଇଛି । ଏହି ବଦଳି ଅଫଲାଇନ ଆବେଦନ ବଳରେ କରାଯାଇଥିବା ବିଭାଗ ଦର୍ଶାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଅଫଲାଇନରେ ବଦଳି ପାଇଁ କିଏ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ସମ୍ପର୍କରେ ବିଜ୍ଞପ୍ତି କାହିଁକି ପ୍ରକାଶ ପାଇନାହିଁ । କାହିଁକି ହଜାର ହଜାର ଶିକ୍ଷକଙ୍କୁ ଅନ୍ଧାରରେ ରଖାଯାଇଛି । ସମସ୍ତଙ୍କୁ ଅନ୍ଧାରରେ ରଖି କେବଳ ପ୍ରଭାବଶାଳୀ ବା ରାଜନେତାଙ୍କ ସୁପାରିଶରେ ଏହି ବଦଳି ପାଇଁ ଯୋଜନା କରାଯାଇଛି କି? ଶିକ୍ଷକ ମାନଙ୍କ ପ୍ରତି ଏତେବଡ଼ ଷଡ଼ଯନ୍ତ୍ର ସରକାର କଲେ କିପରି? ଏହି ପ୍ରଶ୍ନର ଉତ୍ତର କାହାପାଖରେ ନାହିଁ ।

ଏସମ୍ପର୍କରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ଆମେ ପଚାରିଥିଲୁ । ସେ ପ୍ରଶ୍ନ ଶୁଣିଲେ, ହେଲେ ଉତ୍ତର ନଦେଇ ଫୋନ କାଟିଦେଲେ । ଯାହା ଅଫଲାଇନ ବଦଳି ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *