ପୁରୀ (ଦ କୁଇଭର): ସତ କହିଲେ ପେଟକୁ ପାହାର । ବର୍ଷବର୍ଷ ଧରି ଦିଆଯାଉନି ପାଉଣା । ମହାପ୍ରଭୁଙ୍କ ନବକଳେବରରେ ହୋଇଥିବା ପ୍ରଶାସନିକ ଓ ପାରମ୍ପରିକ ମହାବିଭ୍ରାଟ ଗୁମର ଖୋଲିଥିବାରୁ ଜଣେ ବୃଦ୍ଧ ମହାରଣାଙ୍କୁ ଗତ ୭ବର୍ଷ ଧରି ଏପରି ଦଣ୍ଡ ମିଳୁଛି । ତାଙ୍କୁ ପଉଣାକୁ ଅଟକାଇ ଦିଆଯାଇଛି । ଦୋଷ ତାଙ୍କର ମହାପ୍ରଭୁଙ୍କ ପରମ୍ପରା ସହ ହେଉଥିବା ଖେଳକୁ ବଖାଣିଦେବା । ଆଉ ଏପରି କାର୍ଯ୍ୟ ଆଉ କେହି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନର ପ୍ରଶାସନିକ କ୍ୟାପଟେନ ତଥା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ ।

କୃଷ୍ଣ ମହାରଣା, ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ମହାରଣା ହେଉଛନ୍ତି ସେ । ୭୦ବର୍ଷ ଧରି ପ୍ରତିବର୍ଷ ରଥ ନିର୍ମାଣ ସହିତ ସେ ୫ଟି ନବକଳେବରରେ ଦିଅଁ ଗଢ଼ିଛନ୍ତି । ସବୁଠୁ ପୁରୁଖା ମହାରଣା ସେ । ଅଭିଜ୍ଞତା ଯେତିକି, ବ୍ୟବସ୍ଥାଗତ ଓ ପାରମ୍ପରିକ ଭୂଲ ଧରିବାରେ ବି ସେତିକି ସିଦ୍ଧହସ୍ତ । ହେଲେ ଭୂଲକୁ ଧରି ସତ କହିବା ତାଙ୍କୁ ପଡ଼ିଛି ମହଙ୍ଗା । ୭ବର୍ଷ ଧରି ତାଙ୍କ ପାଉଣାକୁ ବନ୍ଦ କରିଦିଆଯାଇଛି । ୨୦୧୫ ନବକଳେବର ପାଉଣା ୭ବର୍ଷ ପର୍ଯ୍ୟନ୍ତ ମିଳିନାହିଁ । ତାଙ୍କ ପାଉଣା ମନ୍ଦ କରିଥିଲେ ନବକଳେବର ଦାୟିତ୍ୱରେ ଥିବା ଅଧିକାରୀ ତଥା ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ସଚିବ ବନ୍ଦ କରିଥିବାରୁ ତାଙ୍କୁ ପାଉଣା ଦେବାକୁ ଅନ୍ୟ ବାବୁମାନେ ଡରୁଛନ୍ତି ।

ହେଲେ କାହିଁକି ତାଙ୍କ ପାଉଣା ବନ୍ଦ ହେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । କୃଷ୍ଣଙ୍କ ଅଭିଯୋଗ ଅନୁଯାୟୀ, ନବକଳେବରରେ ଦାରୁ ବିଭ୍ରାଟ ହୋଇଥିଲା । ଦାରୁ ଚୟନରେ ସ୍ୱଚ୍ଛତା ନଥିଲା । ସବୁଥିରେ ଥିଲା କେଳେଙ୍କାରୀ । ଏକଥା ପ୍ରଶାସନିକ ବାବୁ ଜାଣିଥିଲେ । ଦାରୁ ଚୟନରେ ତ୍ରୁଟି ଯୋଗୁ ଦିଅଁ ଗଢ଼ାରେ ହେଉଥିଲା ସମସ୍ୟା । ପ୍ରଶାସନିକ ବୋଲକରା ପାଲଟିଥିବା କିଛି ଦଇତାଙ୍କ ଚାପ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଦିଅଁ ଗଢ଼ା ବିଳମ୍ବ ହେଲା । ଏକଥା ସବୁ ପ୍ରଶାସନ ଜାଣିଥିଲା । ସବୁ ଜାଣି ଦୋଷ ଲଦିଲେ ମହାରଣା ମାନଙ୍କ ଉପରେ । ସେତେବେଳେ ନବକଳେବର ଦାୟିତ୍ୱରେ ଥିବା ସୁରେଶ ମହାପାତ୍ର କୈଫିୟତ ମାଗିଲେ । ବରିଷ୍ଠ ମହରଣା ଭାବେ କୃଷ୍ଣ ସତ କହିଦେଲେ ।

ଯାହା ଅଗଣିତ ଭକ୍ତଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା, ସରକାରଙ୍କୁ ଅଡ଼ୁଆରେ ପକାଇଥିଲା । ପ୍ରଶାସନିକ ଓ ପାରମ୍ପରିକ ତ୍ରୁଟିକୁ ନସୁଧାରି ସରକାରଙ୍କ ବଞ୍ଚାଇବା ପାଇଁ ସତ କହୁଥିବା ଲୋକ ପେଟରେ ମାରିଲେ ପାହାର । ତାଙ୍କର ପାଉଣା ବନ୍ଦ କରିଦେଲେ । ୭ବର୍ଷରେ ଅନ୍ୟୁନ ୨୪/୨୫ ଥର ଦୌଡ଼ିଛନ୍ତି କୃଷ୍ଣ । ମାତ୍ର ବ୍ୟବସ୍ଥା ହେଉଛି ବୋଲି ଉତ୍ତର ଛଡ଼ା ଆଉ କିଛି ପାଇନାହାନ୍ତି । ଶେଷରେ ହାତ ଯୋଡ଼ି ସରକାରଙ୍କୁ ଗୁହାରୀ କରିଛନ୍ତି, ପାଉଣା ଦବ ତ ଦିଅ ନହେଲେ ମନା କରିଦିଅ । ସିଧା ସଳଖ ଦୋଷ ଲଦିଛନ୍ତି ବର୍ତ୍ତମାନ ମୁଖ୍ୟ ସଚିବଙ୍କ ଉପରେ । ତାଙ୍କ ଯୋଗୁ ସେ ପାଉଣା ପାଇ ନଥିବା କହିଛନ୍ତି । ଏପରି ଅନ୍ୟାୟ କାହିଁକି ହେଲା?

Leave a Reply

Your email address will not be published. Required fields are marked *