ଜ୍ଞାନବ୍ୟାପୀ ମସଜିଦ୍ ଆଣିପାରେ ଆଉ ଏକ ଅଯୋଧ୍ୟା ବିବାଦ

(ଦ କୁଇଭର): ଉତ୍ତରପ୍ରଦେଶରେ ଉପୁଜିପାରେ ଆଉ ଏକ ଅଯୋଧ୍ୟା ବିବାଦ । ମନ୍ଦିର-ମସଜିଦକୁ ନେଇ ବଢୁଛି ବିବାଦ । କୋର୍ଟ ନିଯୁକ୍ତ ଅଧିକାରୀ ଓ ଆଇନଜୀବୀଙ୍କୁ ନେଇ ଗଠିତ ଟିମ୍ ବାରାଣସୀରେ ଥିବା ଜ୍ଞାନଭାପି ମସଜିଦରେ ଶୁକ୍ରବାର ସର୍ଭେ କରିଛନ୍ତି । ଏହି ସର୍ଭେକୁ ନେଇ ଉତ୍ତେଜନା ଦେଖାଦେଇଛି । ସର୍ଭେ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ବିରୋଧ ପ୍ରଦର୍ଶନ ଜାରି ରହିଛି ।

ଭିଡିଓଗ୍ରାଫି ଏବଂ ଯାଞ୍ଚ ସହିତ ଜଡିତ ଏହି ସର୍ଭେରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ଏବଂ ଦଳ ପରିଚାଳନା କରିଥିଲେ। ଏପ୍ରିଲ ୨୬ ରେ ସ୍ଥାନୀୟ ବାରାଣାସୀ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ପ୍ରକ୍ରିୟା ଆଉ ୨-୩ ଦିନ ଲାଗିବ ବୋଲି କୋର୍ଟରେ ହିନ୍ଦୁ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ମଦନ ମୋହନ ଯାଦବ କହିଛନ୍ତି।

ସୂଚନାନୁସାରେ ମସଜିଦ ପଛ ପଟେ ଥିବା ଥିବା ହିନ୍ଦୁ ଧର୍ମପୀଠକୁ ଖୋଲିବା ଦାବି କୋର୍ଟରେ ପହଞ୍ଚିବା ପରେ ଏପରି ପଦକ୍ଷେପ ନିଆଯାଇଛି। ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଏହି ଜ୍ଞାନବ୍ୟାପୀ ମସଜିଦଟି ରହିଛି। ଶୁକ୍ରବାର ଭଳି ଆଜି ମଧ୍ୟ ଏଠାରେ ଯାଞ୍ଚ ଓ ଭିଡିଓଗ୍ରାଫି କରାଯିବ। ଶୁକ୍ରବାର ସମୂହ ନମାଜ ପାଠ ପରେ ହିଁ ମସଜିଦରେ ସର୍ଭେ ଟିମ୍ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ମସଜିଦ ବାହାରେ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସଂଖ୍ୟକ ପୋଲିସ ଫୋର୍ସ ମଧ୍ୟ କରାଯାଇଥିଲା।

ଗତବର୍ଷ ୫ ଜଣ ମହିଳା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ମସଜିଦର ପଶ୍ଚିମ କାନ୍ଥର ପଛ ପଟେ ଥିବା ମା’ ଶ୍ରୀଗଙ୍ଗା ଗୌରୀଙ୍କ ଦର୍ଶନ ପାଇଁ କଟକଣା ମୁକ୍ତ ଓ ସବୁ ସମୟରେ ଯାତାୟାତ ସୁବିଧା ପ୍ରଦାନ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ବର୍ଷକୁ ଗୋଟିଏ ଥର ଉକ୍ତ ଧର୍ମପୀଠକୁ ଦର୍ଶନ ଓ ପୂଜାପାଠ ପାଇଁ ଖୋଲା ଯାଉଛି। ଆବେଦନକାରୀ ମହିଳାମାନେ ପୁରୁଣା ମନ୍ଦିର ଭିତରେ ଥିବା ଅନ୍ୟ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବାକୁ ମଧ୍ୟ ଅନୁମତି ଦେବାକୁ କୋର୍ଟରେ ନିବେଦନ କରିଛନ୍ତି। ଏହାପରେ କୋର୍ଟ ପ୍ରଶାସନିକ ଅଧିକାରୀଙ୍କୁ ଉକ୍ତ ସାଇଟ୍ର ଯାଞ୍ଚ ଓ ଭିଡିଓ ଗ୍ରାଫି କରି ମେ’ ୧୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଅନ୍ୟପକ୍ଷରେ ଜ୍ଞାନବ୍ୟାପୀ ମସଜିଦର କେୟାର ଟେକର କମିଟି ଓ ଆଇନଜୀବୀ ମସଜିଦ ମଧ୍ୟରେ ଭିଡିଓଗ୍ରାଫିକୁ ବିରୋଧ କରିଛନ୍ତି। କୋର୍ଟ ଅର୍ଡରରେ ଭିଡିଓଗ୍ରାଫି ପାଇଁ କୁହାଯାଇ ନଥିବା ସେମାନେ କହିଛନ୍ତି। ହେଲେ ଯାଞ୍ଚରେ ସାମିଲ ଥିବା ଓକିଲମାନେ ଭିଡିଓଗ୍ରାଫି ପାଇଁ କୋର୍ଟ କହିଥିବା ସୂଚନା ଦେଇଛନ୍ତି। ଏହାକୁ ନେଇ ଏବେ ବିବାଦ ଦେଖାଯାଇଛି।

ସ୍ଥାନୀୟ କୋର୍ଟ ଜଣେ ଆଇନଜୀବୀଙ୍କୁ କମିଶନର ଭାବେ ନିଯୁକ୍ତି ଦେଇଥିବାରୁ ଏହାକୁ ବିରୋଧ କରି ଜ୍ଞାନବ୍ୟାପୀ ମସଜିଦର କେୟାର ଟେକର ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ମାର୍ଚ୍ଚ ମାସରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଏହାପରେ ହିଁ ଗତକାଲି ସର୍ଭେ ହୋଇଛି ଓ ଆଜି ମଧ୍ୟ ଆଉଥରେ ଯାଞ୍ଚ ହେବ।

ମସଜିଦ ଉପରେ ସର୍ଭେ କରିବା ପାଇଁ କୋର୍ଟଙ୍କ ଆଦେଶକୁ ନିନ୍ଦା କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦଉଦ୍ଦିନ ୱବେସି । ୱବେସି କହିଛନ୍ତି ଯେ ସରକାର ଏହାକୁ ନେଇ ଏକ ରାଜନିତୀ କରୁଛନ୍ତି । ଅସଦଉଦ୍ଦିନ ୱବେସି ଟ୍ୱିଟ୍ କରି କହିଛନ୍ତି ଯେ କାଶୀଙ୍କ ଜିଆନଭାପି ମସଜିଦକୁ ସର୍ଭେ କରିବା ପାଇଁ ଏହି ଆଦେଶ ୧୯୯୧ ମସିହାରେ ଧାର୍ମିକ ଅଧିନିୟମର ଖୋଲା ଉଲ୍ଲଂଘନ ଅଟେ, ଯାହା ଧାର୍ମିକ ସ୍ଥାନ ପରିବର୍ତ୍ତନକୁ ବାରଣ କରିଥାଏ।

“ଅଯୋଧ୍ୟା ବିଚାରରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିୟମ ଭାରତୀୟ ନୀତିର ଧର୍ମନିରପେକ୍ଷକୁ ସୁରକ୍ଷା ଦେଇଥାଏ ଯାହା ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ଅଟେ। ଦୁର୍ଭାଗ୍ୟଜନକ ଯେ କୋର୍ଟ ଖୋଲାଖୋଲି ଭାବେ ଏସସିଙ୍କୁ ଖଣ୍ଡନ କରୁଛନ୍ତି। ଏହି ଆଦେଶ ଅନୁଯାୟୀ, ରଥ ଯାତ୍ରାର ରକ୍ତପାତ ଏବଂ ୧୯୮୦ ରୁ ୧୯୯୦ ଦଶକ ମଧ୍ୟରେ ମୁସଲମାନ ବିରୋଧୀ ହିଂସା ପାଇଁ କୋର୍ଟ ରାସ୍ତା ଖୋଲୁଛନ୍ତି ବୋଲି ଅସଦଉଦ୍ଦିନ ୱବେସି କହିଛନ୍ତି।

Leave a Reply

Your email address will not be published. Required fields are marked *