ଅଫିସରେ ଅଧଘଣ୍ଟା ଶୋଇପାରିବେ କର୍ମଚାରୀ

(ଦ କୁଇଭର ବ୍ୟୁରୋ): ଶୋଇବାକୁ କିଏ ବା ନ ଭଲପାଏ । ହେଲେ କର୍ମକ୍ଷେତ୍ରରେ ଶୋଇବା ଆଉ ଫୋନ ବ୍ୟବହାର ନ କରିବା ଭଳି ଅନେକ କଟକଣା ଲାଗୁ ହୋଇଥାଏ । ଯାହାକୁ ନେଇ ମଣିଷ ଶାନ୍ତିରେ ଟିକିଏ ବିଶ୍ରାମ ବି କରିପାରେନି । କାମସାଙ୍ଗକୁ ଲୋକମାନେ ଶୋଇବା ବି ଭୁଲି ଯାଆନ୍ତି । ବିଶେଷ କରି ପ୍ରାଇଭେଟ ସଂସ୍ଥାଗୁଡ଼ିକରେ ଏହାକୁ ନେଇ ବେଶି ଟେନସନରେ ରହିଥାନ୍ତି ଷ୍ଟାଫମାନେ । ତେବେ ଏହାରି ଭିତରେ ଏକ କମ୍ପାନୀର ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁକରିଛି । ଡ୍ୟୁଟି ସମୟରେ କର୍ମଚାରୀମାନେ ଅଫିସରେ ଶୋଇପାରିବେ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ମିଳିଥିବା ସୂଚନାନୁସାରେ ଏହି ଅଫରକୁ ଲାଗୁକରିଛି ବେଙ୍ଗାଲୁରୁ ସ୍ଥିତ ୱେକଫିଟ ସଲ୍ୟୁସନ କମ୍ପାନୀ । ବେଙ୍ଗାଲୁରୁସ୍ଥିତ ଏହି ଭାରତୀୟ ଷ୍ଟାର୍ଟ ଅପ୍ କମ୍ପାନୀ ତା’ର ଷ୍ଟାଫମାନଙ୍କୁ ଅଫିସ ଟାଇମରେ ଦୈନିକ ୩୦ ମିନିଟର ବିଶ୍ରାମ ଦେବାକୁ ଘୋଷଣା କରିଛି । ଏହି ପଦକ୍ଷେପ ଦ୍ୱାରା କର୍ମଚାରୀ ଅଧିକ ଫିଟ୍ ରହିବା ସହ ଉତ୍ସାହର ସହ କାମ କରିବେ ।

କର୍ମଚାରୀମାନେ ଦୈନିକ ଦ୍ୱିପ୍ରହର ୨ଟାରୁ ୨.୩୦ ପର୍ୟ୍ୟନ୍ତ ଅଧଘଣ୍ଟା ବିଶ୍ରାମ ନେଇପାରିବେ । ଶୋଇବା ପାଇଁ କମ୍ପାନୀ ପକ୍ଷରୁ ଏକ ଅସ୍ଥାୟୀ ବିଶ୍ରାମ ସ୍ଥଳୀର ବ୍ୟବସ୍ଥା କରିବା ସହ ଆରାମଦାୟକ ନାପ୍ ପୋଡ୍ ର ବ୍ୟବସ୍ଥା କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମୟରେ କର୍ମଚାରୀଙ୍କର ପଇସା କଟିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ଏ ନେଇ କମ୍ପାନୀ ପକ୍ଷରୁ ଟ୍ୱିଟ ଯୋଗେ ଘୋଷଣା କରାଯାଇଛି ।

ଏହି ନୂଆ ଘୋଷଣା ବିଷୟରେ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ଇ-ମେଲ ପଠାଇ ଅବଗତ କରାଯାଇଛି । ପ୍ରତିଦିନ ଦ୍ୱିପହରେ ଅଧଘଣ୍ଟା ସର୍ଟ ନାପ୍ ନେବା ଦ୍ୱାରା ଜଣେ ଜଣେ ବ୍ୟକ୍ତିର ପରଫର୍ମାନ୍ସ ୩୩ ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି ନାସା ହାଭାର୍ଡ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଥିଲା । ତେଣୁ ୱେକଫିଟ ସଲ୍ୟୁସନ ଏପରି ପଦକ୍ଷେପ ନେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *