ଆତ୍ମହତ୍ୟା ଆଡ଼କୁ ମୁହାଁଉଛି ବିଜେପି

ଭୁବନେଶ୍ୱର(ଦ କୁଇଭର): ପଞ୍ଚାୟତ ଓ ପୌର ନିର୍ବାଚନରେ ମାଟି କାମୁଡିବା ପରେ ବି ନିଜ ଗୋଡ଼ରେ କୁରାଢୀ ମାରିବା ଛାଡ଼ୁନାହିଁ ରାଜ୍ୟ ବିଜେପି । କୌଣସି ନା କୌଣସି ଉପାୟରେ ସଙ୍ଗଠନକୁ ଦୁର୍ବଳ କରୁଛି । ବିଜେଡିର ପ୍ରତ୍ୟେକ ନିଷ୍ପତିରେ ମୁଣ୍ଡ ଟୁଙ୍ଗାରି ଦଳୀୟ କର୍ମୀଙ୍କୁ ହତାଶ କରୁଛି । ଫଳରେ ଦଳରୁ ସଚ୍ଚୋଟ କର୍ମୀ ଓ ନେତାମାନେ ଦୂରେଇ ଯାଉଛନ୍ତି । ଦଳରୁ କର୍ମୀ ଓ ନେତାଙ୍କ ହାତ ଛଡ଼ା ପାଇଁ ବିଜେପି ଆତ୍ମହତ୍ୟା ଆଡକୁ ମୁହାଁଉଛି ।

ଏକଥା ଆମେ କହୁନୁ, ବିଜେପିର କର୍ମୀ ଓ ନେତାମାନେ କହିଲେଣି । ପଞ୍ଚାୟତ ନିର୍ବାଚନ କଥା ଟିକେ ନଜର ପକାଇଦେବା । ବିଜେଡି ତାର କଳ ବଳ କୌଶଳ ଲଗାଇଦେଇଥିବା ବେଳେ ବିଜେପିର ପୁରୁଖା ନେତାମାନେ ଜିଲ୍ଲା ପରିଷଦ ପାଖରେ ମଧ୍ୟ ପହଞ୍ଚିପାରିଲେନି । ଫଳରେ କର୍ମୀମାନେ ହତାଶ ହେଲେ । ନା ମିଳିଲା ଖର୍ଚ୍ଚର ସହାୟତା ନା ମିଳିଲା ନେତାମାନଙ୍କ ବ୍ରାଣ୍ଡର ପ୍ରଚାର । ନିଜ ଗୋଡରେ ନିଜେ ଲଢିଲେ । ଆଉ ଦଳ ମୋଦୀଙ୍କୁ ଲକ୍ଷ କରି ଯାହା ଭୋଟ୍ ଆସିଲା, ତାହା ସମୁଦ୍ରକୁ ସଙ୍ଖେ । ଓଡ଼ିଶାରେ ବିଜେଡି ଆଗରେ କୌଣସି ଆଗରେ ତିଷ୍ଠିନାହିଁ । ପଞ୍ଚାୟତ ନିର୍ବାଚନରେ ବିଜେପି ବି ହଜିଗଲା । ଭାବିଥିଲେ ଗାଁକୁ ଗଲେନି ସହରର ପୌର ନିର୍ବାଚନରେ ଏମାନେ ପ୍ରଚାର କରିବେ । ତାହା ବି କଲେନି । ସେମିତି ପୌର ନିର୍ବାଚନରେ ଆର୍ଥିକ ସହାୟତା ବି ମିଳିଲାନି । ଦଳୀୟ ପାଣ୍ଠିବି ଠିକରେ ପହଞ୍ଚିଲାନି । ଯାହା ଫଳରେ ମାଟି କାମୁଡ଼ିଗଲେ ପୌର ନିର୍ବାଚନରେ ।

ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ବିଜେଡି ଶାସନ କରିବା ପରେ ଜନ ଅସନ୍ତୋଷ ବଢୁଛି । ଲୋକ ଗୋଟିଏ ବିରୋଧୀ ଖୋଜୁଛନ୍ତି । କିନ୍ତୁ ବିଜେଡି ପାଖରେ ବିଜେପି ଯେଭଳି ମୁଣ୍ଡ ବିକିଛି, ସେ ବିରୋଧୀ ଆସନ ତ ରଖିପାରୁନି, ନିଜର ଅସ୍ତିତ୍ୱ ମଧ୍ୟ ରଖିପାରୁନାହିଁ । ତାର ସଦ୍ୟତମ ଉଦାହରଣ ହେଉଛି, ଶ୍ରୀଜଗନ୍ନାଥ କରିଡର ପ୍ରକଳ୍ପ କ୍ଷେତ୍ରରେ ଅପରାଜିତାଙ୍କ ଭୂମିକା । ଅପରାଜିତା ସରକାରଙ୍କ ବେଆଇନ କାମକୁ ବିରୋଧ କଲେ, କିନ୍ତୁ ତାଙ୍କୁ ବିଜେପିରୁ କେହି ବି ସମର୍ଥନ କଲେ ନାହିଁ । ଯାହା ଅପରାଜିତାଙ୍କୁ ସାରା ରାଜ୍ୟରେ ପ୍ରତିଷ୍ଠା ଆଣିଦେଲା । ଆଉ ବିଜେପିକୁ ନିନ୍ଦିତ କଲା । ବିଜେପି ସଙ୍ଗଠନ ସେତିକି ଭର୍ତ୍ସିତ ହେଲା । ସେହିପରି ଭୁବନେଶ୍ୱର ମେୟର ନିର୍ବାଚନରେ ବିଜେପିକୁ ସମର୍ଥନ କରୁଥିବା ଅଭିଯୋଗରେ ଏକ ବସ୍ତିକୁ ମାଟିରେ ମିଶାଇ ଦେଲେ ସରକାର । ଆଉ ତାଙ୍କ ପାଖରେ ଯାଇ ଛିଡ଼ା ହେଲେ ଅପରାଜିତା । କିନ୍ତୁ ବିଜେପିର ଦଳୀୟ ନେତା ସେମାନଙ୍କ ପାଖରେ ପହଞ୍ଚିଲେ ନାହିଁ । ସେଠାକାର ହଜାର ହଜାର ଲୋକ ଅପରାଜିତାଙ୍କ ପ୍ରତି ଆସ୍ଥା ପ୍ରକଟ କଲେ, କିନ୍ତୁ ବିଜେପି ପ୍ରତି ତାଙ୍କର ଆଉ ସମର୍ଥନ ରହିଲାନି । ରାଜ୍ୟରେ ଏଭଳି ବିଭିନ୍ନ ପ୍ରସଙ୍ଗରେ ବିଜେପି ବିଜେଡି ପାଖରେ ହାତ ଟେକି ଦେଉଛି । ଯାହା ଦ୍ୱାରା କର୍ମୀ ଓ ନେତାମାନେ ତୃଣମୂଳ ସ୍ତରରେ ହତାଶ ହାଇଗଲେଣି । ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ନିର୍ବାଚନରେ ବିଜେପି ଆତ୍ମହତ୍ୟା ସ୍ଥିତିରେ ପହଞ୍ଚିଯିବ । ନା କର୍ମୀ ଥିବେ ନା ନେତା ଥିବେ । ରାଜ୍ୟରୁ ବିଜେପି ଲୋପପାଇଯିବ ।

Leave a Reply

Your email address will not be published. Required fields are marked *