ଆଜି ବିଶ୍ୱ ମାତୃ ଦିବସ, ମା’କୁ ସମ୍ମାନ ଦେବା ପାଇଁ ପାଳିତ ହେଉଛି ସ୍ୱତନ୍ତ୍ର ଦିନ

ଭୁବନେଶ୍ୱର(ଦ କୁଇଭର): ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ । ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା’ । ସନ୍ତାନର ଅଳିଅଝଟକୁ ପୂରଣ କରି କୋଳେଇ କାଖେଇ ବଡ କରୁଥିବା ମଣିଷଟି ହେଉଛି ମା’ । ଆଜି ହେଉଛି ସେହି ମା’ର ଦିନ । ମାଆ ପ୍ରତି ଭଲପାଇବା ଓ ତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ ହେଉଛି ସ୍ବତନ୍ତ୍ର ଦିନ । ଆଜି ହେଉଛି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଉଛି ।

ମା’କୁ ସମ୍ମାନ ଦେବା ଲାଗି ପ୍ରଥମେ ଆମେରିକାରେ ମାତୃ ଦିବସର ଆରମ୍ଭ ହୋଇଥିଲା । ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ବହୁତ ଭଲ ପାଉଥିଲେ । ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । ୧୯୧୪ ମସିହା ମେ’ ୯ ତାରିଖରେ ଆମେରିକାରେ ଏକ ବିଲ୍ ପାସ ହୋଇଥିଲା, ଯେଉଁଥିରେ ମେ’ ମାସର ଦ୍ୱିତୀୟ ରବିବାରକୁ ’ମଦର୍ସ ଡେ’ ରୂପେ ପାଳନ କରାଯିବା ପାଇଁ ଉଲ୍ଲେଖ ରହିଥିଲା । ଏହାପରେ ଭାରତ ସହିତ ଏନେକ ଦେଶ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *