ଦିଲ୍ଲୀରେ ପିସିସି ନିଷ୍ପତ୍ତି

ଭୁବନେଶ୍ୱର (ଦ କୁଇଭର) : କିଏ ହେବ ରାଜ୍ୟ କଂଗ୍ରେସର ପରବର୍ତ୍ତୀ ମୁଖିଆ? କିଏ ଧରିବ କଂଗ୍ରେସର ମଙ୍ଗ? କାହା ଉପରେ ଆସ୍ଥା କରିବେ ହାଇକମାଣ୍ଡ? ସେ ନେଇ ଆଜି ସନ୍ଧ୍ୟାରେ ହୋଇପାରେ ଚୂଡ଼ାନ୍ତ । ଓଡ଼ିଶାରୁ ଦିଲ୍ଲୀ ଯାଇଥିବା କଂଗ୍ରେସ ବିଧାୟକ ଓ ନେତା ସନ୍ଧ୍ୟାରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହେବ ବି ନାହିଁ ତାହା ବର୍ତ୍ତମାନ ବି ସନ୍ଦେହ ଘେରରେ । ଦୀର୍ଘ ଦିନ ଧରି ପିସିସି ସଭାପତିଙ୍କୁ ନେଇ ଓଡ଼ିଶା କଂଗ୍ରେସରେ ବିବାଦ ଲାଗି ରହିଥିଲା । ଯେଉଁଥିପାଇଁ କଂଗ୍ରେସ ଓ ନେତାଙ୍କୁ ଦିଲ୍ଲୀରୁ ଡକରା ପଡ଼ିଥିଲା । ତେବେ ପିସିସି ସଭାପତି ରେସରେ ବିଧାୟକ ମହମ୍ମଦ ମୋକିମ୍, ଭକ୍ତ ଦାସ, ଶରତ ପଟ୍ଟନାୟକଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି ।

ଦୀର୍ଘଦିନ ଧରି ବିବାଦ ଲାଗି ରହିବା ପରେ ଭୁବନେଶ୍ୱରରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଅନେକ ଆଲୋଚନା ହୋଇଥିଲା । ତଥାପି କୌଣସି ନିର୍ଯାସ ବାହାରିପାରିନଥିଲା । ଶେଷରେ ହାଇକମାଣ୍ଡଙ୍କ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି କଂଗ୍ରେସ ବିଧାୟକ ସମେତ ବହୁ ବରିଷ୍ଠ ନେତା । ଆଜି ଦଳୀୟ ବିଧାୟକ ଓ ତୁଙ୍ଗ ନେତାଙ୍କ ସହ ରାହୁଲ ଗାନ୍ଧୀ ବୈଠକ କରିବେ । ସବୁ ନେତାଙ୍କ ମତାମତ ଓ ପରାମର୍ଶ ନେଇ ପିସିସି ସଭାପତିଙ୍କ ନାଁରେ ମୋହର ମାରିବେ ବୋଲି ଚର୍ଚ୍ଚା ହେଉଛି ।

ଏହାସହ ଦଳୀୟ ସଙ୍ଗଠନକୁ ଆମୂଳଚୂଳ ପରିବର୍ତ୍ତନ କରିବା ନେଇ ବୈଠକରେ ଆଲୋଚନା ହୋଇପାରେ । କାହାକୁ ସଭାପତି କଲେ ଦଳର ସ୍ଥିତି ପୁଣି ମଜବୁତ୍ କରିହେବ, ସେନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହେବ । ଏହାସହ ବିଧାୟକ ଦଳ ନେତା, କାର୍ଯ୍ୟକାରୀ ସଭାପତି, ପଦାଧିକାରୀଙ୍କ ତାଲିକା ବି ବଦଳିବା ନେଇ ଚର୍ଚ୍ଚା ହେଉଛି ।

କେବଳ ଦଳୀୟ ସଙ୍ଗଠନ ନୁହେଁ, ୨୦୨୪ ନିର୍ବାଚନ ପାଇଁ ଦିଲ୍ଲୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇପାରେ । କଂଗ୍ରେସର ପୁରୁଣା ରୋଗ ହେଉଛି ନେତୃତ୍ୱ କନ୍ଦଳ । ଦଳ ଭିତରେ ଅନ୍ତଃକନ୍ଦଳ ପାଇଁ ଦଳ ଆଜି ବିଲୁପ୍ତ ଅବସ୍ଥାରେ ରହିଛି । ତେଣୁ ପୁଣି ଥରେ କିପରି ସଙ୍ଗଠନ ସୁଦୃଢ ହେବ, ତାକୁ ନେଇ ବୈଠକରେ ଚର୍ଚ୍ଚା ହେବ । ତେବେ କାହାକୁ ସଭାପତି କରିବେ ହାଇକମାଣ୍ଡ, ତାହା ଉପରେ ରହିଛି ନଜର ।

Leave a Reply

Your email address will not be published. Required fields are marked *