ପୁରୀ (ଦ କୁଇଭର): ଏ ସରକାର ଓ ସରକାରୀ ଅଧିକାରୀଙ୍କ ଉପରେ ଭରଷା କିି ବିଶ୍ୱାସ କରାଯାଇପାରିବ ନାହିଁ । କାରଣ ଏମାନେ ସିଧାସଳଖ ଜନସାଧାରଣଙ୍କୁ ମିଛ କହୁଛନ୍ତି । ରାଜ୍ୟର ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଯଦି ଜନସାଧାରଣଙ୍କୁ ଏଭଳି ମିଛ କହି ଭୁଆଁ ବୁଲାଇବାକୁ ଚେଷ୍ଟା କରନ୍ତି, ସେ ରାଜ୍ୟର ଭାଗ୍ୟ କେବଳ ଜଗନ୍ନାଥ ହିଁ ନିର୍ଦ୍ଧାରଣ କରିବେ । ଆସନ୍ତୁ ନଜର ପକାଇବା ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ସତ୍ୟପାଠ ଉପରେ ।

ଏଏସଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ଅଛି ଯେ, ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମନ୍ଦିର ପାଖରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ଦିଆଯାଇନାହିଁ । ଏହାସହ ଏହି ରିପୋର୍ଟରେ କୁହାଯାଇଛି ଯେ, ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିକୁ ସରକାର ପୂର୍ବରୁ ଯେଉଁ ଡିଜାଇନ ଦେଇଥିଲେ ପରବର୍ତ୍ତୀ ସମୟରେ ସେଥିରେ ପରିବର୍ତ୍ତନ କରିଦେଇଛନ୍ତି । ବାରମ୍ବାର ଡିଜାଇନରେ ପରିବର୍ତ୍ତନ ହୋଇଥିବା ଏଏସଆଇ ସତ୍ୟାପାଠରେ ଦର୍ଶାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖନନ ପାଇଁ ଐତିହ୍ୟସ୍ଥଳରେ ବଡ଼ ଧରଣର କ୍ଷତି ପହଞ୍ଚିଥାଇପାରେ ବୋଲି ପ୍ରତ୍ନତତ୍ୱ ବିଭାଗ ସତ୍ୟପାଠରେ ଦର୍ଶାଇଛି । ଏହାସହ ପ୍ରୋହିବିଟେଡ ଏରିଆରେ କୌଣସି ନିର୍ମାଣ କାମ ପାଇଁ ଏଏସଆଇ ବି ଏନଏମଏ ପକ୍ଷରୁ ଅନୁମତି ଦେଇନଥିବା ସତ୍ୟାପାଠରେ ଉଲ୍ଲେଖ କରିଛି ଏଏସଆଇ ।

ଏଥିରୁ ସ୍ପଷ୍ଟ ହେଉଛି ସରକାର ବାରମ୍ବାର ଭୁଲ କରୁଛନ୍ତି ଓ ସରକାରଙ୍କ ଏହି ଭୁଲକୁ ତଥ୍ୟ ଓ ପ୍ରମାଣ ସହ ଦର୍ଶାଉଛନ୍ତି ବିଭିନ୍ନ ସଂସ୍ଥା । ତଥାପି ଏ ସରକାର ଏତେ ଅଲାଜୁକ, ସଂସଦରେ ବି ମିଛ କହୁଛନ୍ତି ଏ ସରକାରଙ୍କ ଜନପ୍ରତିନିଧି । ଆଉ ସର୍ବସାଧାରଣରେ କହୁଛନ୍ତି ଯାହା ହେଉଛି ସବୁ ଠିକ୍ ହେଉଛି । ଏମାନଙ୍କୁ ଟିକେ ଲଜ୍ୟା ନାହିଁ, ଭୁଲକୁ ବି ଭଲ ଠାଣିରେ କହିପାରୁଛନ୍ତି । ଏକଥା ଆମର ନୁହେଁ, ଏକଥା ହେଉଛି ଏଏସଆଇର । କେନ୍ଦ୍ର ସରକାରଙ୍କ ସଂସ୍ଥା ଯିଏ ରାଜ୍ୟ ସରକାର ଓ ସରକାରୀ ଦଳର ଜନପ୍ରତିନିଧି ଓ ଅଧିକାରୀଙ୍କ ମିଛର ପୋଲ୍ ଖୋଲିଦେଇଛି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପରେ ଚାଲିଥିବା ଖନନ କାର୍ଯ୍ୟର ମିଳିତ ଯାଞ୍ଚ ରିପୋର୍ଟ ହାଇକୋର୍ଟରେ ଦାଖଲ ସମୟରେ ଏଭଳି ସାଙ୍ଘାତିକ ତଥ୍ୟ ଦେଇଛି ଏଏସଆଇ ।

ଏହି ପ୍ରସଙ୍ଗ ଉପରେ କିଛି ଦିନ ତଳେ ପୁରୀ ଜିଲ୍ଲାପାଳ କହିଥିଲେ, ଆମ ପାଖରେ ଅନୁମୋଦନ ଅଛି । ସବୁକାମ ଠିକ୍ ଚାଲିଛି । ଡିଜାଇନ ଅନୁସାରେ କାର୍ଯ୍ୟ ଚାଲିଛି । ଲୋକମାନଙ୍କୁ ଅନୁରୋଧ କରିଥିଲେ, ଯେଉଁମାନଙ୍କର ବିରୋଧ ଅଛି, ସେମାନେ ଆସି କୁହନ୍ତୁ । କିନ୍ତୁ ଡିଜାଇନ ସାର୍ବଜନୀନ କରିନଥିଲେ । କ’ଣ ଡିଜାଇନ ଥିଲା, ଆଉ କ’ଣ ଡିଜାଇନ ଚାଲିଛି । ଆଉ ଏହି ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏଏସଆଇ କହିଛି, ପୂର୍ବ ଡିଜାଇନରେ ବାରମ୍ବାର ପରିବର୍ତ୍ତନ କରାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲୁଥିବା କାର୍ଯ୍ୟ ଠିକଠାକ୍ ଚାଲିଛି । ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ ବୋଲି କହିଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ । ଯାହାଙ୍କ ଉପରେ ସାରା ରାଜ୍ୟ ଭରଷା କରିଥାଏ । ଯାହାଙ୍କ ମୁହଁକୁ ଦେଖିଲେ ଆଶା କରାଯାଏ ଯେ, ରାଜ୍ୟର ବିକାଶ କରିବେ, ଉନ୍ନତି କରିବେ । ଏଭଳି ଜଣେ ମୁଖ୍ୟ ଶାସନ ସଚିବ, ଯିଏ ଆଇନ କାନୁନ ଜାଣିନାହାନ୍ତି, ବୈଷୟିକ ଜ୍ଞାନ ଉପରେ ଅନୁଧ୍ୟାନ କରୁନାହାନ୍ତି, ବଡ଼ ଦାଣ୍ଡରେ ଠିଆହୋଇ କହୁଛନ୍ତି ସବୁ ଠିକ୍ ଅଛି । ଏଏସଆଇର ସହଯୋଗରେ କାମ ଚାଲିଛି । କିନ୍ତୁ ଏଏସଆଇ କହୁଛି ପ୍ରକଳ୍ପ ପାଇଁ କୌଣସି ଅନୁମୋଦନ ନାହିଁ ।

ସେପଟେ ଏହି ପ୍ରସଙ୍ଗରେ ଏକ କଳା ସତ କହିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର । ଯିଏ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ, ଯିଏ ଆଇନକୁ ଭଲ ଭାବେ ବୁଝନ୍ତି । ବହୁବାର ସାଂସଦ ରହିସାରିଛନ୍ତି । ଆଉ ସଂସଦରେ ବିଜେଡି ସଂସଦୀୟ ଦଳ ନେତା ମଧ୍ୟ ଅଛନ୍ତି । ଆଉ ସିଏ କହିଲେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୪ଟି ପାଇଖାନା ହେଉଛି । ଏଥିପାଇଁ ଏନଏମଏର ଏନଓସି ଅଛି । ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଏନଏମଏ କିମ୍ବା ଏଏସଆଇ କୌଣସି ଅନୁମତି ଦେଇପାରେ ନାହିଁ, ଏହା କ’ଣ ସାଂସଦ ମହୋଦୟ ଜାଣିନାହାନ୍ତି? ଜଣେ ପ୍ରବୀଣ ଆଇନଜ୍ଞ ଭାବରେ ପିନାକୀ ମିଶ୍ର କ’ଣ ଐତିହ୍ୟ ସଂରକ୍ଷଣର ଆଇନକୁ ଜାଣିନାହାନ୍ତି । କିନ୍ତୁ ଏଏସଆଇ ସାଂସଦଙ୍କ ପୋଲ୍ ଖୋଲିଦେଇଛି ।

ବାରମ୍ବାର ମିଛ ଧରାପଡ଼ିବା ପରେ ବି ଏ ଅଲାଜୁକ ସରକାର କହୁଛନ୍ତି, ଆମେ ବେଆଇନ କାମ ବନ୍ଦ କରିବୁ ନାହିଁ । ଯେଉଁ ସରକାର ବେଆଇନ କାମକୁ ବନ୍ଦ ନକରିବା ପାଇଁ ରୋକଠୋକ୍ ମନା କରିଦେଉଛି, ସେ ସରକାରଙ୍କ ଉପରେ ଆଇନଗତ ଶାସନ କ’ଣ ନିଆଯାଇପାରିବ ତାହା ଆମେ ଜନସାଧାରଣଙ୍କ ଉପରେ ଛାଡ଼ୁଛୁ । ଜନସାଧାରଣ ହିଁ ବିଚାର କରିବେ, ଏ ମିଛୁଆ ସରକାର ଓ ସରକାରୀ ବ୍ୟବସ୍ଥା ପ୍ରତି କ’ଣ କରାଯିବା ଉଚିତ୍ ।

Leave a Reply

Your email address will not be published. Required fields are marked *