ଟ୍ୱିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

(ଦ କୁଇଭର ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଟ୍ୱିଟର ମାଲିକ ଏଲୋନ୍ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ମଙ୍ଗଳବାର ମସ୍କ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟରେ ଥିବା ପ୍ରତିବନ୍ଧକକୁ ହଟାଇବେ ବୋଲି କହିଛନ୍ତି । ମସ୍କ କହିଛନ୍ତି ଯେ, ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ କଟକଣା ଲଗାଇବା ମାମଲାରେ ଟୁଇଟର ସଂପୂର୍ଣ୍ଣ ଭାବେ ମୁର୍ଖତା କରିଛି । କଟକଣା ପାଇଁ ପ୍ରକୃତ କାରଣ ଦରକାର ପଡ଼ିଥାଏ ।

ମସ୍କ ମଙ୍ଗଳବାର ଏକ ସମ୍ମିଳନୀକୁ ସମ୍ବୋଧିକ କରିବା ଅବସରରେ ସେ ଏହା କହିଛନ୍ତି । ଟୁଇଟରରେ ଯେକୌଣସି ବ୍ୟକ୍ତି ନିଜର ମତ ଦେଇପାରିବେ । ଏବେ ମୁଁ ଟ୍ୱିଟରର ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛି ବୋଲି ମସ୍କ କହିଛନ୍ତି । କାହା ଉପରେ କୈଣସି ସ୍ଥାୟୀ ପ୍ରତିବନ୍ଧକ ଲଗାଯିବା ଉଚିତ୍ ନୁହେଁ ।

ମସ୍କଙ୍କ ନିଷ୍ପତ୍ତି ପରେ ବି ଟ୍ରମ୍ପଙ୍କ ଟ୍ୱିଟରକୁ ଫେରିବା ନେଇ ଆଶଙ୍କା ରହିଛି । ପୂର୍ବରୁ ଟ୍ୱିଟରକୁ ନଫେରିବା ନେଇ ଟ୍ରମ୍ପ ଘୋଷଣା କରିସାରିଛନ୍ତି । ଗତ ମାସରେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଏକ ବିବୃତ୍ତି ଥିଲା ଯେ ଆକାଉଣ୍ଟରୁ କଟକଣା ହଟାଇଲେ ମଧ୍ୟ ସେ ଟୁଇଟରକୁ ଫେରିବେ ନାହିଁ । ଟ୍ରମ୍ପ କହିଥିଲେ ଯେ ସେ ବର୍ତ୍ତମାନ କେବଳ ତାଙ୍କ Truth Social ବ୍ୟବହାର କରିବେ। ଗତ ବର୍ଷ ଆମେରିକାରେ ହିଂସା ପରେ ଟ୍ରମ୍ପଙ୍କୁ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାରଣ କରାଯାଇଥିଲା ।

କିନ୍ତୁ ଏଲନ ମସ୍କ ଟୁଇଟର କିଣିବା ପରେ ରିପଲବ୍ଲିକନ ତରଫରୁ ଦାବି କରାଯାଉଥିଲା ଯେ, ଟ୍ରମ୍ପଙ୍କ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଉ । ମସ୍କଙ୍କ ଏହି ନିଷ୍ପତି ପରେ ଟ୍ରମ୍ପ ଟୁଇଟରକୁ ଫେରିବେ କି ନାହିଁ ତାକୁ ନେଇ ଚାଲିଛି ଚର୍ଚ୍ଚା । ବର୍ତ୍ତମାନ ପର୍ୟ୍ୟନ୍ତ ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ କିଛି ସୂଚନା ଦେଇନାହାନ୍ତି ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଜାନୁଆରୀ ୬ରେ ଆମେରିକାର କ୍ୟାପିଟାଲରେ ହୋଇଥିବା ଦଙ୍ଗା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟୀ କରାଯାଇଥିଲା । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଟ୍ରମ୍ପ ଲଗାତାର ଅନେକ ଥର ଟୁଇଟ କରି ଦାବି କରିଥିଲେ ଯେ, ନିର୍ବାଚନରେ ଦୁର୍ନୀତି ହୋଇଛି । ତାଙ୍କୁ ହରାଇ ଦିଆଯାଇଛି । ଏହି ଟୁଇଟକୁ ଆପତ୍ତିଜନକ କୁହାଯାଇଥିଲା ଏବଂ କଟକଣା ଲାଗୁ କରିଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *