Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଦିଲ୍ଲୀରେ ନିର୍ଦ୍ଦେଶକ, ବଡ଼ ଦାଣ୍ଡରେ କଳାକାର

ପୁରୀ (ଦ କୁଇଭର): ଦିଲ୍ଲୀରେ ନିର୍ଦ୍ଦେଶକ, ବଡ଼ ଦାଣ୍ଡରେ କଳାକାର । ଦିଲ୍ଲୀରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ପୁରୀ ବଡ଼ ଦାଣ୍ଡରେ ନାଟକ କରାଯାଇଛି । ଆଉ ଏହି ନାଟ୍ୟାକାର ହେଉଛନ୍ତି କୁହାଳିଆ ବିଜେପି ନେତା ସମ୍ବିତ । ନିର୍ବାଚନ ବେଳେ ବି ଏହିଭଳି ନାଟକ ଦେଖିବାକୁ ମିଳିଥିଲା । ଜଗନ୍ନାଥଙ୍କୁ ଛାତିରେ ଧରି ବୁଲୁଥିଲେ । ଭୋଟ୍ ମାଗିଥିଲେ । କିନ୍ତୁ ମହାପ୍ରଭୁ ସହିଲେନି ବୋଲି ଅତି ପାଖରୁ ହାରିଗଲେ । ତାପରେ ଫେରିଗଲେ ଦିଲ୍ଲୀ । ଭୂଲିଗଲେ ଜଗନ୍ନାଥଙ୍କୁ, ଭୁଲିଗଲେ ଶ୍ରୀମନ୍ଦିରର ସୁରକ୍ଷା । କୋଟି କୋଟି ଭକ୍ତ ଯେତେବେଳେ ପ୍ରକଳ୍ପକୁ ନେଇ ବଡ଼ ଦେଉଳ ପ୍ରତି ଥିବାର ବିପଦ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଚାହୁଁଥିଲେ । ସେତେବେଳେ ମାମଲା କୋର୍ଟରେ ଅଛି କହି ଖସିଯାଇଥିଲେ ସମ୍ବିତ । ଲାଗିଲା ବିଜେଡିକୁ ସେ ବିରୋଧ କରିବେ ନାହିଁ । ଯେମିତି ତାଙ୍କୁ ଉପରୁ ନିର୍ଦ୍ଦେଶ ଆସିଛି, ବିଜେଡି ସହ ସଲାସୁତୁରା କରି ଚାଲ । ଏକଥା ବିଜେପି ବାଲା ବି କହୁଥିଲେ ।

ଅନ୍ୟପଟେ ସଲାସୁତୁରା ଠାରୁ ଦୂରରେ ଥିବା ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ ବଡ଼ ଦେଉଳ ସୁରକ୍ଷାକୁ ନେଇ ସରକାରଙ୍କୁ ଚ୍ୟାଳେଞ୍ଜ କଲେ । ସଂସଦରେ ପ୍ରସଙ୍ଗ ଉଠାଇ ଲୋକଙ୍କୁ ସ୍ପଷ୍ଟ ଚିତ୍ର ଦେଖାଇଲେ । ଲୋକେ ବି ଅପରାଜିତାଙ୍କ ପ୍ରତି ଆସ୍ଥା ପ୍ରକଟ କଲେ । ବିଜେପି ନିରବ ଥିବାରୁ ବିଜେପିର ନେତା ବୋଲାଉଥିବା ଧର୍ମେନ୍ଦ୍ରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢିଲା । ଅପରାଜିତାଙ୍କ ଲୋକପ୍ରିୟତା ବଢୁଥିବା ବେଳେ ନିନ୍ଦିତ ହେଉଥିଲେ ବିଜେପିର ତଥାକଥିତ ମୁଖିଆମାନେ । ଏଏସଆଇ ଟେକନିକାଲ ରିପୋର୍ଟ ଦେବାପରେ ଅପରାଜିତାଙ୍କ ଗ୍ରହଣୀୟତା ଆହୁରି ବଢିଗଲା । ଭିତତ୍ରୋତ୍ସ ହୋଇଗଲେ ତଥାକଥିତ ନେତାମାନେ । ତା ପରେ ଆସିଲା ନିର୍ଦ୍ଦେଶ, ନାଟକ କର ।

ଅପରାଜିତାଙ୍କ ଲୋକପ୍ରିୟତାକୁ କ୍ଷ୍ୟୁର୍ଣ୍ଣ କରିବା ପାଇଁ ଆରମ୍ଭ ହୋଇଛି ନାଟକ । ପ୍ରଥମ ପାଳିରେ ମୈଦାନକୁ ଓହ୍ଲାଇଛନ୍ତି ସମ୍ବିତ ପାତ୍ର । ଗତକାଲି ପୁରୀ ଆସି ସମ୍ବିତ ପାତ୍ର ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଜଗନ୍ନାଥଙ୍କ ମୂର୍ତ୍ତିକୁ କୋଳରେ ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମଙ୍ଗଳବାର ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ମୁଣ୍ଡରେ ଧରିଥିବା ବେଳେ, ବୁଧବାର ପୁରୀ ବଡ଼ ଦାଣ୍ଡରେ ଜଗନ୍ନାଥଙ୍କ ମୂର୍ତ୍ତି ଧରି ଶ୍ରୀମନ୍ଦିର ଯାଇ ଏକ ନାଟକୀୟ ପରିବେଶ ସୃଷ୍ଟି କରିଥିଲେ । କେବଳ ବଡ ଦାଣ୍ଡ ନୁହେଁ ଶ୍ରୀମନ୍ଦିର ବୁଲି ସାରିବା ପରେ ପ୍ରକଳ୍ପ ସ୍ଥଳରେ ମଧ୍ୟ ଜଗନ୍ନାଥ ମୂର୍ତ୍ତୀ ଧରି ବୁଲିଥିଲେ ସମ୍ବିତ ପାତ୍ର ।

ଏହି ନାଟକ କେବଳ ସମ୍ବିତଙ୍କ ପାଖରେ ସରିନି । ଅପରାଜିତାଙ୍କ କାଉଣ୍ଟର କରିବାକୁ ନାଟକର ଦ୍ୱିତୀୟ ପର୍ଯ୍ୟାୟରେ ଓହ୍ଲାଇପାରନ୍ତି ତଥାକଥିତ ମୁଖିଆମାନେ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଜେପି ଆଗକୁ କି କି ନାଟକ କରୁଛି, ତାହା ଦେଖିବାକୁ ବାକି ରହିଲା ।

Exit mobile version