ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମସିଂଘେ


କଲମ୍ବୋ (ଦ କୁଇଭର): ଶ୍ରୀଲଙ୍କା ସଙ୍କଟ ଭିତରେ ଦେଶରେ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଧାନମନ୍ତ୍ରୀ। ଘୋର ଆର୍ଥିକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ  ରାନିଲ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୨୫ ଆସନ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କ ମାତ୍ର ଜଣେ ସଦସ୍ୟ ଅଛନ୍ତି ।

ଶ୍ରୀଲଙ୍କାର ୪ଥର ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେଙ୍କୁ ୨୦୧୮ ଅକ୍ଟୋବର ମାସରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ପ୍ରଧାନମନ୍ତ୍ରୀ ପଦରୁ ହଠାଇଥିଲେ। ତେବେ ଏହାର ଦୁଇ ମାସ ପରେ ପୁଣି ଥରେ ବିକ୍ରମାସିଂଘେଙ୍କୁ ପଦ ମିଳିଥିଲା। ବିକ୍ରମାସିଂଘେଙ୍କୁ ଅନ୍ତରିଣ ପ୍ରଶାସନର ନେତୃତ୍ବ ନେବା ପାଇଁ ସବୁ ଦଳର ସମର୍ଥନ ମିଳିଛି। ଅସନ୍ତା ୬ ମାସ ଯାଏଁ ତାଙ୍କ ସରକାର ଚାଲିପାରିବ।

ସୂତ୍ର ଅନୁସାରେ କ୍ଷମତାରେ ଥିବା ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସଏଲପିପି), ବିରୋଧୀ ସମଗୀ ଜନ ବାଲାବେଗାୟା( ଏସଜେବି)  ସହ ଅନ୍ୟ ଦଳ ସଂସଦରେ ବିକ୍ରମାସିଂଘେଙ୍କୁ  ବହୁମତ ସାବ୍ୟସ୍ତ କରିବା ପାଇଁ ନିଜର ସମର୍ଥନ ଜଣାଇଛନ୍ତି।

ଅନ୍ୟପଟେ  ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ। ରାଜପକ୍ଷଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍ଷ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି। ଶ୍ରୀଲଙ୍କା ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ପାଇଁ ରାଜପକ୍ଷଙ୍କୁ ଦାୟୀ କରାଯାଉଛି।

Leave a Reply

Your email address will not be published. Required fields are marked *