Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚଳିତ ସପ୍ତାହରେ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ

(ଦ କୁଇଭର ବ୍ୟୁରୋ): ଜଳୁଛି ଶ୍ରୀଲଙ୍କା, ତୀବ୍ର ହେଉଛି ସରକାରୀ ବିରୋଧ ପ୍ରଦର୍ଶନ । ସୋମବାର ରାତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସା ଇସ୍ତଫା ଦେବାପରେ ରାଜଧାନୀ କଲୋମ୍ବୋରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛିା ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି । ଲୋକମାନେ ସାଂସଦ, ମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ବାସଭବନକୁ ଆକ୍ରମଣ କରିବା ସହ ଜାଳିଦେଇଛନ୍ତି ।

ତଥାପି ଗାଦି ଛାଡିବେନି ରାଷ୍ଟ୍ରପତି ଗୋଟାବାୟ । ଏହି ସପ୍ତାହରେ ହିଁ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା । ସେ କହିଛନ୍ତି ଯେ ସଂଖ୍ୟାଗରିଷ୍ଠ ସମର୍ଥନ ଥିବା ବ୍ୟକ୍ତି ହିଁ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ ଏଥିସହ ନୂଆ କ୍ୟାବିନେଟ ମଧ୍ୟ ଗଠନ କରାଯିବ । ଦେଶରେ ସ୍ଥିରତା ଆସିବା ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ବ୍ୟବସ୍ଥା ଉଚ୍ଛେଦ ହେବ । ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶୃତି ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ।

ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ହିଂସାକାଣ୍ଡ ସହିତ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ଏପଟେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଯାଇଛି ତିନି ସେନା । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସ୍ଥଳସେନା, ବାୟୁସେନା ଏବଂ ନୌସେନା ସଜାଗ ରହିଛି । ରାଜଧାନୀ କଲମ୍ବୋରେ ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି । ସ୍ପେଶାଲ ଆର୍ମି ଫୋର୍ସ କମ୍ବାଟ୍ ରାଇଡର୍ସ ପାଟ୍ରୋଲିଂ କରୁଛି ସରକାର । ବିରୋଧୀ ହିଂସାତ୍ମକ ଆନ୍ଦୋଳନ ଉପରେ କଡା ନଜର ରଖାଯାଇଛି ।

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭୟଙ୍କର ହିଂସା ସଂଗଠିତ ହୋଇଛି । ହିଂସାରେ ଜଣେ ସରକାରୀ ଦଳର ସାଂସଦ ଅତୁକୋରାଲାଙ୍କ ମୃତ୍ୟୁ ଘଟିଛି । ଦିନକ ଭିତରେ ସାଂସଦଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଶହରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏତିକିରେ ହିଂସା ମଧ୍ୟ ଥମିନାହିଁ । ବିଦାୟୀ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସଙ୍କ ବାସଭବନରେ ବି ଭଙ୍ଗାରୁଜା ହୋଇଛି । ଜଣେ ସାଂସଦଙ୍କ ଘର ଜାଳି ଦିଆଯାଇଥିବା ବେଳେ ଅନେକ ସାଂସଦଙ୍କ ଘରେ ଆକ୍ରମଣ ହୋଇଥିଲା । ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।

Exit mobile version