(ଦ କୁଇଭର ବ୍ୟୁରୋ): ଘରୋଇ ହସ୍ପିଟାଲରେ କଳାବେପାର । ଡିଜିଟାଲ ନୁହେଁ କ୍ୟାସ୍ ଦିଅ । କ୍ୟାସ ନାହିଁ ତ ସେବା ନାହିଁ । ରୋଗୀଙ୍କ ସମ୍ପର୍କୀୟଙ୍କୁ ଜୋର ଜବରଦସ୍ତ କ୍ୟାସ୍ ଦେବାକୁ ବାଧ୍ୟ କରୁଛନ୍ତି ଘରୋଇ ହସ୍ପିଟାଲ । ସାରା ଦେଶ ଡିଜିଟାଲାଇଜ୍ ଆଡକୁ ଗତି କରୁଥିବା ବେଳେ ଘରୋଇ ହସ୍ପିଟାଲ ଗୁଡ଼ିକରେ ଅନଲାଇନ ପେମେଣ୍ଟ କୁ ମନା କରି କ୍ୟାସ୍ ଦେବାକୁ ବାଧ୍ୟ କରୁଛନ୍ତି । ସରକାରଙ୍କ ଠାରୁ ନିଜର ବିପୁଳ ଆୟ ଲୁଚାଇବା ପାଇଁ ରୋଗୀମାନଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଛନ୍ତି । ଆଉ ଏମାନଙ୍କୁ ପରୋକ୍ଷରେ ସହଯୋଗ କରୁଛନ୍ତି ସରକାର।

ଦିନକୁ ଦିନ ଘରୋଇ ହସ୍ପିଟାଲର ପ୍ରାର୍ଦୁଭାବ ଚରମସୀମାରେ ପହଞ୍ଚିଲାଣି । ସବୁ ସୀମା ସରହଦ ପାର କରି ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ଲୁଟୁଛନ୍ତି । ପୂର୍ବରୁ ରୋଗୀଙ୍କ ସେବା ଓ ଖର୍ଚ୍ଚ ବାବଦରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଲୁଟୁଥିବା ବେଳେ ଏବେ ଟଙ୍କା ନେବାରେ ବି ଲୁଟିଲେଣି । କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ଅନଲାଇନ ପେମେଣ୍ଟ ବା ଡିଜିଟାଲାଇଜେସନ ବଢିଛି । କିନ୍ତୁ ଘରୋଇ ହସ୍ପିଟାଲରେ ଏହି ଅନଲାଇନ ପେମେଣ୍ଟ ବ୍ୟବସ୍ଥାକୁ ଗ୍ରହଣ କରୁନାହାନ୍ତି । କୌଣସି କ୍ରେଡିଟ୍, ଡେବିଟ୍ ଓ ଇନ୍ସୁରାନ୍ସ କାର୍ଡରୁ ସମ୍ପୂର୍ଣ୍ଣ ପେମେଣ୍ଟ ଗ୍ରହଣ କରିବାକୁ ସେମାନେ ନାରାଜ । କେବଳ ଦରକାର କ୍ୟାସ୍ । ଯଦି କୌଣସି ଚାପରେ ସେମାନେ ଗ୍ରହଣ କରୁଛନ୍ତି, ତେବେ ତାହା ୭୫ ପ୍ରତିଶତ ପର୍ଯ୍ୟନ୍ତ ଗ୍ରହଣୀୟ । ଆଉ ବାକି ୨୫ ପ୍ରତିଶତ କ୍ୟାସ୍ ଦେବାକୁ ବାଧ୍ୟ । ଏହାର କାରଣ ବି ଆମେ ବେସ୍ ଅନୁଧ୍ୟାନ କଲୁ । ହସ୍ପିଟାଲର ଟଙ୍କା ହିସାବପତ୍ର ଦେଖିୁଥିବା ଜଣେ କର୍ମଚାରୀଙ୍କ କହିବା କଥା, ଯଦି ଅନଲାଇନରେ ପେମେଣ୍ଟ ଯାଉଛି, କେଉଁ ସ୍ତରରେ କେତେ ପେମେଣ୍ଟ ନେଇଛନ୍ତି ତାହା ସର୍ବସମ୍ମୁଖରେ ଜଣାପଡ଼ୁଛି ଏବଂ ସେହି ପରିମାଣରେ ସେମାନଙ୍କୁ ଜିଏସଟି ବା ଟ୍ୟାକ୍ସ ଦେବାକୁ ପଡ଼ୁଛି । ଆଉ ପାଥୋଲ୍ୟାବରେ ଯଦି ବ୍ଲଡ ଟେଷ୍ଟ ପାଇଁ ୫୦ ଟଙ୍କା ଖର୍ଚ୍ଚ ହୁଏ, ତେବେ ତା ବାବଦରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ସେମାନେ ୨୫୦ ଟଙ୍କା ନେଉଛନ୍ତି । ଯାହାକୁ ଅନଲାଇନରେ ବା ବିଲରେ ଶୋ କଲେ, ଶୋଷଣର ପ୍ରମାଣ ଖୁବଶୀଘ୍ର ମିଳିଯିବ । ତେଣୁ ସେମାନେ କ୍ୟାସ ଦେବାକୁ ବାଧ୍ୟ କରୁଛନ୍ତି ।

ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପଛେ ହନ୍ତସନ୍ତ ହୁଅନ୍ତୁ, ବିଭିନ୍ନ ଉପାୟରେ ରୋଗୀଙ୍କ ଠାରୁ ଟଙ୍କା ଲୁଟି ହସ୍ପିଟାଲର ମାଲିକମାନେ ଟଙ୍କା ଠୁଳ କରିବାରେ ବ୍ୟସ୍ତ । ଆଉ ସରକାରଙ୍କ ଠାରୁ ବଞ୍ଚିବା ପାଇଁ ସେମାନେ ଅନଲାଇନକୁ ମନା କରି କ୍ୟାସ୍ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

ଆଉ କେଉଁ ଉପାୟରେ କେତେ ଟଙ୍କା ନେଉଛନ୍ତି ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ, ତାହା ଆମେ ଆପଣଙ୍କୁ ଆଗାମୀ ରିପୋର୍ଟରେ ଦେଖାଇବୁ।

Leave a Reply

Your email address will not be published. Required fields are marked *