Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପରିପକ୍ୱ ନା ପରଶ୍ରୀକାତର ଧର୍ମେନ୍ଦ୍ର

ଭୁବନେଶ୍ୱର (ଦ କୁଇଭର): ଯାହା ହେଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଦ ଭାଙ୍ଗିଛି । ଦୀର୍ଘବର୍ଷ ପରେ ହଠାତ ମନେ ପଡ଼ିଛି ପୁରୀର ପୂରାତନ ଐତିହ୍ୟ କଥା । ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ଏବେ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ତାଙ୍କର ଟୁଇଟ ମନ୍ତବ୍ୟକୁ ତାଙ୍କ ଉପରେ ଭରସା ରଖିଥିବା ସମର୍ଥକମାନେ ସ୍ୱାଗତଯୋଗ୍ୟ ବୋଲି କହୁଛନ୍ତି । ସେ କାଳେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ । ପୂରା ପରିପକ୍ୱ । ସବୁ କଥା ବିଚାର କରି ସେ କହନ୍ତି । ନିଜର ସମର୍ଥକଙ୍କ ମଧ୍ୟରେ ଏପରି ଭାବମୂର୍ତ୍ତୀ ରଖିଥିବା ଧର୍ମେନ୍ଦ୍ରଙ୍କ ଏହି ଟୁଇଟ ନେଇ ନାନା ପ୍ରଶ୍ନ ଉଠିଲାଣି । ଆମେ ବି ଏଥିରେ ବିରୋଧ କରୁନାହୁଁ ।

ଖୋଦ ତାଙ୍କରି ଦଳର ବୁଦ୍ଧିଜୀବୀମାନେ କହୁଛନ୍ତି, ରାଜ୍ୟ ସରକାରଙ୍କ କଳାପାହାଡ଼ ନୀତିରେ ଧୂଳିସାତ ହୋଇଗଲା ଶହଶହ ବର୍ଷର ଐତିହ୍ୟ । ହିନ୍ଦୁତ୍ୱ ନେଇ କ୍ଷମତାକୁ ଆସିଥିବା ବିଜେପି ନେତାମାନେ ହିନ୍ଦୁ ମାନଙ୍କ ଐତିହ୍ୟ ଉପରେ ହୋଇଥିବା ଆକ୍ରମଣକୁ ଦେଖି ନୀରବ ରହିଲେ । ଏପରିକି ଉଁ କି ଚୁଁ କରିନଥିଲେ ଓଡ଼ିଶା ବିଜେପି ମୁଖିଆ ଧର୍ମେନ୍ଦ୍ର ପ୍ରଧାନ । ସବୁ ମାଟିରେ ମିଶିଗଲା । ହଜିଗଲା ଶହଶହ ବର୍ଷର ଐତିହ୍ୟ । କେବଳ ସେତିକି ନୁହେଁ, ଐତିହ୍ୟ ସମାଧି ଉପରେ କଂକ୍ରିଟ ଜଙ୍ଗଲ କରିବାକୁ ଆରମ୍ଭ କଲେ ରାଜ୍ୟ ସରକାର । ତଥାପି ମୁହଁ ଖୋଲିଲେନି ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କ ସେହି ସବୁ କାମ ଅବୈଧ ବୋଲି ପ୍ରମାଣିତ ହେବାରେ ଲାଗିଛି । ସବୁ ସରିଯିବା ପରେ ଏବେ ମନେ ପଡ଼ିଛି ତାଙ୍କର ସେହି ଐତିହ୍ୟ କଥା । ଟୁଇଟ କରି କହିଛନ୍ତି ଐତିହ୍ୟର ସଂରକ୍ଷଣ କରାଯିବା ଉଚିତ ।

ପୁରୀର ଶହଶହ ବର୍ଷ ଐତିହ୍ୟ ଉପରେ ବୁଲଡୋଜର ଚାଲିଥିଲା । କେବଳ ସେତିକି ନୁହେଁ, ନିଷଦ୍ଧାଞ୍ଚଳରେ ମେସିନ ଲଗାଇ ଗଭୀର ଗାତ ଖୋଳାଗଲା । ଏହାଦ୍ୱାରା ବଡ଼ ଦେଉଳ ବିପଦ ଆଡ଼କୁ ଟାଣି ହୋଇଗଲା । ପୂରାତନ ଐତିହ୍ୟ ନିକଟରେ କୌଣସି କାର୍ଯ୍ୟକୁ ବାରଣ କରାଯାଇଛି । ମାତ୍ର ତାହା କଲେ ସରକାର । ବେଆଇନ କାମ ସତ୍ତେ୍ୱ ନୀରବ ରହିଲେ ଧର୍ମେନ୍ଦ୍ର । ବିଜେପି ବି ତୁଣ୍ଡି ବାନ୍ଧିଦେଲା । ଏକଥା ଖୋଦ ତାଙ୍କରି ଦଳର ବିଧାୟକ କହିଲେ । ବିରୋଧ ପାଇଁ ଦଳ ପକ୍ଷରୁ କିଛି ନିର୍ଦ୍ଦେଶ ନାହିଁ ।

ହେଲେ ଏକଥା ହଜମ ହେଲାନାହିଁ । ବିଜେପି ଭଳି ହିନ୍ଦୁତ୍ୱବାଦୀ ଦଳ ହିନ୍ଦୁ ମନ୍ଦିରକୁ ବିପଦମୂଖୀ କରୁଥିବା କର୍ଯ୍ୟାକୁ ବରଦାସ୍ତ କରିବାକୁ ଗ୍ରହଣ କରିପାରିଲେନି ଲୋକେ । ବଡ଼ଦେଉଳ ପ୍ରତି ବିପଦ ସୃଷ୍ଟିକାରି ପ୍ରକଳ୍ପକୁ ଗ୍ରହଣ କରିପାରିଲେନି ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ । ବେଆଇନ କାର୍ଯ୍ୟ ବିରୋଧରେ ଯୁଦ୍ଧ ଡାକରା ଦେଲେ । ଧର୍ମେନ୍ଦ୍ରଙ୍କ ସମେତ ସବୁ ରାଜ୍ୟ ବିଜେପି ନେତା ଚୁପ ଥିବା ବେଳେ ସେ ଏକା ଲଢ଼ିଲେ । ବିଜେପି ନେତାମାନେ କହିଲେ, ତାହା ତାଙ୍କର ବ୍ୟକ୍ତିଗତ ଅଭିଯାନ ।

ଟିକିଏ ପଛକୁ ନଜର ପକାଇବା, ଅପରାଜିତା ବିଜେପିକୁ ପ୍ରବେଶ କରିବା ଦିନରୁ ଧର୍ମେନ୍ଦ୍ରଙ୍କ ସଂଗଠନ ସହ ତାଙ୍କର ତାଳମେଳ ରହୁନାହିଁ । ସାଂଗଠନିକ ନିର୍ବାଚନ ହେଉ କି ଦଳର କାର୍ଯ୍ୟ ହେଉ ଅନେକ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଓ ଅପରାଜିତାଙ୍କ ସମର୍ଥକ ସମାନ୍ତରାଳ ଭାବେ ଚାଲଛନ୍ତି । ତାଙ୍କର ସ୍ୱଚ୍ଛତା ଓ ସ୍ପଷ୍ଟବାଦିତା ଏବଂ ସରକାରଙ୍କ ବେଆଇନ କାର୍ଯ୍ୟକୁ ଆଙ୍ଗଳି ଦେଖାଇବା ପାଇଁ ସେ ସର୍ବଦା ତୃଣମୂଳ ସ୍ତରର କର୍ମୀ ଓ ବୁଦ୍ଧଇଜୀବୀଙ୍କ ମଧ୍ୟରେ ଆଦୃତ ହୋଇଛନ୍ତି । ଅପରାଜିତା ବଡ଼ ଦେଉଳ ନିକଟରେ ହେଉଥିବା କାର୍ଯ୍ୟକୁ ବିରୋଧ କଲେ । ଦଳର ନୀରବତା ସତ୍ୱେ ସେ ଆନ୍ଦୋଳନ କରିଦେଲେ । ଲୋକସଭା ଠାରୁ ରାଜ୍ୟର ପ୍ରତି ଗାଁରେ ତାଙ୍କ ଆୱାଜ ପହଞ୍ଚିଲା । ସେ ଆଦୃତ ହେଲେ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟ ବେଆଇନ ବୋଲି ଜଣାପଡ଼ିଲା । ଏହାପରେ ରାଜ୍ୟସାରା ତାଙ୍କ ଉପରେ ଆସ୍ଥା ସୃଷ୍ଟି ହେଲା ।

ଯାହା ଧର୍ମେନ୍ଦ୍ର ଓ ତଥାକଥିତ ନେତାଙ୍କ ପାଇଁ ଚିନ୍ତାର କାରଣ ହେଲା । ସବୁ ଉଦ୍ୟମ ସତ୍ତେ୍ୱ ଅଟକିଲେ ନାହିଁ ଅପରାଜିତା । ତାଙ୍କର ଲୋକପ୍ରିୟତା ତାଙ୍କୁ ଦଳର ନେତୃତ୍ୱ ଦେଇ ଦେବାର ସମ୍ଭାବନାକୁ ବି ବଢ଼ାଇଲା । ଦଳର ନେତୃତ୍ୱ ନେଇ ରାଜ୍ୟ ମୁଖିଆ ହେବାର ସ୍ୱପ୍ନରେ ମସଗୁଲ ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ଏହାକୁ ସମ୍ଭାଳି ପାରିଲେ ନାହିଁ । ଧର୍ମେନ୍ଦ୍ର କେମିତି ଗ୍ରହଣ କରିଛନ୍ତି ତାହା ଜଣାନାହିଁ । ଯାହା ହେଉ ଅପରାଜିତାଙ୍କ ଗର୍ଜନ ପରେ ବରଫ ପାଲଟି ଯାଇଥିବା ଧର୍ମେନ୍ଦ୍ରଙ୍କ ମୁହଁ ଖୋଲିଛି । ହେଲେ ଚୋର ପଳାଇବା ପରେ ଚିକ୍ରାର କରିବା ଭଳି ଐତିହ୍ୟ ଧ୍ୱଂସ ହେବା ପରେ ଧର୍ମେନ୍ଦ୍ର ମୁହଁ ଖୋଲିବା ଜଣେ ପରିପକ୍ୱ ନେତାଙ୍କ କାର୍ଯ୍ୟ ଭଳି ଲାଗୁନାହିଁ । ଯଦି ଏହା ପରିପକ୍ୱତା ନୁହେଁ, ତେବେ ଅପରାଜିତାଙ୍କ ପ୍ରତି ପରଶ୍ରୀକାତରତା ନୁହେଁ ତ? ଏହି ପ୍ରଶ୍ନ ଏବେ ରାଜ୍ୟସାରା ଗୁଞ୍ଜରିତ ହେଲାଣି । ଧର୍ମେନ୍ଦ୍ର ତାଙ୍କ ମନ୍ତବ୍ୟ ଜାରି ରଖିବା ସହ ରାଜ୍ୟ ସରକାରଙ୍କୁ ବିରୋଧ କରିବେ ନା ନୀରବ ହୋଇଯିବେ ତାହା ଦେଖିବାକୁ ବାକି ରହିଲା ।

Exit mobile version